ପୋଷ୍ଟମାଷ୍ଟରଙ୍କୁ ନକ୍ସଲଙ୍କ ହତ୍ୟା ଘଟଣା : ପ୍ରଜାକୋର୍ଟରେ ପୂର୍ବରୁ ମିଳିଥିଲା ଦଣ୍ଡ

କମ୍ବିଂ ଅପରେସନ୍‌ ଜୋର୍‌ଦାର୍‌

ମାଲକାନଗିରି : କ୍ରାନ୍ତି ଦିବସରେ ନକ୍ସଲ ଜଣେ ପୋଷ୍ଟମାଷ୍ଟରଙ୍କୁ କାହିଁକି ହତ୍ୟା କଲେ, ତାହାକୁ ନେଇ ଆଜି ଆଲୋଚନା ଜୋର୍‌ ଧରିଛି। ପୁଲିସ୍‌ ଇନ୍‌ଫର୍ମର୍‌ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଗତକାଲିର ଘଟଣା ପରେ ଜଣାପଡ଼ିଥିଲା। ଏବେ ସୂଚନା ମିଳୁଛି ଯେ, ଏହା ପୂର୍ବରୁ ପୋଷ୍ଟମାଷ୍ଟର ପ୍ରଜାକୋର୍ଟରେ ଦଣ୍ଡିତ ହୋଇଥିଲେ। ଗ୍ରାମବାସୀଙ୍କ ଅନୁରୋଧରେ ଛାଡ଼ି ଦେଇଥିଲେ ମଧ୍ୟ ପୋଷ୍ଟମାଷ୍ଟର ତାଙ୍କ କାର୍ଯ୍ୟକଳାପରେ କୌଣସି ପରିବର୍ତ୍ତନ କରିନଥିଲେ। ଫଳରେ, ଏଥିରେ ଉତ୍‌କ୍ଷିପ୍ତ ହୋଇ ନକ୍ସଲ ତାଙ୍କୁ ହତ୍ୟା କରିଛନ୍ତି। ଗତ ବୁଧବାର ରାତିରେ ୧୫/୨୦ ଜଣ ସଶସ୍ତ୍ର ନକ୍ସଲ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍‌ଲକ୍‌ ଅନ୍ତର୍ଗତ କମଳାପଦର ଗ୍ରାମର ପୋଷ୍ଟମାଷ୍ଟର ନାରାୟଣ ପଲାସୀଙ୍କୁ ଘରୁ ଘୋଷାରି ଆଣି ପ୍ରଥମେ ନିର୍ଧୁମ ପିଟିଥିଲେ। ଏହାପରେ ପେଟକୁ ଗୁଳିକରି ହତ୍ୟା କରିଥିଲେ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପୁଲିସ୍‌କୁ ସୂଚନା ପ୍ରଦାନ କରୁଥିବାରୁ ପୋଷ୍ଟମାଷ୍ଟର ନାରାୟଣଙ୍କ ଉପରେ ନକ୍ସଲଙ୍କ ରାଗ ରହିଥିଲା। ୨୦୧୭ ମସିହା ଜୁନ ୩ ତାରିଖ ଦିନ ନାରାୟଣ ଆତ୍ମସମର୍ପଣ କରିଥିବା ନକ୍ସଲ ଶୁୁକଦେବ ସହ ମିଶି ଅନ୍ୟତମ ନକ୍ସଲ କମାଣ୍ଡର ଚିନ୍ନାବାଇକୁ ଧରାଇ ଦେଇଥିଲା। ଏଥିପାଇଁ ପୋଲିସ ତାକୁ ୫୦ ହଜାର ଟଂକା ମଧ୍ୟ ଦେଇଥିଲା। ପରେ ପୋଲିସ ଚିନ୍ନାବାଇକୁ ଧରି ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲା। ଯାହାକୁ ପରବର୍ତୀ ସମୟରେ ପୁଲିସ୍‌ ଏକ ଏନକାଉଣ୍ଟର ବୋଲି ଦର୍ଶାଇଥିଲା। ଏକଥା ସେମାନେ କହୁନାହାନ୍ତି ଏହା ନକ୍ସଲମାନଙ୍କ ଧାରଣା ବୋଲି ଗ୍ରାମବାସୀମାନେ କହିଛନ୍ତି।

ସେମାନେ ଆହୁରି କହିଛନ୍ତି ଯେ, ପୂର୍ବରୁ ନକ୍ସଲ ନାରାୟଣଙ୍କୁ ପ୍ରଜାକୋର୍ଟରେ ଦଣ୍ଡିତ କରିଥିଲେ। ଏପରିକି ଜୀବନରୁ ମାରିଦେବାକୁ ନିଷ୍ପତ୍ତି ନେଇଥିଲେ। ଗ୍ରାମବାସୀ ଅନୁରୋଧ କରିବାରୁ ଚେତାବନୀ ଦେଇ ଛାଡ଼ି ଦେଇଥିଲେ। ତେବେ, ନାରାୟଣଙ୍କ ଗତିବିଧିଙ୍କ ଉପରେ ନକ୍ସଲଙ୍କ ଦୀର୍ଘଦିନ ହେଲା ନଜର ରହିଥିଲା। ଶେଷରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପରେ ସୁରକ୍ଷା ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ୍‌କୁ ଜୋର୍‌ଦାର୍‌ କରାଯାଇଛି।

ଅପରପକ୍ଷରେ ନାରାୟଣଙ୍କୁ ହରାଇ ପରିବାର ଭାଙ୍ଗି ପଡିଛି। ପାପଲୁର ଅଂଚଳରେ ଭୟର ବାତାବରଣ ଖେଳିଯାଇଛି। ଗାଁଟି ସଂପୂର୍ଣ୍ଣ ଖାଁ ଖାଁ ଲାଗୁଛି। ଜଂଗଲ ଭିତରେ ରହିଥିବା ଏହି ଦୁର୍ଗମ ଗ୍ରାମରେ ନକ୍ସଲ ପ୍ରତିଦିନ ବିଚରଣ କରୁଥିବାରୁ ଲୋକେ ଭୟରେ କାହାକୁ କିଛି କହୁନଥିବା ଦେଖିବାକୁ ମିଳିଛି।

ସୀମାନ୍ତରେ ବଢ଼ିଲା ନକ୍ସଲ ହିଂସା, ୫ ଟ୍ରକ୍‌ ପୋଡ଼ିଦେଲେ

ମାଲକାନଗିରି : ‘ ଅପରେସନ ମନସୁନ’ ପରେ ମାଲକାନଗିରି ସୀମାନ୍ତ ଛତିଶଗଡରେ ନକ୍ସଲଙ୍କ ହିଂସା ବଢ଼ିବାରେ ଲାଗିଛି। ଗତ ଦୁଇ ଦିନ ମଧ୍ୟରେ ଦନ୍ତେୱାଡା ଜିଲ୍ଲାରେ ୧୦ରୁ ଊର୍ଧ୍ୱ ଗାଡିକୁ ନକ୍ସଲ ପୋଡି ସାରିଲେଣି। ଏଥିସହ ରେଳଲାଇନ୍‌କୁ ମଧ୍ୟ କାଟି ଦେଇଛନ୍ତି। ଏହାପରେ ଆଜି ପୁଣି ନକ୍ସଲ ବଚେଲି ଠାରେ ପାଞ୍ଚଟି ଟ୍ରକ୍‌କୁ ନିଆଁ ଲଗାଇ ପୋଡି ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ଗତକାଲି ରାତିରେ ୪୦ରୁ ୫୦ ନକ୍ସଲ ବଚେଲି ପହଞ୍ଚିଥିଲେ। ସମସ୍ତେ ସାଦା ପୋଷାକରେ ରହିଥିଲେ। କିନ୍ତୁ ସମସ୍ତେ ବନ୍ଧୁକ ସହ ଧନୁତୀର ଧରିଥିଲେ। ଟ୍ରକ୍‌ ଆସୋସିଏସନ୍‌ କାର୍ଯ୍ୟାଳୟକୁ ଯାଇ ଟ୍ରକ୍‌ ଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର