ନକ୍ସଲଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ : ବିଏସଏଫ୍‌ ପକ୍ଷରୁ କମ୍ବିଂ ଅପରେସନ୍‌ ଜୋର୍‌ଦାର୍‌

ବୈପାରିଗୁଡା : କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଦଣ୍ଡାବାଡି ପଞ୍ଚାୟତ ଅନ୍ତର୍ଗତ ରତାଖଣ୍ଡି ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ତେବେ ଦଣ୍ଡାବାଡ଼ି ଠାରେ ବିଏସ୍‌ଏଫ୍‌ କ୍ୟାମ୍ପ କରିଥିବାରୁ ଯବାନଙ୍କୁ ଟାର୍ଗେଟ କରି ଏହି ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିଲା ବୋଲି କୁହାଯାଉଛି। ଅନ୍ୟପଟେ ବିଳମ୍ବିତ ରାତିରେ ଓ କେଉଁ ପରିସ୍ଥିତିରେ ଏମିତି ବିସ୍ଫୋରଣ ହେଲା ତାହାକୁ ନେଇ ପୁଲିସ ଦ୍ୱନ୍ଦ୍ୱରେ ରହିଛି।

ପୂର୍ବରୁ ବି ଏହି ଅଞ୍ଚଳରେ ମାଓବାଦୀ ଲ୍ୟାଣ୍ଡ୍‌ମାଇନ ଖଞ୍ଜି ବିସ୍ଫୋରଣ କରିବାର ନଜିର ରହିଛି। ୨୦୧୬ ମସିହାରେ ଦାନ୍ଦରଖାଲ ଛକ ନିକଟରେ ବିସ୍ଫୋରଣ ହୋଇ ୨ଜଣ ବିଏସ୍‌ଏଫ୍‌ ଯବାନଙ୍କୁ ଉଡ଼ାଇ ଦେଇଥିଲେ ମାଓବାଦୀ। ପୁଣି ଗତକାଲି ରାତିରେ ଘଟଣା ଘଟିଥିବାରୁ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବାକୁ ମତ ପ୍ରକାଶ ପାଇଛି।

ଏ ସମ୍ପର୍କରେ ବୈପାରିଗୁଡା ପୁଲିସ ସହ ଯୋଗାଯୋଗ କରିବାରୁ କିଏ ଓ କାହିଁକି ଏଠାରେ ଲ୍ୟାଣ୍ଡମାଇନ ଲଗାଇଥିଲା, କେଉଁ ପରିସ୍ଥିତିରେ ଫୁଟିଲା ତାହା ଜଣାପଡୁନାହିଁ, ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଆସିଲା ପରେ ଏହା ଜଣାପଡିବ ବୋଲି ପ୍ରକାଶ କରିଛନ୍ତି। ବିଳମ୍ବିତ ରାତି ବିସ୍ଫୋରଣର ଶବ୍ଦ ଶୁଣିବା ପରେ ଘଟଣା ସ୍ଥଳକୁ ଦଣ୍ଡାବାଡି ଓ ରାମଗିରି ବିଏସ୍‌ଏଫ୍‌ କ୍ୟାମ୍ପର ଯବାନ ପହଁଚି ଅଂଚଳକୁ ସିଲ୍‌ କରି ଦେଇଥିଲେ। କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର