ନକ୍ସଲଙ୍କ ଟଙ୍କ‌ା ଖାଇଗଲେ : ୪ ଜଣଙ୍କୁ ମୃତ୍ୟୁଦଣ୍ଡ ପାଇଁ ଫତୁଆ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବଳଦିଆଗୁଡ଼ାର ମରାଯାଇଥିବା ପୋଷ୍ଟରରୁ ପ୍ରଥମଥର ପାଇଁ ନକ୍ସଲଙ୍କ ଅସହାୟତା ସାମ୍‌ନାକୁ ଆସିଛି। ଏହି ପୋଷ୍ଟରରେ ନକ୍ସଲ କିଭଳି ଠକେଇର ଶିକାର ହୋଇଛନ୍ତି, ସେ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପୋଷ୍ଟର ମାରି ନକ୍ସଲ ଗୋଟିଏ ପଟେ ନିଜର ଦୁର୍ବଳ ଭାବକୁ ପଦାରେ ପକାଇଦେଇଛି। ଅନ୍ୟପଟେ ୪ ଜଣଙ୍କୁ ମୃତ୍ୟୁଦଣ୍ଡ ପାଇଁ ଫତୁଆ ଜାରି କରି ନିଜର କ୍ରୋଧକୁ ଜାହିର୍‌ କରିଛି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ କୌତୁହଳ ସୃଷ୍ଟି କରିଛି।

ଆଜି ସକାଳେ ବଳଦିଆଗୁଡ଼ାରେ ଥିବା ଏକ ଗଛରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା। ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଥିଲା ଯେ, ଆଦୁ ଗଲୋରୀ, ଶିକ୍ଷକ ରାମନାଥ ନାୟକ, ସୁନାଧର ଭୁମିଆ ଏବଂ ଜେସୁ ରାଉତ ପ୍ରମୁଖ ନକ୍ସଲଙ୍କ ଟଙ୍କାକୁ ହଡ଼ପ କରି ନେଇଛନ୍ତି। ତେଣୁ ଏମାନଙ୍କୁ ଯଥାଶୀଘ୍ର ମୃତ୍ୟୁଦଣ୍ଡ ଦିଆଯିବ। ମୃତ୍ୟୁଦଣ୍ଡ ଫତୱାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଥିଲା। ନକ୍ସଲମାନେ କେଉଁଠୁ କେତେ ଟଙ୍କା ଆଣିଲେ ଏବଂ ଏହି ୪ ଜଣଙ୍କୁ ଦେଲେ, ତାହାକୁ ନେଇ ଆଲୋଚନା ଦାନା ବାନ୍ଧିଥିଲା।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ନକ୍ସଲ ସଂଗଠନ ଚଲାଇବା ପାଇଁ ବିଭିନ୍ନ ଶିଳ୍ପସଂସ୍ଥା, ଠିକାଦାର ଏବଂ ଅଧିକାରୀଙ୍କ ଠାରୁ ସମୟ ସମୟରେ ବଟି ଆଦାୟ କରିଥା’ନ୍ତି। ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ବେଳେ ତାହାକୁ ସେମାନେ ସିଧାସଳଖ ଗ୍ରହଣ କରିନଥା’ନ୍ତି। ଯେଉଁ ଅଞ୍ଚଳରେ କ୍ୟାମ୍ପ କରନ୍ତି କିମ୍ବା ଅଧିକ ଚଳପ୍ରଚଳ କରିଥାନ୍ତି ସେହି ଅଞ୍ଚଳର ଲୋକଙ୍କୁ ଟଙ୍କା ଆଣିବାକୁ ପଠାଇଥା’ନ୍ତି। ସଦ୍ୟତମ ଘଟଣାରେ ବି ସେମାନେ କିଛି ଲୋକଙ୍କୁ ଟଙ୍କା ଆଣିବାକୁ ପଠାଇଥିଲେ। ତେବେ ଟଙ୍କା ଆଦାୟ ପରେ ସେହି ଲୋକମାନେ ସଂଗଠନକୁ ଟଙ୍କା ଦେବା ବଦଳରେ ନିଜେ ଆତ୍ମସାତ କରି ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ସନ୍ଧାନ କରି ବିଫଳ ହେବାପରେ ନକ୍ସଲ ଏହି ପୋଷ୍ଟର ମାରିଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର