ସୀମାନ୍ତରେ ନକ୍ସଲଙ୍କ ପ୍ରଜାମେଳି : ସାମିଲ୍‌ ହେଲେ କ୍ୟାଡର ନକ୍ସଲ ନେତା

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣିଥରେ ନକ୍ସଲଙ୍କ ପ୍ରଜାମେଳ ଦେଖିବାକୁ ମିଳିଛି। ସୁକମା-ବିଜାପୁର ଅଂଚଳରେ ହୋଇଥିବା ଏହି ମେଳିରେ ବହୁ କ୍ୟାଡର ନକ୍ସଲ ନେତା ସାମିଲ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଏହି ପ୍ରଜାମେଳିରେ ନକ୍ସଲମାନେ ନିଜର ପତିଆରା ଦେଖାଇବା ପାଇଁ ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଥିଲେ। ଏହାପରେ ସଂଗଠନକୁ ସହଯୋଗ କରିବା ପାଇଁ ଲୋକମାନଙ୍କଠାରୁ ସମର୍ଥନ ଲୋଡ଼ିଥିଲେ। ଏବଂ, ଆଗକୁ ଜଳ, ଜଙ୍ଗଲ ଓ ଜମି ପାଇଁ ଲଢେଇ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ।

ନକ୍ସଲମାନଙ୍କ ଏହି ପ୍ରଜାମେଳିକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ଶୁଣିବାକୁ ମିଳୁଛି ଯେ, ଗ୍ରାମବାସୀଙ୍କୁ ଢାଲ କରି ବଡଧରଣର ହିଂସାକାଣ୍ଡ ଘଟାଇବାକୁ ନକ୍ସଲମାନେ ଯୋଜନା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହିଭଳି ଏକ ପ୍ରଜାମେଳିର ଆୟୋଜନ କରିଛନ୍ତି। ପୂର୍ବରୁ ମଧ୍ୟ ଏହିଭଳି ଘଟଣା ଘଟିଥିବା ନଜିର୍‌ ରହିଛି। କିଛି ବଡ ଘଟଣା ଘଟାଇବା ପୂର୍ବରୁ ହିଁ କ୍ୟାଡର ନକ୍ସଲ ଏକାଠି ହୁଅନ୍ତି। ହିଂସାକାଣ୍ଡ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ପରେ ହିଁ ଗ୍ରାମବାସୀଙ୍କୁ ସେଥିରେ ସାମିଲ କରାନ୍ତି। ବାରମ୍ବାର ଆକ୍ରମଣ ଯୋଗୁଁ ଦୁର୍ବଳ ହେଉଥିବା ସଂଗଠନ ନିଜ ଲଢେଇକୁ ନିର୍ଣ୍ଣାୟକ ମୋଡ ଦେବାକୁ ଗତ କିଛି ମାସ ହେଲା ପ୍ରସ୍ତୁତି ଆରମ୍ଭ କରିଛି। ବଛା ବଛା କ୍ୟାଡର ନକ୍ସଲଙ୍କୁ ନେଇ ଛତିଶଗଡରେ ନୂଆ କମିଟି ବି ଗଠନ କରି ସାରିଛି।

ଅନ୍ୟ ଏକ ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଗୁଇନ୍ଦା ବିଭାଗ ନିକଟରେ ଏନେଇ ବିସ୍ତତ ତଥ୍ୟ ରହିଛି। ପୁଲିସ ମଧ୍ୟ ନକ୍ସଲଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି। ବିଶେଷ କରି କ୍ୟାଡର ନକ୍ସଲଙ୍କ ସଂପୃକ୍ତିକୁ ପୁଲିସ ଗୁରୁତ୍ୱ ଦେଇ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି। ଏଥିପାଇଁ ପୁଲିସ ପକ୍ଷରୁ ସୁରକ୍ଷା କର୍ମୀଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ତେବେ, ଛତିଶଗଡ ସୀମାକୁ ଲାଗି ରହିଥିବାରୁ ମାଲକାନଗିରି ଉପରେ ବି ଏଭଳି ମେଳିର ପ୍ରଭାବ ପଡିବ ବୋଲି ମତ ପ୍ରକାଶ ପାଇଛି। ତେଣୁ ଆଗକୁ ନକ୍ସଲ କ’ଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର