ଛତିଶଗଡ଼ ଦଣ୍ଡକାରଣ୍ୟ ମାଓ ସଙ୍ଗଠନ ଜାରି କଲା ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷର ଭିଡିଓ, ପତିଆରା ଜାହିର ଲାଗି ପ୍ରୟାସ
ମାଲକାନଗିରି: ମାଓବାଦୀମାନେ ଯେତେବେଳେ ପୁଲିସ ବିରୋଧରେ ସଫଳ ହୋଇଥାଆନ୍ତି କିମ୍ବା ନିଜର ତାଲିମ୍ ପ୍ରକ୍ରିୟା ସମ୍ପର୍କରେ ଜଣାଇବା ପାଇଁ ଚାହିଁଥାଆନ୍ତି ସେତେବେଳେ ଏକ ଭିଡିଓ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରି ତାହାକୁ ପ୍ରସାରିତ କରିଥାଆନ୍ତି । ସୋମବାର ବି ଏଭଳି ଏକ ଡକ୍ୟୁମେଣ୍ଟାରିକୁ ମାଓବାଦୀମାନେ ଜାରି କରିଛନ୍ତି। ଏଥିରେ ମାଓବାଦୀ ନିଜର ରଣ କୌଶଳ ସମ୍ପର୍କରେ ସୂଚିତ କରିଥିବା ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ମାର୍ଚ୍ଚ ୨୧ ତାରିଖରେ ଛତିଶଗଡ଼ର ସୁକମା ଜିଲ୍ଲାର ମୀନାପା ଜଙ୍ଗଲରେ ହୋଇଥିବା ଏନ୍କାଉଣ୍ଟରର ଭିଡିଓ ସହ ମାଓ ସଙ୍ଗଠନ ୧୨ ମିନିଟ୍ର ଏକ ଡକୁମେଣ୍ଟାରି ପ୍ରସାର କରିଛି । ଏହି ଭିଡିଓରେ ମୀନାପା ଜଙ୍ଗଲରେ ଗୁଳିର ଶବ୍ଦ ଠାରୁ ଆରମ୍ଭ କରି ମାଓବାଦୀ ଓ ପୁଲିସ ସହିତ ଲଢ଼େଇ, ଏନ୍କାଉଣ୍ଟର ଶେଷ ହେବା ପରେ କିଭଳି ସହିଦ ହୋଇଥିବା ଯବାନମାନେ ଜଙ୍ଗଲରେ ପଡ଼ି ରହିଛନ୍ତି ତାହାର ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି।
କେବଳ ଏତିକି ନୁହେଁ, ଜଙ୍ଗଲ ମଧ୍ୟରେ ଶହଶହ ମାଓବାଦୀଙ୍କ ଶୋଭାଯାତ୍ରା ସହ ସେମାନଙ୍କର ଶକ୍ତି ପ୍ରଦର୍ଶନର ଚିତ୍ର ମଧ୍ୟ ରହିଛି ଏହି ଭିଡିଓରେ। ଏଥିସହିତ ମାଓ ଏନ୍କାଉଣ୍ଟରର କିଛି ପେପର କଟିଂ ଓ ଅତ୍ୟାଧୁନିକ ବନ୍ଧୁକ, ଜୀବନ୍ତ ଗୁଳି ସହ ପୁଲିସଠାରୁ ଲୁଟିଥିବା ସାମଗ୍ରୀର ଚିତ୍ର ଓ ଏନ୍କାଉଣ୍ଟରରେ ସଙ୍ଗଠନର ତିନିଜଣ ଆଗ ଧାଡ଼ିର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଚିତ୍ରକୁ ବି ଏଥିରେ ସାମିଲ କରାଯାଇଛି।
ଆହୁରି ଆଦିବାସୀ ଗାଁ ଭିତରେ ପଶି କିପରି ଗ୍ରାମବାସୀଙ୍କୁ ଖାଦ୍ୟ ମାଗି ଖାଇଥାଆନ୍ତି ତାର ବି ଭିଜୁଆଲ ଏଥିରେ ଦେଖାଇଛନ୍ତି ମାଓବାଦୀ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବିରୋଧ କରିବା ସହ ପୁଞ୍ଜିପତିମାନଙ୍କୁ ସରକାର ସହାୟତା କରୁଥିବା ମାଓ ସଙ୍ଗଠନ ଅଭିଯୋଗ ମଧ୍ୟ କରିଛି।