ବିଚ୍ଛିନ୍ନାଞ୍ଚଳରେ ବଞ୍ଚିଛି ମାଓ ବିଚାରଧାରା : ସାଥୀଙ୍କ ଉଦ୍ଦେଶ୍ୟରେ ଗଢ଼ିଛନ୍ତି ସ୍ମୃତିଭବନ, ସହିଦ ସ୍ତମ୍ଭ

ମାଲକାନଗିରି : ପୁଲିସ ଓ ବିଏସ୍‌ଏଫ୍‌ ସହ ବାରମ୍ବାର ବଳ କଷାକଷି ପରେ ଶକ୍ତି ହରାଇଛନ୍ତି ମାଓବାଦୀ। ତେଣୁ ନିଜ ସୁରକ୍ଷିତ ଗଡ଼ରେ ଏବେ ଅସୁରକ୍ଷିତ ହୋଇଯାଇଛନ୍ତି। କାଁଭାଁ ବୈଠକ କରି ବଳ ଗୋଟାଇବାକୁ ଚେଷ୍ଟା କରୁଛନ୍ତି। ତଥାପି ବିଶେଷ ସଫଳତା ମିଳୁନଥିବା ବେଳେ ଲୋକେ ବି ବିକାଶ ପହଞ୍ଚିବା ପରେ ସମର୍ଥନ କରିବାକୁ ସେତେଟା ଆଗ୍ରହ ଦେଖାଉନାହାନ୍ତି। ଏଥିପାଇଁ ନିଜ ବିଚାରଧାରାକୁ ବଞ୍ଚାଇ ରଖିବାକୁ କିଛି ସ୍ଥାୟୀ ସ୍ମୃତିସ୍ଥଳ ମାଲକାନଗିରି ଜିଲ୍ଲାରେ ଛାଡ଼ି ଯିବାକୁ ଯୋଜନା କରିଛନ୍ତି। ପତିଆରା କମିବା ପରେ ଏହି ସ୍ମୃତିସ୍ଥଳ ଗୁଡ଼ିକ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି।

ବିଚ୍ଛିନ୍ନାଞ୍ଚଳର ଯଡ଼ାମ୍ବ ପଞ୍ଚାୟତଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ରାସ୍ତା ଉପରେ ରହିଛି ଗୋଟିଏ ଭବନ। ଏହି ଭବନ ନିକଟରେ ରହିଛି ବିରାଟ ସହିଦସ୍ତମ୍ଭ। ନାଲି ସ୍ତମ୍ଭ ସହ ନାଲି କୋଠା ହିଁ ଦୂରରୁ ସୂଚାଇ ଦେଉଛି ନକ୍ସଲଙ୍କ ଉପସ୍ଥିତି। କାରଣ ଏହି ଭବନଟି ନକ୍ସଲଙ୍କ ବିଚାରଧାରା ଏବଂ ଇତିହାସକୁ ବଖାଣୁଛି। ରାମଗୁଡ଼ା ଏନକାଉଣ୍ଟରରେ ପ୍ରାଣ ହରାଇଥିବା ନକ୍ସଲଙ୍କ ଉଦ୍ଦେଶ୍ୟରେ ସାଥୀ ନକ୍ସଲ ଏହାକୁ ନିର୍ମାଣ କରିବା ସହ ସମର୍ପିତ କରିଛନ୍ତି।

ସ୍ମୃତିଭବନକୁ ତାର ଜାଲିରେ ସୁରକ୍ଷିତ ରଖାଯାଇଛି। ମୁଖ୍ୟ ଫାଟକରେ ବଡ଼ ତାଲା ପଡ଼ିଥିବା ବେଳେ ଭିତରକୁ ପଶିଲେ ଦେଖିବାକୁ ମିଳିବ ଗୋଟିଏ ବିରାଟ ବ୍ୟାନର। ଯେଉଁଥିରେ ରାମଗୁଡ଼ା ଏନକାଉଣ୍ଟରରେ ପ୍ରାଣ ହରାଇଥିବା କମ୍ରେଡଙ୍କ ଫଟୋ ସହ ବିବରଣୀ ରହିଛି। ସେହିପରି କିଛି କ୍ୟାଡର ମାଓବାଦୀଙ୍କ ସଂପୂର୍ଣ୍ଣ ବିବରଣୀ ରହିଥିବା ବେଳେ ପଦବି ଅନୁଯାୟୀ କ୍ରମାନ୍ବୟରେ ସଜାଯାଇଛି। ଉଭୟ ମହିଳା ଏବଂ ପୁରୁଷ ମାଓବାଦୀଙ୍କ ଫଟୋ ରହିଛି। ବଡ଼ କଥା ହେଲା; ବ୍ୟାନରରେ ଯାହା ବି ବିବରଣୀ ରହିଛି ତେଲୁଗୁ ଭାଷାରେ ଲେଖାଯାଇଛି। ଏଥିରୁ ଆନ୍ଧ୍ର ନକ୍ସଲଙ୍କ ପତିଆରା ଏଠାରେ ରହିଥିବା ସ୍ପଷ୍ଟ ହୋଇଯାଉଛି। ସ୍ମୃତିଭବନ ନିକଟ ସହିଦସ୍ତମ୍ଭରେ ପ୍ରତିବର୍ଷ ସହିଦ ସପ୍ତାହ ପାଳନ ହୁଏ। ପିଏଲଜିଏ ସପ୍ତାହରେ ମଧ୍ୟ ଏଠାରେ ହଜାର ହଜାର ଗ୍ରାମବାସୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରନ୍ତି ନକ୍ସଲ। ସ୍ମୃତି ଭବନକୁ ବିଦ୍ୟୁତ ସଂଯୋଗ କରାଯାଇଛି। ଭିତରେ ଥିବା କଠୋରିରେ ତାଲା ପଡ଼ିଥିବାରୁ କଣ ସବୁ ରହିଛି ଭଲ ରୂପେ ଦେଖାଯାଉନି। ତଥାପି ଝରକା ପଟେ ଦେଖିଲେ କିଛି କଂସାବାସନ ସହ ଦୈନନ୍ଦିନ ସାମଗ୍ରୀ ରହିଥିବା ଦେଖିବାକୁ ମିଳିଛି।

ଏଥିରୁ ଜଣାପଡ଼ୁଛି, ନକ୍ସଲ ଏଠାକୁ ନିୟମିତ ଆସନ୍ତି। ମଝିରେ ମଝିରେ ରାତ୍ରିଯାପନ ମଧ୍ୟ କରିଥାନ୍ତି। ସାଜସଜ୍ଜା ସାଧାରଣ ହୋଇଥିଲେ ବି ପରିଷ୍କାର ପରିବେଶ ସାଙ୍ଗକୁ ଫୁଲ ଓ ଫଳ ଗଛ ସବୁ ଲଗାଯାଇଛି। ମାଓବାଦୀ ଏବଂ ସମର୍ଥକ ନିୟମିତ ବ୍ୟବଧାନରେ ଏଠାକୁ ଆସି ସଫାସୁତୁରା କରୁଥିବା ଜଣାପଡ଼ିଛି। ଦୁଇ ବର୍ଷ ତଳେ ଏହି କୋଠାକୁ ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି।

କେବଳ ଯଡ଼ାମ୍ବ ନୁହଁ ଗୋରାସେତୁ, ତୋଟାଗୁଡ଼ାରେ ଭଳି ଅନେକ ସ୍ଥାନରେ ମାଓବାଦୀ ଏମିତି ସହିଦସ୍ତମ୍ଭ ଏବଂ ସ୍ମୃତିଭବନ ନିର୍ମାଣ କରିଛନ୍ତି। ପୂର୍ବରୁ ମାଓବାଦୀଙ୍କ ଏହି ଗଡ଼କୁ ପଶିବା ପାଇଁ କେହି ସାହସ ଜୁଟାଇ ପାରୁନଥିଲେ। ତେଣୁ ମାଓବାଦୀଙ୍କ ଏହି କୋଠା ବିଷୟରେ କେହି କିଛି ଜାଣିପାରୁ ନଥିଲେ। ଯଦିଓ ଜାଣୁଥିଲେ, ମାଓବାଦୀଙ୍କ ଭୟ ଯୋଗୁଁ ବାହାରେ କାହାକୁ କିଛି କହୁନଥିଲେ। ଏବେ ଯଡ଼ାମ୍ବକୁ ପ୍ରଶାସନ ତରଫରୁ ରାସ୍ତା ତିଆରି ହୋଇଯାଇଥିବା ବେଳେ ପୁଲିସ ଏବଂ ସୁରକ୍ଷାକର୍ମୀ ଏଠାକୁ ପହଞ୍ଚି ପାରୁଛନ୍ତି କି ନାହିଁ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର