ନକ୍ସଲଙ୍କ ଟା‌ର୍ଗେଟରେ ଆହୁରି ୧୦ପରିବାର; ବିସ୍ଥାପିତ ହେବେ, ଆତଙ୍କରେ ଅଛନ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିକୁ ଅକ୍ତିଆର କରି ସାରିଲେଣି ନକ୍ସଲ। ଘନଘନ ପାଇଁତରା ମାରିବା ସହ ପ୍ରତିଦିନ ପ୍ରଜାକୋର୍ଟର ଆୟୋଜନ କରୁଥିବା ସୂଚନା ମିଳିଛି। ପୁଲିସ୍‌ର ଗତିବିଧି ଉପରେ ନଜର ରଖି ସାଧାରଣ ଲୋକଙ୍କ ସହ ମିଳାମିଶା ବି ବଢ଼ାଇ ଦେଇଛନ୍ତି। ଯାହାଉପରେ ସନ୍ଦେହ ହେଲା ଉଠାଇ ନେଉଛନ୍ତି। ମାର୍‌ପିଟ୍ କରି ପଚରାଉଚୁରା କରୁଛନ୍ତି। ଏହି ଅଞ୍ଚଳର ପ୍ରାୟ ୧୦ଟି ପରିବାର ଏବେ ନକ୍ସଲଙ୍କ ଟାର୍ଗେଟରେ ରହିଥିବା ଜଣାପଡ଼ିଛି। ବଣ୍ଡାଘାଟିରେ ଗତ କିଛିଦିନ ହେଲା ଏଭଳି ଭାବେ ବଢ଼ିଛି ମାଓବାଦୀଙ୍କ କାର୍ଯ୍ୟକଳାପ। ତେଣୁ ଯେ, କୌଣସି ମୁହୂର୍ତରେ ବଣ୍ଡାଘାଟିରେ କିଛି ବଡ଼ଧରଣର ହିଂସାକାଣ୍ଡ ଘଟିବ ବୋଲି ଅନୁମାନ କରାଯାଉଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମାଓ କମାଣ୍ଡର ରାକେଶର ମୃତ୍ୟୁ ସଂଗଠନ ପାଇଁ ଥିଲା ଶକ୍ତ ଝଟ୍‌କା। ଏହି ଦୁର୍ଦାନ୍ତ ନକ୍ସଲର ମୃତ୍ୟୁ ପରେ ବଡ଼ଧରଣର ଶୂନ୍ୟସ୍ଥାନ ସଂଗଠନରେ ସୃଷ୍ଟି ହୋଇଛି। ଏହାର ଭରଣା ପାଇଁ କେନ୍ଦ୍ରୀୟ କମିଟି ବିଚାର କରୁଥିବା ବେଳେ ଅନ୍ୟପଟେ କ୍ୟାଡର ନକ୍ସଲ ପ୍ରତିଶୋଧ ନେବାକୁ ଆଗକୁ ଆସିଛନ୍ତି। ଯାହାର ପ୍ରଭାବ ଏବେ ବଣ୍ଡାଘାଟି ଉପରେ ପଡ଼ିଛି। ଖଇରପୁଟ ବ୍ଲକର କେନ୍ଦୁଗୁଡା ପଞ୍ଚାୟତ ଅନ୍ତର୍ଗତ ପାକନାଗୁଡା ଏବଂ ଡାବଗୁଡା ଅଂଚଳରେ ପୁଲିସର ସୂଚନାଦାତାଙ୍କୁ ଖୋଜୁଛନ୍ତି। ନିରୀହ ଲୋକଙ୍କ ଉପରେ ମଧ୍ୟ ନିର୍ଯାତନା ବଢ଼ିଥିବା ଜଣାପଡ଼ିଛି। ଏହି ଅଞ୍ଚଳର ଆହୁରି ଦଶ ପରିବାରକୁ ଟେର୍ଗେଟରେ ରଖିଛନ୍ତି ବୋଲି ଖବର ମିଳିଛି। ଏଥିପାଇଁ ପ୍ରତିଦିନ ଘଞ୍ଚ ଜଙ୍ଗଲରେ ପ୍ରଜାକୋର୍ଟ ହୋଇ ବିଚାର ପ୍ରକ୍ରିୟା ଚାଲିଛି। ସେହିପରି ଗାଁରୁ କିଏ ବାହାରକୁ ଯାଉଛି, କାହା ପାଖରେ ମୋବାଇଲ ଫୋନ ରହିଛି, କାହାର ପୁଲିସ ସହ ସଂପର୍କ ରହିଛି ତାହାର ଯାଞ୍ଚ ବି କ୍ୟାଡର ନକ୍ସଲ କରୁଛନ୍ତି। ଠୋସ୍ ପ୍ରମାଣ ମିଳିବା ପରେ ସେମାନଙ୍କୁ ପ୍ରଜାକୋର୍ଟରେ ହାଜର କରି ଦଣ୍ଡ ଦେବାକୁ ସଂଗଠନ ନିଷ୍ପତ୍ତି ନେଇଛି। ଦଣ୍ଡସ୍ବରୂପ ଏହି ପରିବାରକୁ ବିସ୍ଥାପିତ କରାଯିବ ବୋଲି ଶୁଣିବାକୁ ମିଳୁଛି।

ଗତକାଲି ଶିଶା ପରିବାରର ୧୩ ଜଣ ସଦସ୍ୟ ନିର୍ଯାତିତ ହୋଇ ଗାଁ ଛାଡ଼ିଥିଲେ। ଜଂଗଲରେ ଚାଲି ଚାଲି କୁଡୁମୁଲୁଗୁମ୍ମା ପହଞ୍ଚି ଅସ୍ଥାୟୀ ସ୍ଥାନ‌ରେ ଲୁଚି ରହିଛନ୍ତି। ତଥାପି ଏମାନଙ୍କ ଉପରେ ନକ୍ସଲ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା କରି ପୂରା ପରିବାର ଭୟଭୀତ ଅବସ୍ଥାରେ ରହିଛି। ଗତ ୧୫ଦିନ ହେଲା ନକ୍ସଲଙ୍କ ଏମିତି ଆକ୍ରମଣାତ୍ମକ ଆଭିମୁଖ୍ୟ ଚିନ୍ତା ବଢ଼ାଇ ଦେଇଛି। ପୁଲିସ-ନକ୍ସଲଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଲାଗି ରହିଥିବା ଛକାପଞ୍ଝା ମଧ୍ୟରେ ନିରୀହ ଲୋକ ବଳି ପଡିଯାଉଥିବା ଅଭିଯୋଗ ହୋଇଛି। ଏମିତି ଭୟ ଏବଂ ଆତଙ୍କିତ ବାତାବରଣ ମଧ୍ୟରେ ଲୋକେ ଘାଣ୍ଟି ହେଉଛନ୍ତି। ତେଣୁ ପୁଲିସ ପ୍ରଶାସନ ତରଫରୁ ସେମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ନିବେଦନ କରାଯାଇଛି। ବିଏସ୍‌ଏଫ୍‌, ଏସ୍‌ଓଜି ଏବଂ ଡିଭିଏଫ୍‌ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରିବାକୁ ବି ପରାମର୍ଶ ଦିଆଯାଇଛି। କୌଣସି ପରିବାର ପୁଣ ବେଘର ହେବା ପୂର୍ବରୁ ସରକାର ଏଠାକାର ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ନକ୍ସଲ ବିରୋଧୀ ସଂଗଠନ ଏଏନପିପିଏଫ ଦାବି କରିଛି। ବିସ୍ଥାପିତଙ୍କୁ ମଧ୍ୟ ଥଇଥାନ କରିବା ପାଇଁ ଏହି ସଂଗଠନ ଦାବି କରିଛି।

ସମ୍ବନ୍ଧିତ ଖବର