ବଣ୍ଡାଘାଟିରେ ଚାଲିଛି ନକ୍ସଲରାଜ, ଗାଁ ଛାଡ଼ିଲେ ଦୁଇ ପରିବାର

ରାକେଶ ମୃତ୍ୟୁର ପ୍ରତିଶୋଧ, ପ୍ରଜାକୋର୍ଟରେ ନିସ୍ତୁକ ପିଟିଲେ

ମାଲକାନଗିରି : ରକ୍ତମୁଖା ଲାଲ ବାହିନୀ। ବଣ୍ଡାଘାଟିକୁ ନିଜ ଅକ୍ତିଆରେ ରଖିଛନ୍ତି। ଦିନରେ ବି ଗାଁ ଗାଁ ବୁଲୁଛନ୍ତି। ଲୋକଙ୍କୁ ଉଠାଇ ନେଇ ପଚରା ଉଚୁରା କରୁଛନ୍ତି। ଯାହା ଉପରେ ସନ୍ଦେହ ହେଲା ନିସ୍ତୁକ ପିଟୁଛନ୍ତି। ପ୍ରଜାକୋର୍ଟରେ ହାଜର କରି ଅପମାନିତ କରୁଛନ୍ତି। ଗତ କିଛି ଦିନ ହେଲା ମାଲକାନଗିରି ଜିଲ୍ଲା ଖଇରପୁଟ ବଣ୍ଡାଘାଟିରେ ଏମିତି ନକ୍ସଲରାଜ ଚାଲିଛି। ପ୍ରତିଶୋଧ ପରାୟଣ ହୋଇ ନକ୍ସଲ ନିରୀହ ଲୋକଙ୍କ ଉପରେ ଏମିତି ଜୁଲମ କରି ଚାଲିଛନ୍ତି।

ଗତମାସରେ ମାଲକାନଗିରି ପୁଲିସ ବଡ଼ଧରଣର ମାଓ ଅପରେସନ କରିଥିଲା। କେନ୍ଦୁଗୁଡା ପଞ୍ଚାୟତର ଡାବଗୁଡା ଜଙ୍ଗଲରେ ଚାଲିଥିବା ନକ୍ସଲ ଶିବିରକୁ ଧ୍ବଂସ କରିଥିବା ବେଳେ ପୁଲିସ ଗୁଳି ନିହତ ହୋଇଥିଲା ପ୍ଲାଟୁନ କମାଣ୍ଡର ଦୁର୍ଦାନ୍ତ ରାକେଶ। ଏହାପରେ ମାଓବାଦୀଙ୍କ ପତିଆରା କମିବ ବୋଲି ପୁଲିସ ଅନୁମାନ କରୁଥିଲା। ନକ୍ସଲ ମଧ୍ୟ କିଛି ଦିନ ପାଇଁ ଚୁପ୍ ରହିଲେ। ସୁରକ୍ଷିତ ସ୍ଥାନ ଖୋଜି ଆତ୍ମଗୋପନ କଲେ। କିନ୍ତୁ ପୁଲିସର ସବୁ ଅନୁମାନକୁ ଭୁଲ ସାବ୍ୟସ୍ତ କରି ଏବେ ପ୍ରତିଶୋଧ ପରାୟଣ ହୋଇଛନ୍ତି ନକ୍ସଲ। ପୂରା ବଣ୍ଡାଘାଟିକୁ ନିଅ ଅଧୀନକୁ ଏକ ପ୍ରକାର ନେଇ ଯାଇଛନ୍ତି। ଦୁର୍ଗମ ଅଞ୍ଚଳରେ ପଶି ପୁଲିସ ଅପରେସନରେ ସହଯୋଗ କରୁଥିବା ସୂଚନାଦାତାଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବା ସହ ନକ୍ସଲଙ୍କ ଆକ୍ରୋଶର ଶିକାର ମଧ୍ୟ ହେଉଛନ୍ତି। ଯାହାଫଳରେ ଦୁଇଟି ପରିବାରର ମୋଟ ୧୩ଜଣ ସଦସ୍ୟ ଗାଁ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।

ଦିନରେ ବି ନକ୍ସଲ ଘନଘନ ପଇଁତରା ମାରୁଥିବା ସୂଚନା ମିଳିଛି। ଗାଁରେ ପଶି ଲୋକଙ୍କୁ ଉଠାଇ ନେଇ ପଚରା ଉଚୁରା କରୁଛନ୍ତି। ଯଦି ପୁଲିସ ସହ କିଛି ଲିଙ୍କ୍ ମିଳୁଛି ତେବେ ନିସ୍ତୁକ ପିଟୁଛନ୍ତି। ତୁରନ୍ତ ଗାଁ ଛାଡ଼ି ଚାଲିଯାଅ, ନଚେତ ମୃତ୍ୟୁର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହ ବୋଲି ଚେତାବନୀ ଦେଉଛନ୍ତି। ଏମିତି ଧମକ ମିଳିବା ପରେ ବଣ୍ଡାଘାଟିର ସୁରେନ୍ଦ୍ର ଶିଶା ଏବଂ ସୁବାସ ଶିଶା ପରିବାର ସହ ଗାଁ ଛାଡ଼ି ସୁରକ୍ଷିତ ଠିକଣା ଖୋଜୁଛନ୍ତି। ସେମାନଙ୍କ କହିବା ହେଲା, ପୁଲିସ ସୂଚନାଦାତା ଆଖ୍ୟା ଦେଇ ନକ୍ସଲ ସେମାନଙ୍କ ଘର ଭାଙ୍ଗି ଦେଲେ। ଘରେ ଥିବା ସମସ୍ତ ଆସବାବପତ୍ରକୁ ବାହାରେ ଫୋପାଡି ଦେଲେ। ୫ଏକର ଜମିରେ କରିଥିବା ଧାନ ଫସଲ କାଟିବାକୁ ବାରଣ କରିଥିଲେ। ଗାଁରେ ସଭା କରି ଗ୍ରାମବାସୀ ଏହି ୫ଏକର ଫସଲ ନିଜ ନିଜ ମଧ୍ୟରେ ବାଣ୍ଟି ନେବାକୁ ନିର୍ଦେଶ ଦେଇଥିଲେ। ଏମିତି ନିର୍ଯାତିତ ହୋଇ ଉଭୟ ପରିବାରର ୧୩ଜଣ ସଦସ୍ୟ ରାସ୍ତାକୁ ଚାଲି ଆସିଛନ୍ତି। ସୁରକ୍ଷା ପାଇଁ ଖଇରପୁଟ ପହଞ୍ଚି ମୁଦୁଲୁପଡା ଥାନାରେ ଏତଲା ଦେଇଛନ୍ତି।

ମାଓବାଦୀଙ୍କ ବର୍ବରତା ସଂପର୍କରେ ଉପରୋକ୍ତ ଦୁଇ ପରିବାର ଏସପି ଋଷିକେଶ ଖିଲାରୀଙ୍କୁ ଭେଟି ଜଣାଇଛନ୍ତି। ଏହି ଘଟଣାକୁ ଏସପି ସ୍ବୀକାର କରିବା ସହ ଦୁଇ ପରିବାରକୁ କିଭଳି ସହଯୋଗ ଦିଆଯାଇ ପାରିବ ସେନେଇ ପଦକ୍ଷେପ ଗ୍ରହଣ କରୁଥିବା କହିଛନ୍ତି। ଅନ୍ୟପଟେ ହାର୍ଡକୋ‌ର ନକ୍ସଲ ରାକେଶର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ନକ୍ସଲ। ନିଜ ରଣନୀତି ଏବଂ ଆଭିମୁଖ୍ୟରେ ପରିବର୍ତ୍ତନ କରି ଆତଙ୍କ ସୃଷ୍ଟି କରୁଛନ୍ତି। ପାକନାଗୁଡା ଏବଂ ଡାବଗୁଡା ଅଂଚଳରେ ବହୁ ସଂଖ୍ୟାରେ ମିଲିସିଆଙ୍କୁ ନେଇ କ୍ୟାଡର ମାଓବାଦୀ ଘୂରି ବୁଲୁଥିବା ନେଇ କିଛି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, କିଛି ମାସ ତଳେ ଅନୁରୂପ ଭାବେ ନକ୍ସଲ ଭୟରେ ମାଥିଲି ବ୍ଲକର ତୁଳସୀ ଏବଂ କେରମିଟି ଗ୍ରାମର କିଛି ଲୋକ ଗାଁ ଛାଡି ଆସିଥିଲେ। ମାଥିଲି ନିକଟସ୍ଥ ଗାଙ୍ଗରାଜପାଲୀ ଗ୍ରାମରେ ଏମାନେ ଏବେ ବସବାସ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର