ପୁଣି ଲାଲ୍ ଆତଙ୍କ : କଳାହାଣ୍ଡିରେ ଜେସିବି ପୋଡ଼ିଲେ

ମ.ରାମପୁର : ସୋମବାର କଳାହାଣ୍ଡି ଜିଲ୍ଲା ମ.ରାମପୁର ଉର୍ଲାଦାନୀ ପଂଚାୟତର ଲାହାଡ଼ି ପିଡ଼େଲପଡ଼ାର ଅନୀଲ ମାଝୀଙ୍କୁ ପୁଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀ ହତ୍ୟା କରିଥିବାବେଳେ ଆଜି (ଗୁରୁବାର) ଏକ ଠିକା କମ୍ପାନିର ଜେସିବି ପୋଡ଼ି ଦେଇଛନ୍ତି। ରକ୍ତମୁଖା ଲାଲ୍‌ବାହିନୀର ତାଣ୍ଡବ ସମଗ୍ର ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ୫୯ ନଂ.ଜାତୀୟ ରାଜପଥର ମ.ରାମପୁର-ଉର୍ଲାଦାନୀ ରାସ୍ତା କେନ୍ଦୁଘାଟି ନିକଟରେ ବୁଧବାର ରାତି ପ୍ରାୟ ୧ଟା ସମୟରେ ୪୦ ରୁ ଅଧିକ ସଶସ୍ତ୍ର ମାଓବାଦୀ ଆସି ଠିକା କମ୍ପାନି ଏଆରଏସଏସ ଦ୍ବାରା ନିର୍ମାଣାଧୀନ ଏକ ପୋଲରେ ଥିବା ଜେସିବି ଗାଡ଼ିକୁ ପୋଡ଼ି ଦେଇଛନ୍ତି। ଏହାସହିତ ଗଛ କାଟି ରାସ୍ତା ଅବରୋଧ କରିଥିଲେ।

ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଇଥିବା ଦେଖାଯାଇଥିଲା। ପରେ ଉକ୍ତରେ ରାସ୍ତା ଆସୁଥିବା ଗାଡ଼ି ଚାଳକ ତଥା ଲୋକେମାନେ ରାସ୍ତାରୁ ଗଛ ହଟାଇବାରୁ ଗାଡ଼ି ଚଳାଚଳ ସ୍ୱାଭାବିକ ହେଇଥିଲା। ଏଠାରେ ଲଗାଯାଇଥିବା ପୋଷ୍ଟର‌ରେ ପୁଲିସ ଗୁଇନ୍ଦା ସଂସ୍ଥା ଓ ଖବରଦାତାଙ୍କୁ ଧମକ ଦିଆଯାଇଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଗତକାଲି ରାତିରେ ୪୦ ଜଣ ସଶସ୍ତ୍ର ମାଓବାଦୀ କେନ୍ଦୁଘାଟି ମା’ବନଦୁର୍ଗା ମନ୍ଦିର ନିକଟରେ ଥିବା ତିନୋଟି ଜେସିବିକୁ ପୋଡ଼ି ଦେବାର ଉଦ୍ୟମ କରୁଥିବାବେଳେ ଜଣଙ୍କ ଅନୁରୋଧକ୍ରମେ ଓହରିଯାଇଥିଲେ। ତେବେ, ନିକଟ କଙ୍କଡ଼ାନାଳରେ ଥିବା ଜେସିବିକୁ ପୋଡ଼ି ଦେଇଥିଲେ। ଏହାପରେ ମାଓବାବାଦୀମାନେ ଜଙ୍ଗଲ ରାସ୍ତା ଦେଇ ଚାଲିଯାଇଥିଲେ।

ଆଜି ସକାଳେ ମ.ରାମପୁର ଆଇଆଇସି ରେଣୁକା ସୁନା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମାଓ ବ୍ୟାନର ଓ ପୋଷ୍ଟର ଜବତ କରିଥିଲେ। ଗତ କିଛି ବର୍ଷ ହେଲା ମାଓବାଦୀମାନେ ମ.ରାମପୁରର ଆଭ୍ୟନ୍ତରୀଣ ଇଲାକାରେ ନିଜର ପ୍ରଭାବ ବିସ୍ତାର କରି ଚାଲିଥିବାବେଳ ସିଆରପିଏଫ୍ କ୍ୟାମ୍ପ କିମ୍ବା ପୁଲିସକୁ ସେତେ ମାତ୍ରାରେ ସଫଳତା ମିଳିନାହିଁ ମାଓ ଦମନରେ। ମ.ରାମପୁର ବ୍ଲକର ଉର୍ଲାଦାନୀ, ଲୁବେନଗଡ଼, ମୋହନଗିରୀ, ମାଣିକେରା, ଦେଢଶୂଳୀ ଆଦି ପଂଚାୟତବାସୀ ସବୁବେଳେ ଭୟରେ ଜୀବନଯାପନ କରୁଥିବା ବେଳେ ଗତକାଲି ମାଓବାଦୀଙ୍କ ଏପରି ଲଙ୍କାକାଣ୍ଡକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରଛି।

ସମ୍ବନ୍ଧିତ ଖବର