ଗ୍ରାମରକ୍ଷୀଙ୍କ ସମେତ ୪ ଗ୍ରାମବାସୀଙ୍କୁ ଅପହରଣ ଘଟଣା : ନିସ୍ତୁକ ମାଡ଼ ମାରି ସମସ୍ତଙ୍କୁ ଛାଡ଼ି ଦେଲେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ଗ୍ରାମର ଜଣେ ଗ୍ରାମରକ୍ଷୀ ସମେତ ୪ ଜଣ ଅପହୃତ ହୋଇଥିଲେ। ମାଓବାଦୀମାନେ ସେମାନଙ୍କୁ ଅପହରଣ କରି ନେଇଥିଲେ ଓ ଦୁଇଦିନ ପରେ ନିସ୍ତୁକ ମାଡ଼ ମାରି ସେମାନଙ୍କୁ ଛାଡ଼ିଦେଇଛନ୍ତି।

ଗତ ଗୁରୁବାର ରାତି ପ୍ରାୟ ୮ଟାରେ ସଶସ୍ତ୍ର ମାଓବାଦୀ ତ୍ରିଲୋଚନପୁର ଗାଁକୁ ଆସି ଗ୍ରାମରକ୍ଷୀ କ୍ଷେତ୍ର ହରିଜନଙ୍କ ସହ ବିଶିକେଶନ ନାଏକ, ବାବୁଲା ନାଏକ, ରାଜୁ ନାଏକଙ୍କୁ ନେଇ ନିୟମଗିରି ପାହାଡ ଅଞ୍ଚଳକୁ ଚାଲିଯାଇ ଥିଲେ। ଏହି ଘଟଣା ପରେ ଗ୍ରାମବାସୀମାନେ ଆତଙ୍କିତ ହୋଇପଡ଼ିଥିଲେ। ଗତକାଲି ରାତି ପ୍ରାୟ ୧୨ଟାରେ ୪ ଅପହୃତଙ୍କୁ ମାଓବାଦୀମାନେ ନିସ୍ତୁକମାଡ଼ ମାରି ଗାଁ ନିକଟକୁ ଆଣି ଛାଡ଼ିଦେଇଥିଲେ। ଭୟରେ ୪ ଅପହୃତ ମୁହଁ ଖୋଲୁ ନାହାନ୍ତି। ଅନ୍ୟ ପକ୍ଷରେ ଗ୍ରାମବାସୀ ମାଓ ଭୟରେ ନିର୍ବାକ ହୋଇଯାଛଛନ୍ତି। ଗ୍ରାମବାସୀମାନେ କୁଆଡେ ମାଓବାଦୀଙ୍କୁ ୪ ଅପହୃତଙ୍କୁ ଛାଡିଦେବା ପାଇଁ ନେହୁରା ହୋଇଥିଲେ। ଏନେଇ ଗତକାଲି ଗ୍ରାମବାସୀଙ୍କ ବୈଠକ ମଧ୍ୟ ହୋଇଥିଲା। ଲାଞ୍ଜିଗଡ଼ ବ୍ଲକରେ ବାରମ୍ବାର ଲାଲ ବାହିନୀର ସ୍ଥିତ ଜାହିର କରୁଥିବା ବେଳେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ନେଇ ପୁଲିସ ହାତରୁ ଲଗାମ ଖସିବାରେ ଲାଗିଛି।

ସମ୍ବନ୍ଧିତ ଖବର