ନକ୍ସଲଙ୍କ ବର୍ବରକାଣ୍ଡ : ଗଳାକାଟି ୨ ଜଣଙ୍କୁ ହତ୍ୟା

ମାଲକାନଗିରି : ପୁଲିସ୍‌ ଇନ୍‌ଫର୍ମର୍‌ ସନ୍ଦେହରେ ୨ ଜଣ ଗ୍ରାମବାସୀଙ୍କୁ ନକ୍ସଲ ଅତି ନୃଶଂସ ଭ‌ାବେ ହତ୍ୟା କରିଛି। ଘଣ୍ଟାଏରୁ ଊର୍ଦ୍ଧ୍ବ ସମୟ ଧରି ଗ୍ରାମବାସୀଙ୍କୁ ଭୟଭୀତ କରି ରଖିବା ସହିତ ଦୁହିଁଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କାଟି ଦେଇଛନ୍ତି। ଦୁହେଁ ହେଲେ, ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ବିଶାଖା ଜିଲ୍ଲା ଅନ୍ତର୍ଗତ ଭୀରାଭଲମ ଗ୍ରାମର ପାଙ୍ଗି ସତୀବାବୁ ଏବଂ ଗମେଲା ଭାସ୍କର ରାଓ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟାରୁ ୧୨ଟା ମଧ୍ୟରେ ୩୦ରୁ ଊର୍ଧ୍ବ ନକ୍ସଲ ଚିତ୍ରକୋଣ୍ଡା ବ୍ଲକ୍‌କୁ ଲାଗି ରହିଥିବା ଆନ୍ଧ୍ରର କୋରକୋଣ୍ଡା ନିକଟସ୍ଥ ଭିରାଭଲମ ଗ୍ରାମକୁ ପଶିଥିଲେ। ଗାଁକୁ ଚାରିପଟୁ ଘେରିବା ପରେ ସତୀବାବୁ ଏବଂ ଭାସ୍କରଙ୍କୁ ଘରୁ ଜୋରଜବରଦସ୍ତି ଉଠାଇ ଆଣିଥିଲେ। ସେମାନଙ୍କୁ ପୁଲିସ ଇନ୍‌ଫର୍ମର କହି ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଥିଲେ। ପରିବାର ଲୋକେ ଯେତେ ନେହୁରା ହୋଇଥିଲେ ମଧ୍ୟ ନକ୍ସଲ ଆଦୌ ଶୁଣି ନଥିଲେ। ଘଣ୍ଟାଏରୁ ଊର୍ଧ୍ବ ସମୟ ଧରି ପୂରା ଗାଁକୁ ନିଜ ଅକ୍ତିଆରେ ରଖି ଆତଙ୍କ ସୃଷ୍ଟି କରିଥିଲେ। ଯିବା ପୂର୍ବରୁ ସତୀବାବୁ ଏବଂ ଭାସ୍କରଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କାଟି ଦେଇ ଚାଲିଯାଇଥିଲେ। ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର