ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

ମାଲକାନଗିରି/ଚିତ୍ରକୋଣ୍ଡା : ପିଏଲଜିଏସ ସପ୍ତାହ ଶେଷ ହେବାର ଗୋଟିଏ ଦିନ ପରେ ମାଓବାଦୀଙ୍କ ବର୍ବର କାଣ୍ଡ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଲେଗଡା ପଞ୍ଚାୟତ ଅନ୍ତର୍ଗତ ପୁରୁଣା ଟେକଗୁଡା ଗାଁର ସୀତାରାମ ଖେମୁଣ୍ଡୁଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ପୁଲିସ ଇନଫର୍ମର ଦର୍ଶାଇ ମାଓବାଦୀ ଏହି କାଣ୍ଡ କରିଥିବା ବେଳେ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଖବର ଲେଖା ହେବା ସୁଦ୍ଧା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନଥିଲା।

ସୂଚନା ଅନୁଯାୟୀ, ମାଣ୍ଡିଆ ଚାଷ କରିଥିବା ସୀତାରାମ ଗତକାଲି ରାତିରେ ଖାଇ ସାରିବା ପରେ ପତ୍ନୀଙ୍କ ସହ ନିଜ ଜମିକୁ ଜଗିବାକୁ ଯାଇଥିଲେ। ବିଳମ୍ବିତ ରାତିରେ ୧୦ରୁ ୧୫ଜଣ ସଶସ୍ତ୍ର ମାଓବାଦୀ ଜମି ନିକଟକୁ ଆସି ଜୋର ଜବରଦସ୍ତ ତାଙ୍କୁ କିଛି ଦୂରକୁ ଟେକି ନେଇଥିଲେ। ପତ୍ନୀ ନେହୁରା ହୋଇ ଛାଡି ଦେବାକୁ କହିଥିଲେ ହେଁ ସେମାନେ ଶୁଣି ନଥିଲେ। ନିକଟସ୍ଥ ଜଙ୍ଗଲରେ ନିର୍ଧୁମ ମାଡ ମାରିବା ସହ ଗୋଟିଏ ପଥରେ ମୁଣ୍ଡରେ ବାରମ୍ବାର ପିଟିଥିଲେ। ନିସ୍ତେଜ ହୋଇ ସୀତାରାମ ତଳେ ପଡି ଯିବାରୁ ଗୋଟିଏ ଧାରୁଆ ଅସ୍ତ୍ରରେ ବେକକୁ କାଟି ପୁଣି ଜଙ୍ଗଲ ମଧ୍ୟକୁ ପଳାଇଥିଲେ। ଆଜି ସକାଳେ ପରିବାର ଲୋକଙ୍କ ଠାରୁ ଖବର ପାଇ ଗ୍ରାମବାସୀ ଜଙ୍ଗଲରୁ ଶବ ଗାଁକୁ ଆଣିଥିଲେ। ପୁଲିସ ଘଟଣା ସ୍ଥଳକୁ ଖବର ଲେଖା ହେବା ସୁଦ୍ଧା ଯାଇ ନଥିଲା। ସୂଚନାଯୋଗ୍ୟ, ପିଏଲଜିଏ ସପ୍ତାହରେ ମାଓବାଦୀ ମାଲକାନଗିରି ଜିଲ୍ଲାରେ କୌଣସି ଅଘଟଣ ଘଟାଇ ନଥିଲେ। ତେବେ ଗତକାଲି ଆନ୍ଧ୍ର-ଓଡିଶା ସୀମାରେ ୨ଜଣଙ୍କୁ ହତ୍ୟା କରିଥିଲେ। ସେହିପରି ଆସନ୍ତା ୧୨ତାରିଖ ଦିନ ଭାରତ ବନ୍ଦ ପାଇଁ ବି ମାଓବାଦୀ ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧିତ ଖବର