ଆଜିଠୁ ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ: ସୀମାକୁ ସିଲ୍‌ କଲା ପୁଲିସ୍‌

ମାଲକାନଗିରି : ଆସନ୍ତାକାଲି ଠାରୁ ନକ୍ସଲ ପାଳିବେ ପିଏଲ୍‌ଜିଏସ ସପ୍ତାହ। ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବେ। ଏଥିରେ ବିପୁଳ ସଂଖ୍ୟାରେ ଲୋକ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ନକ୍ସଲ। ଏଥିପାଇଁ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳରେ ପୋଷ୍ଟର ଏବଂ ବ୍ୟାନର ମାରିଥିବା ଦେଖିବାକୁ ମିଳିଛି।

ପିଏଲଜିଏ ସପ୍ତାହକୁ ନକ୍ସଲ ଧୁମ୍‌ଧାମ୍‌ରେ ପାଳନ କରୁଥିବାବେଳେ ପୂରା ସପ୍ତାହ ସହିଦଙ୍କୁ ଉତ୍ସର୍ଗ କରିଥା’ନ୍ତି। ଏହି ସମୟରେ ଅଘଟଣ ଘଟାଇବାର ମଧ୍ୟ ନଜିର ରହିଛି। ତେଣୁ ମାଲକାନଗିରି ଜିଲ୍ଲା ପୁଲିସ ପକ୍ଷରୁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାକୁ ଲାଗି ରହିଥିବା ସୀମାକୁ ସିଲ କରି ଦିଆଯାଇଛି। ବିଏସ୍‌ଏଫ୍‌, ଏସଓଜି, ଡିଭିଏଫ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଗୁଇନ୍ଦା ବିଭାଗ ସଜାଗ ରହି ସନ୍ଦିଗ୍ଧ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି। ଗଣପତିଙ୍କ ଇସ୍ତଫା ପରେ ଗରିଲା ଯୁଦ୍ଧରେ ବିଶେଷଜ୍ଞ କେଶବ ରାଓ କେନ୍ଦ୍ରୀୟ କମିଟି ମହାସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ତେଣୁ କିଛି ଗୋଟିଏ ବଡ଼ଧରଣର ହିଂସା ଘଟାଇ ନିଜ ଉପସ୍ଥିତି ଏବଂ ପାରିବା ପଣିଆ ଦେଖାଇବାକୁ କେଶବ ନିଶ୍ଚିତ ରୂପେ ପ୍ରୟାସ କରିବେ ବୋଲି କୁହାଯାଉଛି। ତେଣୁ ଦୁର୍ଗମ ଅଞ୍ଚଳରେ ଲୋ‌କ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଅନ୍ୟପଟେ ନକ୍ସଲଙ୍କ ପତିଆରାକୁ ଚ୍ୟାଲେଞ୍ଜ କରି ପୁଲିସ ବି ରଣନୀତି ପ୍ରସ୍ତୁତ କରିଛି। ଗାଡ଼ି ଚଳାଚଳକୁ ସ୍ବାଭାବିକ ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। କିଛି ଅସ୍ବାଭାବିକ ଅନୁଭବ କଲେ ତୁରନ୍ତ ପୁଲିସକୁ ଜଣାଇବାକୁ ବି କୁହାଯାଇଛି। ସେହିପରି ସ୍ବାଭିମାନ ଅଂଚଳରେ ନକ୍ସଲଙ୍କୁ ଦମନ କରିବା ପାଇଁ ଆଉ ଗୋଟିଏ ବିଏସଏଫ କ୍ୟାମ୍ପ ପିଏଲଜିଏସ ସପ୍ତାହ ଠିକ୍ ପୂର୍ବରୁ ପ୍ରତିଷ୍ଠା କରାଯାଇଛି। ପିପଲପଦର ଠାରେ ଏହି ବିଏସଏଫ କ୍ୟାମ୍ପକୁ ସ୍ଥାପନ କରାଯାଇଛି। ଯାହାଫଳରେ କିଛି ଅଘଟଣ ଘଟାଇ ଆତ୍ମଗୋପନ ପାଇଁ ଏଠାକୁ ଆସୁଥିବା ନକ୍ସଲଙ୍କ ପାଇଁ ଆଗକୁ ସମସ୍ୟା ହେବ ବୋଲି ଜଣାପଡ଼ିଛି। ଏବେ ଦେଖିବାକୁ ବାକି ରହିଲା ଏହି ସପ୍ତାହକ ମଧ୍ୟରେ ‌କିଏ କେତେ ସଜାଗ ଏବଂ କାହାର ପତିଆରା ଅଧିକ ରହିଛି।

ସମ୍ବନ୍ଧିତ ଖବର