ମାଲକାନଗିରିରେ ଛତିଶଗଡ଼ ନିର୍ବାଚନ ତାତି : ସୀମାନ୍ତରେ ନକ୍ସଲଙ୍କ ମାଳମାଳ ପୋଷ୍ଟର

ନିର୍ବାଚନ ବର୍ଜନ ପାଇଁ ଆହ୍ବାନ, ପ୍ରେସର୍‌ ବୋମାରେ ଜଣେ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଏବେ ଛତିଶଗଡ଼ ନିର୍ବାଚନର ତାତି ଦେଖିବାକୁ ମିଳୁଛି। ବିଶେଷକରି, ନିର୍ବାଚନକୁ ବିରୋଧ କରୁଥିବା ନକ୍ସଲଙ୍କ ମାଳମାଳ ପୋଷ୍ଟରରୁ ଏ ନେଇ ଆଲୋଚନା ଦାନା ବାନ୍ଧିବାରେ ଲାଗିଛି। ସୀମାନ୍ତ ଗ୍ରାମ ସମେତ ପଡୋଶୀ ଛତିଶଗଡ଼ ସୁକମା ଜିଲ୍ଲାର ସୀମାନ୍ତ ଗ୍ରାମ ଗୁଡିକରେ ନକ୍ସଲଙ୍କ ପୋଷ୍ଟର ଏବଂ ବ୍ୟାନର ଛାଇଯାଇଛି। ଛତିଶଗଡରେ ଆଗକୁ ନିର୍ବାଚନ ରହିଥିବା ଯୋଗୁଁ ନକ୍ସଲଙ୍କ ଗତିବିଧି ମଧ୍ୟ ବଢିଯାଇଛି। ପ୍ରତିଦିନ କିଛି ନା କିଛି ଅଘଟଣ ଘଟାଇବାରେ ଲାଗିଛନ୍ତି। ଆଜି ଜଣେ ଗ୍ରାମବାସୀ ନକ୍ସଲଙ୍କ ପ୍ରେସର ବୋମାର ଶିକାର ହୋଇଛନ୍ତି। ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ସଂଗଠନ ଚନ୍ତଲନାର ଅଂଚଳରେ ପାଦ ପାଦକେ ବୋମା ଖଂଜିଥିବାବେଳେ ଏହାର ଶିକାର ସାଧାରଣ ଜନତାକୁ ଭୋଗିବାକୁ ପଡିଛି।

ଆଗକୁ ଛତିଶଗଡ଼ରେ ସାଧାରଣ ନିର୍ବାଚନ। ନକ୍ସଲ ଏହାକୁ ବେନାମୀ ନିର୍ବାଚନ ବୋଲି ଅଭିଯୋଗ କରି ଆସୁଛନ୍ତି। ଏଥିରେ ଅଂଶଗ୍ରହଣ ନକରିବାକୁ ଜନତାଙ୍କୁ ଆହ୍ବାନ ଦେଇଛନ୍ତି। ବିଜେପିକୁ ମାରି ଗ୍ରାମରୁ ତଡିଦେବାକୁ ନିର୍ଦେଶ ଦେଇଛନ୍ତି। ଯେଉଁମାନେ ଗ୍ରାମରେ ନିର୍ବାଚନ ପ୍ରଚାର କରିବେ ସେମାନଙ୍କୁ ପ୍ରଜାକୋର୍ଟରେ ହାଜର କରାଇବାକୁ ନକ୍ସଲ ଆହ୍ବାନ କରିଛନ୍ତି। ଗ୍ରାମର ବିକାଶ କହି ଲୋକଙ୍କୁ ଠକୁଥିବା ଲୋକଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ କରି ଆଜି ବିଭିନ୍ନ ଗ୍ରାମରେ ନକ୍ସଲ ପୋଷ୍ଟର ଓ ବ୍ୟାନର ଲଗାଇଥିବା ଦେଖିବାକୁ ମିଳିଛି। ନକ୍ସଲଙ୍କ ପୋଷ୍ଟରକୁ ନେଇ ଏବେ ଦୁର୍ଗମ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି। ଲୋକେ ଆତଙ୍କିତ ହୋଇପଡିଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ନକ୍ସଲ ସଂଗଠନ ପକ୍ଷରୁ ଏବେ ଛୋଟିଆ ଛୋଟିଆ ଦଳ ହୋଇ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କୁ ନିର୍ବାଚନ ବର୍ଜନ କରିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି। ଦୁର୍ଗମ ତଥା ନକ୍ସଲ ଅଧ୍ୟୁଷିତ ଅଂଚଳର ଗ୍ରାମବାସୀ ଆତଙ୍କମଧ୍ୟରେ ରହୁଥିବାରୁ ଆଗାମୀ ନିର୍ବାଚନରେ ଅଂଶଗ୍ରହଣ କରିବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଅନ୍ୟପକ୍ଷରେ, ପ୍ରେସର ବୋମା ବିସ୍ଫୋରଣରେ ଗୁରୁତର ଥିବା ଗ୍ରାମବାସୀଙ୍କୁ ସ୍ଥାନୀୟ ୨୦୧ କୋବ୍ରା ବାଟାଲିୟନର ଯବାନ କାନ୍ଧରେ ବୋହି ମେଡିକାଲରେ ପହଞ୍ଚାଇଥିଲେ। ଆହତ ଗ୍ରାମବାସୀଙ୍କ ସ୍ଥିତି ଗମ୍ଭୀର ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର