୧୩ରେ ନକ୍ସଲଙ୍କ ସୁକମା ବନ୍ଦ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଗତ ୬ ତାରିଖ ଦିନ ହୋଇଥିବା ଏନକାଉଣ୍ଟର ମିଥ୍ୟା ବୋଲି ନକ୍ସଲ ଆଜି ପୋଷ୍ଟର ମାଧ୍ୟମରେ ଜଣାଇଛନ୍ତି। ଆସନ୍ତା ୧୩ ତାରିଖ ଦିନ ସୁକମା ବନ୍ଦ ନେଇ ଆହ୍ଵାନ ଦେଇଛନ୍ତି। ପ୍ରକାଶ ଥାଉକି ଗତ ୬ ତାରିଖ ଦିନ ସୁକମାର ନୁଲକତୋଙ୍ଗ ଗ୍ରାମ ଠାରୁ ପ୍ରାୟ ଅଢେଇ କିଲୋମିଟର ଦୂରରେ ସୁକମା ପୁଲିସ ନକ୍ସଲ ସହ ଗୁଳି ବିନିମୟରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା କହିଥିଲେ। ପୁଲିସର ଏହି ଏନକାଉଣ୍ଟରକୁ ନକ୍ସଲ ମିଥ୍ୟା ବୋଲି କହିଛନ୍ତି। ନକ୍ସଲଙ୍କ ପକ୍ଷରୁ ପ୍ରେସ ବିବୃତ୍ତିରେ କୁହାଯାଇଛି ପୁଲିସର ମଥ୍ୟା ପ୍ରଚାରକୁ ଆମେ ଖଣ୍ଡନ କରୁଛୁ। ପୁଲିସ ଗୁଳି ବିନିମୟ କରି ନିରୀହ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି। ଏବେ ବି ପୁଲିସର କବଜାରେ ବହୁ ଗ୍ରାମବାସୀ ରହିଥିବା ବେଳେ କିଛି ଗ୍ରାମ ଛାଡି ଚାଲିଯାଇଛନ୍ତି। ପୁଲିସ ଏବଂ ଯବାନ ମିଶି ଗତ ୫ ତାରିଖ ଦିନ ନୁଲକାତୋଙ୍ଗ, ବେଲପୋସା, ଗୋମପାଡ, କିନ୍ଦେମପାଡ, କନାଇପାଡ ଗ୍ରାମରୁ ପ୍ରାୟ ୬୦ ଜଣ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲେ। ୬ ତାରିଖ ଦିନ ୧୫ ଜଣ ଗ୍ରାମବାସୀଙ୍କୁ ନିକଟସ୍ଥ ଜଂଗଲକୁ ନେଇ ହତ୍ୟା କରିବା ପରେ ସେମାନଙ୍କୁ ନକ୍ସଲ ବୋଲି ଆଖ୍ୟା ଦେଉଛନ୍ତି। ଏଭଳିକି ଯାନ ମେଟାଗୁଡା ଗ୍ରାମର ତିନ ଜଣ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ କରାଯାଇଛି । ପୁଲିସର ଏହି ମିଥ୍ୟା ଏନକାଉଣ୍ଟରକୁ ବିରୋଧ କରି ନକ୍ସଲ ଆସନ୍ତା ୧୩ ତାରିଖ ଦିନ ସୁକମା ବନ୍ଦ ଡାକରା ଦେଇଛନ୍ତି ।

ଏକ ପ୍ରେସ ବିବୃତିରେ ନକ୍ସଲ ମୃତ ବ୍ୟକ୍ତିଙ୍କ ପରିଚୟ ପ୍ରଦାନ କରିଛନ୍ତି । ପୁଲିସ ଗୁଳିରେ ମୃତକଙ୍କ ମଧ୍ୟରେ ସୋୟମ ସୀତା(୨୬), ସୋୟମ ଚେନ୍ଦା(୩୪), କଡଲି ଆଇମା(୨୫), ମାଣ୍ଡବି ନନ୍ଦାଲ(୨୩), କଡତି ଆଇଲା(୧୮), ମାଣ୍ଡବି ଦେବାଲ(୨୩), ସୋଡି ପ୍ରଭୁ(୨୬), ମାଡକମ ହିଙ୍କୁ(୨୬), ତାତି ହୁଙ୍ଗା(୨୭), ମୁଚାକି ହିଡମା(୧୭), ମୁଚାକି ଦେବାଲ(୧୯), ମୁଚାକି ମୁଖା(୨୦), ବାଂଜାମ ହୁଙ୍ଗା(୨୭), ମାଡବି ହୁଙ୍ଗା(୨୫) ଏବଂ ମାଣ୍ଡବୀ ବାମୁନ(୨୬)। ପୁଲିସ ଗୁଳିକାଣ୍ଡର ତଦନ୍ତ କରିବାକୁ ଦାବି କରାଯାଇଛି ।

ଅନ୍ୟପକ୍ଷରେ ନକ୍ସଲ ଦେଇଥିବା ପ୍ରେସ ବିବୃତ୍ତିକୁ ପୁଲିସ ଖଣ୍ଡନ କରିଛି। କୌଣସି ଗ୍ରାମବାସୀଙ୍କୁ ହତ୍ୟା କରାଯାଇ ନାହିଁ। ମୃତ୍ୟୁବରଣ କରିଥିବା ସମସ୍ତେ ନକ୍ସଲ। ପୁଲିସର ମନବଳକୁ ଦୁର୍ବଳ କରିବା ପାଇଁ ନକ୍ସଲଙ୍କର ଏହା ଏକ ଚାଲ। ସୁକମା ଏସପି ଅଭିଷେକ ମୀନାଙ୍କ କହିବା ଅନୁଯାୟୀ ନକ୍ସଲ ଏବେ ରକ୍ତମୁଖା ହୋଇଯାଇଛନ୍ତି। ଏତେ ସଂଖ୍ୟକ ନକ୍ସଲଙ୍କ ମୃତ୍ୟୁରେ ସେମାନେ ଭାଙ୍ଗି ପଡିଛନ୍ତି। ନକ୍ସଲ କରିଥିବା ଯୁକ୍ତି ସଂପୂର୍ଣ୍ଣ ମିଥ୍ୟା।

ସମ୍ବନ୍ଧିତ ଖବର