ନୟ‌ାଗଡ଼: ଚାରି ବିଧାନସଭା ଆସନ‌ ବିଜେଡି କବ୍‌ଜାରେ

ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ‌ହେଲେ ସୌମ୍ୟ, ଚତୁର୍ଥ ଥର ପାଇଁ ଜିତିଲେ ଅରୁଣ ସାହୁ

ନୟାଗଡ଼, : ନୟାଗଡ଼ ଜିଲ୍ଲାରେ ୪ ବିଧାନସଭା ଆସନ ଖଣ୍ଡପଡ଼ା, ଦଶପଲ୍ଲା, ନୟାଗଡ଼ ଓ ରଣପୁରରେ ବିଜେଡି ବିଧାୟକ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବି‌ରୋଧୀ ବିଜେପିର ରଣନୀତି ଓ ସବୁ ପ୍ରକାରର ‌ଉଦ୍ୟମ ସତ୍ତ୍ବେ ଦଳ ନୟାଗଡ଼ ଜିଲ୍ଲାରେ ଖାତା ଖୋଲିବା‌ରେ ଏଥର ବି ସକ୍ଷମ ହୋଇପାରିନାହିଁ। ହେଭିୱେଟ୍ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କଠାରୁ ଆରମ୍ଭ କରି ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲାରେ ନିର୍ବାଚନୀ ସଭା କରିଥିଲେ ମଧ୍ୟ ଦଳ ସଫଳତାର ସ୍ବାଦ ଚାଖିପାରିନି। ଅନ୍ୟପକ୍ଷରେ ନିଷ୍କ୍ରିୟ ଅବସ୍ଥା‌ରେ ଥିବା କଂଗ୍ରେସ ଏକରକମ ନିଷ୍ପ୍ରଭ ହୋଇଯାଇଛି ନୟାଗଡ଼ ଜିଲ୍ଲାରେ। ଜିଲ୍ଲାର ସମସ୍ତ ଆସନରେ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଛନ୍ତି।

ଭୋଟ୍‌ହାରକୁ ବିଚାର କଲେ ୨୦୧୪ ନିର୍ବାଚନ ତୁଳନାରେ ଜିଲ୍ଲାରେ ବିଜେପି ଭଲ ପ୍ରଦର୍ଶନ କରିଛି। ରଣପୁର ଓ ନୟାଗଡ଼ ବିଧାନସଭା ଆସନ‌ରେ ଶାସକ ଦଳ ସହ ମୁହଁମୁହିଁ ହୋଇଛି। କିନ୍ତୁ ଏହି ଭୋଟ୍‌ ବିଧାୟକ ବନିବା ପାଇଁ ବିଜେପି ପ୍ରାର୍ଥୀଙ୍କ ଲାଗି ପର୍ଯ୍ୟାପ୍ତ ହୋଇପାରିନି। ଖଣ୍ଡପଡ଼ା ଆସନରେ ବି‌ଜେପିକୁ ସ୍ବାଧୀନ ପ୍ରାର୍ଥୀ ତୃତୀୟ ସ୍ଥାନକୁ ଠେଲି ଦେଇ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଦଶପଲ୍ଲାରେ ବିଜେଡିଠାରୁ ବହୁ ଦୂରରେ ରହି ବିଜେପି ପ୍ରାର୍ଥୀ ପରାସ୍ତ ହୋଇଛନ୍ତି। ଜିଲ୍ଲାରେ ତଥା ରାଜ୍ୟରେ ସର୍ବାଧିକ ବ୍ୟବଧାନ‌ରେ ବିଜୟୀ ହୋଇ ଖଣ୍ଡପଡ଼ାରୁ ରାଜ୍ୟସଭା ସାଂସଦ ତଥା ବିଜେଡି ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ରେକର୍ଡ କରିଛନ୍ତି। ଶ୍ରୀ ପଟ୍ଟନାୟକ ୧ ଲକ୍ଷ ୩୮ଖଣ୍ଡ ଭୋଟ୍‌ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଭାବେ ସ୍ବାଧୀନ ପ୍ରାର୍ଥୀ ଦୁଷ୍ମନ୍ତ କୁମାର ସ୍ବାଇଁ ୧୮,୬୦୮ ଭୋଟ୍‌ ପାଇଛନ୍ତି। ଶ୍ରୀ ପଟ୍ଟନାୟକ ୮୧,୪୩୦ ଭୋଟ୍‌ ଭଳି ଏକ ବୃହତ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ଏଠାରେ କଂଗ୍ରେସ ପ୍ରାର୍ଥୀ ବସନ୍ତ କୁମାର ମହାରଣା ମାତ୍ର ୮୮୩ ଖଣ୍ଡ ଭୋଟ୍‌ ପାଇଛନ୍ତି। ବିଜେପିର ସିଦ୍ଧାର୍ଥ ଶେଖର ସିଂହ ୧୪,୦୧୪ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥ‌ାନରେ ରହିଛନ୍ତି। ଅର୍ଥାତ ଖଣ୍ଡପଡ଼ାରେ ବି‌ଜେଡି‌ରେ ଏକପାଖିଆ ବିଜୟ ହୋଇଛି।

ଖଣ୍ଡପଡ଼ା ପରେ ଜିଲ୍ଲାର ଦଶପଲ୍ଲା ବିଧାନସଭା ଆସନରେ ବିଜେଡିର ବୃହତ ବିଜୟ ହୋଇଛି। ନବାଗତ ପ୍ରାର୍ଥୀ ରମେଶଚନ୍ଦ୍ର ବେହେରା ଏଠାରେ ୩୪,୮୨୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ଶ୍ରୀ ବେହେରାଙ୍କୁ ୭୪ ହଜାର ୧୮୮ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ୩୯,୩୬୭ ଖଣ୍ଡ ଭୋଟ୍‌ ମିଳିଥିଲା। ଏଠାରେ କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ କୁମାର ନାୟକ ୭୮୮୨ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଶାସକଦଳର ବିଧାୟକ ଥିବା ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ଏଥର ବିଜୁ ଜନତା‌ ଦଳରୁ ଟିକେଟ ନମିଳିବାରୁ ସେ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ‌ଯୋଗ ଦେଇ ପ୍ରତିଦ୍ବନ୍ଦ୍ବିତା କରିଥିଲେ ମଧ୍ୟ ସଫଳ ହୋ‌ଇପାରିନାହାନ୍ତି। ନୟାଗଡ଼ ବିଧ‌ାୟକ ଭାବେ ଡ. ଅରୁଣ କୁମାର ସାହୁ ଚତୁର୍ଥ ଥର ପାଇଁ ବିଜୟୀ ହୋଇଥିଲେ ମଧ୍ୟ ଗତ ତିନିଟି ନିର୍ବାଚନ ତୁଳନାରେ ଏଥର ତାଙ୍କର ବିଜୟ ବ୍ୟବଧାନ କମିଯାଇଛି। ବିଜେପିର ନବାଗତା ଇରାନୀ ରାୟ ଅରୁଣଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରି ୧୫,୧୨୨ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଛନ୍ତି। କଂଗ୍ରେସର ମନୋଜ କୁମାର ସାହୁ ମାତ୍ର ୪୧୬୬ ଖଣ୍ଡ ଭୋଟ୍‌ରେ ସୀମିତ ରହିଛନ୍ତି। ରଣପୁର ଆସନରେ ସବୁଠୁ କମ୍ ବ୍ୟବଧାନରେ ବିଜେଡି ବିଜୟ ହାସଲ କରିଛି। ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଏହି ଆସନରେ ୬୯୭୯୧ ଖଣ୍ଡ ଭୋଟ୍‌ ପାଇଥିବାବେଳେ ବିଜେପି ପ୍ରାର୍ଥିନୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ୬୫,୩୯୪ ଖଣ୍ଡ ଭୋଟ୍‌ ପାଇଛନ୍ତି। ଫଳରେ ସତ୍ୟନାରାୟଣ ୪,୩୯୭ ଖଣ୍ଡ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଏହି ଆସନରୁ ତୃତୀୟ ଥର ପାଇଁ ପରାଜିତ ହୋଇଛନ୍ତି। ଆଉ ଏଠାରେ କଂଗ୍ରେସ ପ୍ରାର୍ଥିନୀ ଶୁଭଶ୍ରୀ ପଣ୍ଡା ମାତ୍ର ୯୧୯୬ ଭୋଟ୍‌ ପାଇଛନ୍ତି।

ସମ୍ବନ୍ଧିତ ଖବର