ପୋଖରୀରେ ବୁଡ଼ି ୮ ବର୍ଷୀୟ ବାଳିକାର ମୃତ୍ୟୁ

ନୟାଗଡ଼: ସୋମବାର ସକାଳେ ନୂଆଗାଁ ବ୍ଲକ୍‌ର କୋରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋରଡ଼ା ଗାଁ’ର ରଘୁନାଥ ଠାକୁରଙ୍କ ପୋଖରୀରେ ବୁଡ଼ି ଜଣେ ୮ ବର୍ଷୀୟ ବାଳିକାର ମୃତ୍ୟୁ ଘଟିଛି।

ଆଜି ସକାଳ ପ୍ରାୟ ୯ଟା ବେଳେ ତିନି ଜଣ ସମବୟସ୍କା ବାନ୍ଧବୀଙ୍କ ସହ ଚତୁର୍ଥ ଶ୍ରେଣୀରେ ପଢୁଥିବା ଜମ୍ବେଶ୍ୱର ପ୍ରଧାନଙ୍କ ଝିଅ ଊର୍ମିଳା ଗାଧୋଇ ଯାଇଥିଲେ। ସାଙ୍ଗମାନେ ତୁଠରେ ଥିବା ବେଳେ ଊର୍ମିଳା ପ୍ରଥମେ ପୋଖରୀକୁ ପଶି ଗାଧୋଇବା ସମୟରେ କୌଣସି କାରଣରୁ ବୁଡ଼ି ଯାଇ ପାଣିରେ ଉବୁଟୁବୁ ହୋଇ ଥିଲା।

ତା’ର ଅବସ୍ଥା ଦେଖି ତୁଠରେ ଥିବା ତା’ର ଦୁଇ ବାନ୍ଧବୀ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ପାଖଆଖ ବିଲରେ କାମ କରୁଥିବା ଲୋକେ ଧାଇଁ ଆସି ଊର୍ମିଳାକୁ ପାଣିରୁ ଉଦ୍ଧାର କରିଥିଲେ।

ତୁରନ୍ତ ଦମକଳ ଡକାଇ ଊର୍ମିଳାକୁ ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇ ଥିଲା କିନ୍ତୁ, ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରି ଥିଲେ।

ସମ୍ବନ୍ଧିତ ଖବର