ନୟାଗଡ଼: ଏନ୍‌କାଉଣ୍ଟର୍‌ ଯୋଗୁଁ ଦୁର୍ଦ୍ଦାନ୍ତ ଅପରାଧୀ କାବୁଲି ଖାଁ ଆହତ

ନୟାଗଡ଼: ଗତ ରାତିରେ ନୟାଗଡ଼ ବ୍ଲକ୍‌ ଅନ୍ତର୍ଗତ ସୋଲପଟା ଅଞ୍ଚଳରେ ପୁଲିସ ସହ ଗୁଳି ବିନିମୟ ଯୋଗୁଁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି।

ଆହତ ଅପରାଧୀଙ୍କ ନାଁ କାବୁଲି ଖାଁ ଓ ତା’ ଘର ବୋଲଗଡ଼ରେ ବୋଲି ଜଣାପଡ଼ିଛି।

ରାତି ପ୍ରାୟ ୧ଟା ବେଳେ କାବୁଲି ସୋଲପଟା ଅଞ୍ଚଳରେ ବୁଲୁଥିବା କଥା ବିଶେଷ ସୂତ୍ରରୁ ଖବର ପାଇ ନୟାଗଡ଼ ଟାଉନ୍‌ ଥାନା ପୁଲିସ ଓ ଗଣିଆ ପୁଲିସ ସେଠାରେ ପହଞ୍ଚି ଥିଲେ। ତାକୁ ଧରିବାକୁ ଉଦ୍ୟମ କଲାବେଳେ ସେ ପୁଲିସ ଉପରକୁ ଗୁଳି ଚଳାଇବାରୁ ପୁଲିସ ପାଲଟା ଗୁଳି ଚଳାଇଥିଲା। ପୁଲିସ ଗୁଳି ତା’ ଆଣ୍ଠୁରେ ବାଜିବାରୁ ସେ ଆହତ ହୋଇଥିଲା।

ତା’ଠାରୁ ପୁଲିସ ଏକ ବନ୍ଧୁକ ଓ ୪ଟି ଗୁଳି ଜବତ କରିଛି। ସେ ହାଇଦର୍‌ ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି ଜଣାପଡ଼ିଛି। ତା’ ନାଁ’ରେ ଜିଲ୍ଲା ଓ ଜିଲ୍ଲା ବାହାରେ ୨୦ରୁ ଅଧିକ ଡକାୟତି, ବୋମାମାଡ଼ ଓ ଲୁଟ୍‌ ଆଦି ମାମଲା ରହିଛି।

ଚିକିତ୍ସା ପାଇଁ ପ୍ରଥମେ ତାକୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ସେଠାକାର ଡାକ୍ତରମାନେ ତାକୁ କଟକ ବଡ଼ ଡାକ୍ତରଖାନାକୁ ରେଫର୍‌ କରିଛନ୍ତି।

ଚଳିତ ବର୍ଷ ନୟାଗଡ଼ ପୁଲିସର ଏହା ଚତୁର୍ଥ ଏନ୍‌କାଉଣ୍ଟର୍‌।

ସମ୍ବନ୍ଧିତ ଖବର