ନୟାଗଡ଼ : ୨୦୦୮ ଫେବ୍ରୁଆରି ୧୫ ତାରିଖ ରାତିରେ ନୟାଗଡ଼ ଜିଲ୍ଲାରେ ତାଣ୍ଡବଲୀଳା ରଚିଥିଲେ ମାଓବାଦୀ। ଅଘଟଣର କିଛି ଦିନ ପୂର୍ବରୁ ନୟାଗଡ଼କୁ ମାଓବାଦୀମାନେ ଆସି ପୁଲିସ ପ୍ରଶାସନର ସ୍ଥିତି ଆକଳନ କରିଥିଲେ। ଯାହାର ସାମାନ୍ୟ ସୁରାକ ଗୁଇନ୍ଦା ବି ପାଇନଥିଲା। ଫଳରେ ଅଚାନକ ମାଓବାଦୀମାନେ ନୟାଗଡ଼ ଥାନା ସମେତ ଦଶପଲ୍ଲା, ନୂଆଗାଁ ଥାନା, ଫାଣ୍ଡି, ରିଜର୍ଭ ପୁଲିସ ଅଫିସ୍ରେ ପଶି ବର୍ବରକାଣ୍ଡ ଘଟାଇଥିଲେ। ଯେଉଁଥିରେ ୧୫ ପୁଲିସ କର୍ମଚାରୀ ସହିଦ୍ ହୋଇଥିଲେ। ଶୀତ ରାତିରେ ଶୂନଶାନ୍ ଥିବା ନୟାଗଡ଼ ସହରରେ କେହି କିଛି ବୁଝିବା ପୂର୍ବରୁ ହଠାତ୍ ସଶସ୍ତ୍ର ମାଓବାଦୀ ଗୁଳିଗୋଳା ସହ ବୋମା ବର୍ଷଣ ଆରମ୍ଭ କରି ଦେଇଥିଲେ। ପୁଲିସ କର୍ମଚାରୀଙ୍କୁ ଗୁଳି ଓ ଛୁରୀ ଭୁସି ରକ୍ତର ହୋଲି ଖେଳିଥିଲେ। ପୁଲିସ ଟ୍ରେନିଂ ସ୍କୁଲ୍ରେ ପ୍ରଥମେ ଆକ୍ରମଣ ସାରି ନୟାଗଡ଼ ଥାନା ଉପରେ ଆକ୍ରମଣ କରିଥିଲେ ଏବଂ ଅସ୍ତ୍ରାଗାରରୁ ଅସ୍ତ୍ରଶସ୍ତ୍ର ଲୁଟି ନେବା ପରେ ପୁଲିସ ଉପରେ ପ୍ରଚଣ୍ଡ ଆକ୍ରମଣ କରିବାକୁ ବଳ ପାଇଯାଇଥିଲେ। ପାଖାପାଖି ୩ ଘଣ୍ଟା ନରସଂହାର କରିବା ପରେ ନୟାଗଡ଼ ଛାଡ଼ିଥିଲେ। ଏହି କାଳରାତ୍ରୀକୁ ଇତି ମଧ୍ୟରେ ୧୨ ବର୍ଷ ବିତିଥିବା ବେଳେ, ପୁଣି ଯଦି ନୟାଗଡ଼ରେ ଯଦି ମାଓ ଆକ୍ରମଣ ହୁଏ, ଏହାର ଜବାବ୍ ଦେବା ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ତଥା ନୟାଗଡ଼ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ କେତେ ପ୍ରସ୍ତୁତି କରାଯାଇଛି ସେ ନେଇ ପ୍ରଶ୍ନ ଉଠିଛି।
ଜିଲ୍ଲାରେ ବିଶେଷ କରି ଦଶପଲ୍ଲାର ଅଗମ୍ୟ ଅଞ୍ଚଳରେ ମାଓବାଦୀଙ୍କ ଆତଯାତ ରହିଥିବାରୁ ବାଣୀଗୋଚ୍ଛା ନିକଟରେ ଏକ ସ୍ଥାୟୀ ସିଆର୍ପିଏଫ୍ କ୍ୟାମ୍ପ୍ ସମେତ, ଜିଲ୍ଲାରେ ସ୍ଥାୟୀ ସ୍ପେଶାଲ ଅପରେସନ ଗ୍ରୁପ (ଏସ୍ଓଜି) ବ୍ୟବସ୍ଥା, ତଥା ସ୍ବତନ୍ତ୍ର ବ୍ୟାଟାଲିୟନ ବ୍ୟବସ୍ଥା ଦରକାର ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ଜିଲ୍ଲାରେ ସ୍ପେଶାଲ ଇନ୍ଭେଷ୍ଟିଗେସନ୍ ଉଇଙ୍ଗ୍(ଏସ୍ଆଇଡବ୍ଲ୍ୟୁ), ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରି ଫୋର୍ସ(ଡିଭିଏଫ୍) ସକ୍ରିୟତାର ଆବଶ୍ୟକତା ବି ଲୋଡ଼ା। କାରଣ ଏବେ ବି ଜିଲ୍ଲାରେ ମାଓବାଦୀ ଚେର ଉପୁଡ଼ି ନାହିଁ। ପୁନଶ୍ଚ କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼ (କେକେବିନ୍) ମାଓ ଗୋଷ୍ଠୀ ସକ୍ରିୟ ଥିବା ଜଣାଯାଇଛି। ଏହି ୧୨ ବର୍ଷ ମଧ୍ୟରେ ସେଭଳି ବଡ଼ ଧରଣର ଅଘଟଣ ମାଓବାଦୀମାନେ ଘଟାଇ ନଥିଲେ ମଧ୍ୟ, ନିଜର ଉପସ୍ଥିତି ଜାହିର କରି ପୁଲିସ ପ୍ରଶାସନ ତଥା ନୟାଗଡ଼ ଜିଲ୍ଲାବାସୀଙ୍କ କ୍ଷତକୁ ଉଖାରିଛନ୍ତି। ଫେବ୍ରୁଆରି ୧୫ ଆସିଲେ ମାଓ ଆକ୍ରମଣରେ ସହିଦ ହୋଇଥିବା ନୟାଗଡ଼ ଥାନାର ଏଏସ୍ଆଇ ଦଣ୍ଡପାଣି ମିଶ୍ରଙ୍କ ସମେତ ମହିପୁର ଫାଣ୍ଡି ଏଏସ୍ଆଇ ରବୀନ୍ଦ୍ରନାଥ ସାହୁ, ବ୍ରଜବନ୍ଧୁ ବସନ୍ତିଆ, ପଞ୍ଚୁ ପେଣ୍ଠେଇ, ସନ୍ତୋଷ କୁମାର ବାଇ, ପ୍ରଫୁଲ୍ଲ କୁମାର ପ୍ରଧାନ, ସାଦିକ ଅଲ୍ଲୀ ଖାନ୍, ଶ୍ରୀନିବାସ ବେହେରା, ଚିନ୍ତାମଣି ସାହୁ, ଆନନ୍ଦ ମଲ୍ଲିକ, ଭୋଳା ନାୟକ, ସୋମନାଥ ସ୍ବାଇଁ, ଶତ୍ରୁଘ୍ନ ପଣ୍ଡା, ରାଜକିଶୋର ପ୍ରଧାନ, ରବିନାରାୟଣ ସାହୁ ପ୍ରମୁଖଙ୍କ ସମ୍ପର୍କୀୟଙ୍କ ଆଖିରେ ଲୁହ ଆସେ।
ଗତବର୍ଷ ଏପ୍ରିଲ ମାସରେ ମାଓବାଦୀମାନେ ଦଶପଲ୍ଲା କୁଆଁରିଆ ବନ୍ୟପ୍ରାଣୀ କାର୍ଯ୍ୟାଳୟରେ ୪ ଟି ଦେଶୀ ବନ୍ଧୁକ ଲୁଟ୍ ସହ ବନପାଳଙ୍କୁ ଆକ୍ରମଣ, ୨୦୧୬ ଜୁଲାଇ ୭ରେ ଦଶପଲ୍ଲା ଢିପିସାହି ବିଟ୍ ହାଉସ ପୋଡ଼ି ମାଓବାଦୀଙ୍କ ନୟାଗଡ଼ ନିଶାଣକୁ ସ୍ପଷ୍ଟ କରିଛି। କିଛି ଦିନ ତଳେ ବିଳମ୍ବିତ ରାତିରେ ନୟାଗଡ଼ ଓ ମହିପୁରରେ ୬ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପସ୍ଥିତି ସଭିଙ୍କୁ ସଂଶୟରେ ପକାଇଛି। ଏପରିକି ସ୍ବାଭିମାନ ଅଞ୍ଚଳରେ ପୁଲିସ ଚଢ଼ଉ ହେଉ ଅବା ପଡ଼ୋଶୀ ବୌଦ୍ଧ, ଫୁଲବାଣୀରେ ମାଓବାଦୀଙ୍କ ଉପରେ ପୁଲିସ ପଞ୍ଝା ଯେବେ ପଡ଼ୁଛି, ନୟାଗଡ଼ ଜିଲ୍ଲା ଏହି ନରହନ୍ତାଙ୍କ ପାଇଁ ସେଫ୍ ଜୋନ୍ ପାଲଟୁଛି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ପ୍ରତି ରାଜ୍ୟ ସରକାରଙ୍କ ଗୃହ ବିଭାଗ, ତଥା ଜିଲ୍ଲାରେ ଥିବା ସ୍ବତନ୍ତ୍ର ସୁରକ୍ଷା ଟିମ୍ ଧ୍ୟାନ ଦେଲେ ଏହା ନୟାଗଡ଼ ପାଇଁ ମଙ୍ଗଳ ହୁଅନ୍ତା ବୋଲି ବିଭାଗୀୟ କର୍ମଚାରୀଙ୍କ ସମେତ ସାଧାରଣ ଜନତା ମତ ଦେଇଛନ୍ତି।