ଏନ୍‌ସିଏଇଆର୍‌ ରିପୋର୍ଟ-୨୦୧୭ : ଶିଳ୍ପପତିଙ୍କ ପସନ୍ଦ ରାଜ୍ୟ ଓଡ଼ିଶା; କମ୍‌ ଦୁର୍ନୀତିଗ୍ରସ୍ତ ରାଜ୍ୟ ମଧ୍ୟରେ ଚତୁର୍ଥ

ଭୁବନେଶ୍ୱର : ଶିଳ୍ପୋଦ୍ୟୋଗୀଙ୍କ ପାଇଁ ଦେଶର ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଓଡ଼ିଶା କମ୍‌ ଦୁର୍ନୀତିଗ୍ରସ୍ତ। ଜାତୀୟ ପ୍ରୟୋଗାତ୍ମକ ଅର୍ଥନୈତିକ ଗବେଷଣା ପରିଷଦ (ଏନ୍‌ସିଏଇଆର୍‌) ପକ୍ଷରୁ ପ୍ରସ୍ତୁତ ରାଜ୍ୟ ନିବେଶ ସାମର୍ଥ୍ୟ ସୂଚୀ ୨୦୧୭ରୁ ଏହା ଜଣାପଡ଼ିଛି। ଦେଶରେ ବ୍ୟବସାୟ ଆରମ୍ଭ ପାଇଁ ଦୁର୍ନୀତି ଏବେ ବି ଏକ ବଡ଼ ପ୍ରତିବନ୍ଧକ ହୋଇଥିବାବେଳେ ଓଡ଼ିଶାରେ ଏ ପ୍ରକାର ଅସୁବିଧା କମ୍‌ ସାମ୍ନା କରିବାକୁ ପଡ଼ୁଛି। ଫଳରେ ଦେଶର ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଓଡ଼ିଶା ଶିଳ୍ପୋଦ୍ୟୋଗୀଙ୍କ ପାଇଁ ଏକ ପ୍ରମୁଖ ପସନ୍ଦ ରାଜ୍ୟରେ ପରିଣତ ହୋଇପାରିଛି।

ଶିଳ୍ପପତିଙ୍କ ମତରେ କମ୍‌ ଦୁର୍ନୀତି ହେଉଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। ତାଲିକାରେ ଗୁଜରାଟ ପ୍ରଥମ, ଆନ୍ଧ୍ର ପ୍ରଦେଶ ଓ ହିମାଚଳ ପ୍ରଦେଶ ଯୁଗ୍ମ ଭାବେ ଦ୍ୱିତୀୟ, ଛତିଶଗଡ଼ ତୃତୀୟ ଓ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି।

ଏନ୍‌ସିଏଇଆର୍‌ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି ଯେ, ବ୍ୟବସାୟ କରିବା ପାଇଁ ଦେଶରେ ଦୁର୍ନୀତି ଏବେ ବି ବଡ଼ ପ୍ରତିବନ୍ଧକ ସାଜିଛି। ଭାରତରେ ବ୍ୟବସାୟ କରିବା ଲାଗି ୫ଟି ବଡ଼ ପ୍ରତିବନ୍ଧନ ମଧ୍ୟରେ ଦୁର୍ନୀତି ପ୍ରଥମ ସ୍ଥାନରେ ରହିଥିବାବେଳେ ଏହା ପଛକୁ ବ୍ୟବସାୟ ଆରମ୍ଭ ପୂର୍ବରୁ ଏସଂକ୍ରାନ୍ତ ମଞ୍ଜୁରି ଲାଭ ଦ୍ୱିତୀୟ ସ୍ଥାନରେ ରହିଛି। ୫୭% ଉଦ୍ୟୋଗୀ ଦୁର୍ନୀତିକୁ ଦୋଷ ଦେଇଥିବାବେଳେ ୫୩% ଉଦ୍ୟୋଗୀ ମଞ୍ଜୁରି ଲାଭରେ ଅସୁବିଧାକୁ ଦର୍ଶାଇଛନ୍ତି। ସେହିଭଳି କୁଶଳୀ ମାନବ ସମ୍ବଳର ଅଭାବକୁ ବ୍ୟବସାୟ କ୍ଷେତ୍ରରେ ଅନ୍ୟ ଏକ ପ୍ରତିବନ୍ଧକ ଭାବେ ଦର୍ଶାଯାଇଛି। ବଡ଼ ପ୍ରତିବନ୍ଧକ ମଧ୍ୟରେ ଏହା ତୃତୀୟ ସ୍ଥାନରେ ରହିଛି। ୫୦ ପ୍ରତିଶତ ଉଦ୍ୟୋଗୀ କୁଶଳୀ ମାନବ ସମ୍ବଳର ଅଭାବକୁ ଦାୟୀ କରିଛନ୍ତି। ସେହିଭଳି ଚତୁର୍ଥ ପ୍ରତିବନ୍ଧକ ଭାବେ ଗୁଣାତ୍ମକ ଶ୍ରମ ଶକ୍ତିର ଅଭାବକୁ ଦର୍ଶାଯାଇଛି। ୪୯% ଉଦ୍ୟୋଗୀ ଗୁଣାତ୍ମକ ଶ୍ରମ ଶକ୍ତିର ଅଭାବ ଏକ ପ୍ରମୁଖ ପ୍ରତିବନ୍ଧକ ବୋଲି ମତ ଦେଇଛନ୍ତି। ଏହା ପଛକୁ ଟିକସ ନୀତି ରହିଛି। ୪୪% ଉଦ୍ୟୋଗୀ ଟିକସ ନୀତି ଏକ ପ୍ରତିବନ୍ଧକ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଦୁର୍ନୀତିକୁ ନେଇ ପ୍ରସ୍ତୁତ ହୋଇଥିବା ରାଜ୍ୟସ୍ତରୀୟ ତାଲିକାରେ ପଶ୍ଚିମବଙ୍ଗ ଶୀର୍ଷରେ ରହିଛି। ପଶ୍ଚିମବଙ୍ଗରେ ଦୁର୍ନୀତି ପ୍ରବଳ ମାତ୍ରାରେ ରହିଛି ବୋଲି ୫୨.୯ ପ୍ରତିଶତ ଉଦ୍ୟୋଗୀ ମତ ଦେଇଛନ୍ତି। ପଶ୍ଚିମବଙ୍ଗ ପଛକୁ ଦୁର୍ନୀତିର ମାତ୍ରା ଯଥାକ୍ରମେ ତାମିଲନାଡ଼ୁ (୪୮.୮ ପ୍ରତିଶତ), ରାଜସ୍ଥାନ (୩୪ ପ୍ରତିଶତ), ପଞ୍ଜାବ (୩୨.୩ ପ୍ରତିଶତ) ଏବଂ ଆସାମରେ (୩୧ ପ୍ରତିଶତ) ରହିଛି।

ଏତଦ୍‌ବ୍ୟତୀତ ଦେଶର ଦୁର୍ନୀତିକୁ ନେଇ ଉଦ୍ୟୋଗୀମାନଙ୍କ ଧାରଣା ଭିନ୍ନ ଭିନ୍ନ ରହିଛି। ୨୫.୬ ପ୍ରତିଶତ ଶିଳ୍ପପତିଙ୍କ ଧାରଣା ହେଲା ଦେଶରେ ଦୁର୍ନୀତି ଗୁରୁତର ମାତ୍ରାରେ ରହିଥିବାବେଳେ ୩୦.୮ ପ୍ରତିଶତ ଉଦ୍ୟୋଗୀଙ୍କ ମତରେ ମଧ୍ୟମ ଧରଣର ଦୁର୍ନୀତି ରହିଛି। ତେବେ ୪୩.୫ ପ୍ରତିଶତ ଉଦ୍ୟୋଗୀଙ୍କ ପାଇଁ ଏହି ଦୁର୍ନୀତି ଏକ ସମସ୍ୟା ନୁହେଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର