ଏନ୍‌ସିଏଲ୍‌ଟି ଚୂଡାନ୍ତ ରାୟ: ଆଧୁନିକ୍‌ ମେଟାଲିକ୍ସ ନେବ ଲିବର୍ଟି

ରାଉରକେଲା : ପ୍ରାୟ ୫୦୦୦ କୋଟି ଟଙ୍କାର ଋଣ ଭାରରେ ବୁଡ଼ିଥିବା ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ଚାର୍ଡି ହରିହରପୁରସ୍ଥିତ ଆଧୁନିକ ମେଟାଲିକ୍ସର ଭବିଷ୍ୟତ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ର କୋଲ୍‌କାତା ଖଣ୍ଡପୀଠ ବ୍ରିଟେନ୍‌ ଶିଳ୍ପ ଗୋଷ୍ଠୀ ‘ଲିବର୍ଟି ହାଉସ୍‌’ ସପକ୍ଷରେ ରାୟ ଦେଇଛନ୍ତି। ତେଣୁ ଡିପି ଜିନ୍ଦଲ ଗ୍ରୁପ୍‌ର ‘ମହାରାଷ୍ଟ୍ର ସିମ୍‌ଲେସ୍‌’ କମ୍ପାନିକୁ ପଛରେ ପକାଇ ଲିବର୍ଟି ହାଉସ୍‌ ଆଧୁନିକ୍‌ ମେଟାଲିକ୍ସକୁ କିଣିବା ସ୍ପଷ୍ଟ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ଆଧୁନିକ ମେଟାଲିକ୍ସର ଶ୍ରମିକ, କର୍ମଚାରୀ ମହଲରେ ଖୁସିର ଲହରୀ ଖେଳିଯାଇଛି।

ପ୍ରାୟ ଦେଢ଼ ଦଶନ୍ଧି ଧରି ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡାରେ ବାର୍ଷିକ ୪୫ ଲକ୍ଷ ଟନ୍‌ ଉତ୍ପାଦନ କ୍ଷମତାର ଇସ୍ପାତ କାରଖାନା ଚଳାଇ ଆସିଥିବା ଆଧୁନିକ୍‌ ଗ୍ରୁପ୍‌ର କଞ୍ଚାମାଲ ଓ କ୍ରେତା ଆଧାର ବେଶ ସୁଦୃଢ଼ ଥିଲା। ଏହା ସତ୍ତ୍ୱେ କମ୍ପାନିର ଋଣ ଭାର କ୍ରମାଗତ ଭାବେ ବୃଦ୍ଧି ପାଇ ୨୦୧୭ ମାର୍ଚ୍ଚ ୩୧ ବେଳକୁ ପ୍ରାୟ ୫୦୦୦ କୋଟି ଟଙ୍କାରେ ପହଞ୍ଚିଥିଲା। ଋଣ ପରିଶୋଧରେ ଅକ୍ଷମ ଆଧୁନିକ୍‌ ଗ୍ରୁପ୍‌ ଦେବାଳିଆ ଅବସ୍ଥାକୁ ଆସିଥିବା ଦର୍ଶାଇ ମୁଖ୍ୟ ଅର୍ଥ ଲଗାଣକାରୀ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କ ଗୋଷ୍ଠୀ ୨୦୧୭ ଜୁଲାଇରେ ଏନ୍‌ସିଏଲ୍‌ଟିକୁ ଯାଇଥିଲେ। ଡିପି ଜିନ୍ଦଲ ଗ୍ରୁପ୍‌ର ‘ମହାରାଷ୍ଟ୍ର ସିମ୍‌ଲେସ୍‌’ କମ୍ପାନିକୁ ପଛରେ ପକାଇ ଲିବର୍ଟି ହାଉସ୍‌ ୫୦୦ କୋଟି ଟଙ୍କାର ପ୍ରସ୍ତାବ ଦେବାରୁ ଋଣ ପ୍ରଦାନକାରୀ କମିଟି (ସିଓସି)ର ପ୍ରତିନିଧିଙ୍କ ମଧ୍ୟରୁ ୯୦.୯୪% ଏହି ବ୍ରିଟେନ୍‌ କମ୍ପାନି ପ୍ରସ୍ତାବକୁ ସମର୍ଥନ କରିଥିଲେ।

ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ର କୋଲ୍‌କାତା ଖଣ୍ଡପୀଠରେ ଆଧୁନିକ୍‌ ମେଟାଲିକ୍ସ ପ୍ରସଙ୍ଗରେ ଶୁଣାଣି ହୋଇଥିଲା। ଗତକାଲି ଏହାର ଚୂଡାନ୍ତ ରାୟ ଲିବର୍ଟି ସପକ୍ଷରେ ଯାଇଛି। ଅଦାଲତ ୨୧ ପୃଷ୍ଠା ସମ୍ବଳିତ ରାୟରେଦୁଇ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରୁ ସବୁ ଦୃଷ୍ଟିରୁ ଲିବର୍ଟି ହିଁ ଯୋଗ୍ୟ ବୋଲି ମତ ଦେଇଛନ୍ତି। ଅଦାଲତର ରାୟ ପ୍ରକାଶ ପାଇବା ପରେ କାରଖାନାରେ କାର୍ଯ୍ୟରତ ଦେଢ ହଜାରରୁ ଅଧିକ ଶ୍ରମିକ ଓ କର୍ମଚାରୀ ଏବଂ ପରୋକ୍ଷରେ ଜଡ଼ିତ ୨ ହଜାରରୁ ଲୋକ ନୂଆ ଆଶା ସଂଚାର ହୋଇଛି। ପୁଣି ଏହି କାରଖାନା ଚାଲିଲେ ଶ୍ରମିକ ଓ କର୍ମଚାରୀଙ୍କ ଉନ୍ନତି ହେବା ସହ ସ୍ଥାନୀୟ ଅଞ୍ଚଳର ବିକାଶ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି। ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପରେ ଆଧୁନିକ ମେଟାଲିକ୍ସ ସୁନ୍ଦରଗଡ଼ ଜିଲ୍ଲାର ଦ୍ୱିତୀୟ ବୃହତ୍ତ ଇସ୍ପାତ କାରଖାନା। ଗତ କିଛି ବର୍ଷ ଧରି ରୁଗ୍‌ଣ ଅବସ୍ଥାରେ ଚାଲିବାରୁ କାରଖାନାରୁ ବହୁ ଶ୍ରମିକ କର୍ମଚାରୀ ଛଟେଇ ହେବା ସହ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ସ୍ଥିତକୁ ମଧ୍ୟ ପ୍ରଭାବିତ କରିଥିଲା।

ସମ୍ବନ୍ଧିତ ଖବର