ଏନ୍‌ସିପିସିଆର ରିପୋର୍ଟ, ସେଲ୍ଟରହୋମ୍‌ରେ ସର୍ବନିମ୍ନ ବ୍ୟବସ୍ଥା ନାହିଁ

ନୂଆଦିଲ୍ଲୀ: ଢେଙ୍କାନାଳ ବେଲ୍‌ଟିକିରି ସେଲ୍‌ଟର ହୋମ୍‌ ନିର୍ଯାତନା ଘଟଣାର ତଦନ୍ତ ସହ ରାଜ୍ୟର ୧୯ଟି ଜିଲ୍ଲାର ୫୦ଟି ବିଭିନ୍ନ ସେଲ୍‌ଟରହୋମ୍‌ ଗୁଡ଼ିକର କାର୍ଯ୍ୟକଳାପ ନେଇ ତଦନ୍ତ କରୁଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର୍‌)ଙ୍କ ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ରିପୋର୍ଟରେ ସେଲ୍‌ଟର୍‌ହୋମ୍‌ଗୁଡ଼ିକରେ ସର୍ବନିମ୍ନ ବ୍ୟବସ୍ଥା ନଥିବା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ତା’ ସହିତ ଧର୍ମାନ୍ତରୀକରଣ ଭଳି ସଙ୍ଗୀନ ଅଭିଯୋଗ ଅଣାଯାଇଛି। ଢେଙ୍କାନାଳର ବେଲଟିକିରି ଗାଁରେ ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ନାମକ ଏକ ସେଲ୍ଟର ହୋମ୍‌ରେ ଦୀର୍ଘଦିନ ଧରି ଚାଲିଥିବା କେଳେଙ୍କାରୀ ସାମ୍ନାକୁ ଆସିବାପରେ ଏନ୍‌ସିପିସିଆର୍ ତଦନ୍ତ କରିଥିଲା। ଗତ ଡିସେମ୍ବର ୧୨ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ୯ ଜଣିଆ ଟିମ୍‌ ରାଜ୍ୟର ୫୦ଟି ସେଲ୍ଟର ହୋମ୍‌ ଗୁଡ଼ିକର ସ୍ଥିତି ଯାଞ୍ଚ କରିଥିଲେ। ଏହି ଟିମ୍‌ରେ ୯ ଜଣ ସଦସ୍ୟ ସାମିଲ ଥିଲେ।

ଏହି ଯାଞ୍ଚ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ସେଲ୍‌ଟର୍‌ହୋମ୍‌ ଗୁଡ଼ିକରେ ଗାଇଡ୍‌ଲାଇନ୍‌ ଅନୁଯାୟୀ ସର୍ବନିମ୍ନ ବ୍ୟବସ୍ଥା ନାହିଁ। କିଛି ସେଲ୍ଟର ହୋମ୍‌ ଗୁଡ଼ିକ ଚାଇଲ୍ଡ୍‌ କେୟାର ସଂସ୍ଥା ରୂପେ କାର୍ଯ୍ୟ କରୁଛି। ଆହୁରି ମଧ୍ୟ ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟରେ ୨୧ଟି ସେଲ୍ଟର ‌ହୋମ୍‌ ଗୁଡ଼ିକରେ ସୁରକ୍ଷା ବନ୍ଦୋବସ୍ତ ପର୍ଯ୍ୟାପ୍ତ ନୁହେଁ। କ୍ୟାମେରା ଥିବା ସତ୍ତ୍ବେ ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ ସେଗୁଡ଼ିକୁ ଅବସ୍ଥାପିତ କରାଯାଇନାହିଁ। ସେହିପରି ଆବଶ୍ୟକ ସଂଖ୍ୟକ ସିକ୍ୟୁରିଟି ଗାର୍ଡଙ୍କୁ ରଖାଯାଇନି । ୧୪ଟି ସେଲ୍ଟର ‌ହୋମ୍‌ ଗୁଡ଼ିକରେ କାର୍ଯ୍ୟ କରୁଥିବା ଷ୍ଟାଫ୍‌ ମାନଙ୍କର ଯାଞ୍ଚ ପୁଲିସ୍‌ ପକ୍ଷରୁ କରାଯାଇନି। ଜୁଭେନାଇଲ୍‌ ଆଇନ ସୁରକ୍ଷାର ସେକ୍ସନ୍‌ ୨୬କୁ ଉଲ୍ଲଂଘନ କରୁଛି ବୋଲି ରିପୋର୍ଟରେ କୁହାଯାଇଛି। ୨୨ଟି ‌ସେଲ୍ଟର ହୋମ୍‌ରେ ପରାମର୍ଶ ପୁସ୍ତିକା କାର୍ଯ୍ୟ କରୁନଥିବା, ୧୧ଟି ସେଲ୍ଟର ହୋମ୍‌ରେ ବିଦ୍ୟୁତ୍ ବ୍ୟବସ୍ଥା ସନ୍ତୋଷଜନକ ନଥିବା ରିପୋର୍ଟରେ କୁହାଯାଇଛି। ସେହିଭଳି, ୨୦ଟି ‌ସେଲ୍ଟର ହୋମ୍‌ରେ ସିକ୍‌ରୁମ୍‌ ନଥିବା, ୨୪ଟି ସେଲ୍ଟର ହୋମ୍‌ରେ କାଉନ୍‌ସେଲିଂ ଓ ଗାଇଡାନ୍ସ ରୁମ୍‌ ନଥିବା, ୧୭ଟି ସେଲ୍ଟର ‌ହୋମ୍‌ରେ ରୋଷେଇ ଗ୍ୟାସ୍‌ ବ୍ୟବସ୍ଥା ନଥିବା, ୩୨ଟି ସେଲ୍ଟର ‌ହୋମ୍‌ରେ କୁଲର ନଥିବ‌ା, ୧୪ଟି ସେଲ୍ଟର ‌ହୋମ୍‌ରେ ୧୦୯୮ ଚାଇଲ୍ଡ ହେଲ୍ପଲାଇନ୍‌କୁ ପ୍ରଦର୍ଶିତ କରାନଯିବା ତଥା ୨୦ଟି ସେଲ୍ଟର ହୋମ୍‌ରେ ନିଖୋଜ ଶିଶୁମାନଙ୍କୁ ଠାବ କରିବା ତଦନ୍ତକୁ ବିକଶିତ କରାଯାଇନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଟିମ୍‌ ଦ୍ବାରା ୫ଟି ସେଲ୍ଟର ହୋମ୍‌କୁ ବନ୍ଦ ନୋଟିସ୍‌ ଦିଆଯାଇଥିବାବେଳେ ୨ଟି ହୋମ୍‌କୁ ଅନ୍ୟତ୍ର ଶିଶୁଙ୍କୁ ସ୍ଥାନାନ୍ତର କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର