ସଶକ୍ତ ହେବ ଏନ୍‌ଡିଆରଏଫ୍‌; ପୁଲିସ ଡିଜିଙ୍କ ସହ ଆଲୋଚନା

ଭୁବନେଶ୍ୱର : ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ କରିବାରେ ମୁଖ୍ୟ ଭୂମିକା ନିଭାଉଥିବା ଏନ୍‌ଡିଆରଏଫ ଆହୁରି ସଶକ୍ତ ହେବ। ଫଳରେ ଗୋଟିଏ ସମୟରେ ଏକାଧିକ ସ୍ଥାନରେ ଆବଶ୍ୟକ ପଡ଼ୁଥିବା ସହାୟତା ଅନାୟାସରେ ଦେଇ ହେବ। ଏହି ପରିପ୍ରେକ୍ଷୀରେ ନବନିଯୁକ୍ତ ଏନ୍‌ଡିଆରଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନ ଆଜି ଓଡ଼ିଶା ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶା ସମତେ ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ପ୍ରତି ଦୁଇ ବର୍ଷରେ ଥରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ତେଣୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଧନଜୀବନ ବଞ୍ଚାଇବା ପାଇଁ ଏନ୍‌ଡିଆର୍‌ଏଫ କର୍ମଚାରୀଙ୍କୁ ସେହି ଅନୁପାତରେ ସଶକ୍ତ କରିବାର ଆବଶ୍ୟକତା ରହିଛି। ତେବେ କେଉଁଠି ଓ କାହିଁକି ଆବଶ୍ୟକତା ରହିଛି, ସେ ନେଇ ଡିଜିଙ୍କ ସହ ଆଲୋଚନା କରାଯାଇଛି ବୋଲି ଏନ୍‌ଡିଆରଏଫ୍‌ ଡିଜି କହିଛନ୍ତି। ଏନଡିଆର୍‌ ଡିଜି ଶ୍ରୀ ପ୍ରଧାନ କହିଛନ୍ତି, କେବଳ ପ୍ର‌ାକୃତିକ ବିପର୍ଯ୍ୟୟ ନୁହେଁ, ବିଭିନ୍ନ ଦୁର୍ଘଟଣାରେ ମଧ୍ୟ ଏନ୍‌ଡିଆରଏଫ୍ ଯବାନଙ୍କ ଆବଶ୍ୟକତା ପଡ଼ୁଛି। ବର୍ତ୍ତମାନ ପୂରା ଦେଶରେ ଥିବା ୧୨ଟି ବାଟାଲିୟନ୍‌ ରହିଛି। ପ୍ରତ୍ୟେକ ବାଟାଲିୟନର ନିଜସ୍ବ ‘ଏରିଆ ଅଫ୍ ରେସପନ୍‌ସିବିଲିଟି’ ରହିଛି। ଖୁବ୍‌ଶୀଘ୍ର ଆଉ ୪ଟି ବାଟାଲିୟନ୍‌ ବଢ଼ିବାକୁ ଯାଉଛି। ଯେଉଁଠି ବାଟାଲିୟନ ନାହିଁ, ସେଠାରେ ରିଜିଓନାଲ ରିସୋର୍ସ ସେଣ୍ଟର ରହିଛି। ଏଥିରେ ୫୦ଜଣ ଲେଖାଏଁ ଦୁଇଟି ଟିମ୍‌ ରହିଛି। ସେମାନଙ୍କ ପାଖରେ ୩୧୦ ସରଞ୍ଜାମ ରହିଛି। ତେବେ ଏହାକୁ ଆମେ ବଢ଼ାଇବାକୁ ଚାହୁଛୁ। ଫଳରେ ଗୋଟିଏ ସମୟରେ ଏକାଧିକ ସ୍ଥାନରେ ଆବଶ୍ୟକ ପଡ଼ୁଥିବା ସହାୟତା ଅନାୟାସରେ ଦେଇ ହେବ। ଏଥିପାଇଁ ଖୁବ୍‌ଶୀଘ୍ର ବ୍ୟବସ୍ଥା ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର