ରତ୍ନଭଣ୍ଡାର ମରାମତିର ଆବଶ୍ୟକତା ରହିଛି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତିର ଆବଶ୍ୟକତା ରହିଛି। ପରିଚାଳନା ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ ଜେନା ବୁଧବାର ଏହି ସୂଚନା ଦେଇଛନ୍ତି। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ସ୍ପେଶାଲ ସର୍କିଟ ହାଉସରେ  ଅନୁଷ୍ଠିତ ବୈଠକ ପରେ ଜେନା କହିଛନ୍ତି, ରତ୍ନଭଣ୍ଡାର ଯାଞ୍ଚ ନେଇ ସବିଶେଷ ଆଲୋଚନା ହୋଇଛି। ଏଏସ୍‌ଆଇଠାରୁ ରିପୋର୍ଟ ପାଇବା ପରେ ମରାମତି ପାଇଁ ପଦକ୍ଷେପ ନିଆଯିବ। ଆଜି ଯାଞ୍ଚ ବେଳେ ରତ୍ନଭଣ୍ଡାର କାନ୍ଥ ଓଦା ଥିବା ଜଣାପଡ଼ିଥିଲା।

ସୂଚନାଯୋଗ୍ୟ ଆଜି ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ଏ.ଏସ.ଆଇର ସଦସ୍ୟ ଓ ହାଇକୋର୍ଟଙ୍କ ପ୍ରତିନିଧି ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନୁଧ୍ୟାନ ପରେ ୧୫ ଜଣିଆ ଟିମ୍‌ ଜାଣିବାକୁ ପାଇଛି ଯେ, କାନ୍ଥରେ ଫାଟ ରହିଛି। ଏଥି ସହ କାନ୍ଥ ଓଦା ଥିବା ମଧ୍ୟ ଦେଖାଯାଇଛି। ଯାଞ୍ଚାକରୀ ଦଳ ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାରର ଅନୁଧ୍ୟାନ ଶେଷ କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ତିନିଟି ଭଣ୍ଡାର ଘରକୁ ନେଇ ଗଠିତ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ବାହାର ଦୁଇଟି ଘରକୁ ପ୍ରତିନିଧି ଦଳ ଯାଞ୍ଚ କରିବାକ ସକ୍ଷମ ହୋଇଥିଲେ। ବାହାର ଭଣ୍ଡାର ଘରୁ ତୃତୀୟ ଭଣ୍ଡାର ଘର ଭିତର ପାର୍ଶ୍ୱ ଦୃଶ୍ୟମାନ ହେଉଥିବାରୁ ସର୍ଚ୍ଚ ଲାଇଟ୍‌ ଯୋଗେ ଏହା ଯାଞ୍ଚ କରାଯାଇଛି। ଯାଞ୍ଚ ପରେ ପ୍ରତିନିଧି ଦଳଙ୍କ ପକ୍ଷରୁ ପ୍ରାଥମିକ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ପରବର୍ତ୍ତୀ ସମୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏ ନେଇ ବିସ୍ତତ ରିପୋର୍ଟ ପ୍ରଦାନ କରାଯିବ।

ଏସ୍‌ପି ଡ. ସାର୍ଥକ ଷଡ଼ଙ୍ଗୀଙ୍କ ବ୍ୟତୀତ ଛତିଶାନିଯୋଗର ମହାନାୟକ ଜନାର୍ଦ୍ଦନ ପାଟଯୋଶୀ, ଭଣ୍ଡାର ମେକାପ ଗଣେଶ ମେକାପ, ଦେଉଳିକରଣ ଚନ୍ଦ୍ରଶେଖର ମଙ୍ଗରାଜ, ଚଢ଼ାଉକରଣ ହିମାଂଶୁ ପଟ୍ଟନାୟକ, ଗଜପତିଙ୍କ ପ୍ରତିନିଧି ଅମିୟ ମହାନ୍ତି, ଏଏସ୍‌ଆଇର ଏଚ୍‌.ଏ. ନାୟକ, ଚିତ୍ତରଂଜନ ଦାଶ, କୋର କମିଟି ଜି.ସି. ମିତ୍ର, ଏନ୍‌.ସି.ପାଲ, ହାଇକୋର୍ଟଙ୍କ ପ୍ରତିନିଧି ଏନ୍‌.କେ. ମହାନ୍ତି, ରତ୍ନଭଣ୍ଡାର ସବ୍‌କମିଟିର ୨ଜଣ ସଦସ୍ୟ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ କୁମାର ଜେନା ଓ ନୀତି ପ୍ରଶାସକ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିଥିଲେ।

 

ସମ୍ବନ୍ଧିତ ଖବର