ସରିଲା ନିଟ୍‌, ଜୁନ୍‌ ୫ରେ ଫଳ

ଭୁବନେଶ୍ୱର : ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ସାରା ଦେଶରେ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ଅନୁଷ୍ଠିତ ହୋଇଛି। ଦେଶର ପ୍ରାୟ ୧୩ ଲକ୍ଷ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷା ଦେଉଥିବା ବେଳେ ଓଡ଼ିଶାରୁ ୩୨,୫୨୨ ଛାତ୍ରଛାତ୍ରୀ ରହିଥିଲେ। ଭୁବନେଶ୍ୱର ସମେତ ରାଉରକେଲା, କଟକ, ସମ୍ବଲପୁର, ବାଲେଶ୍ୱର, ଅନୁଗୁଳ ଓ ବ୍ରହ୍ମପୁର ସହରରେ ହୋଇଥିବା ୫୬ଟି ପରୀକ୍ଷା କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଛି। ଜୁନ୍‌ ୫ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସିବିଏସ୍‌ଇ କର୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାପରେ ବିଭିନ୍ନ ପର୍ଯ୍ୟାୟରେ ଦେଶରେ ଥିବା ମେଡିକାଲ କଲେଜଗୁଡ଼ିକରେ ନାମଲେଖା ପାଇଁ କାଉନସେଲିଂ ଅନୁଷ୍ଠିତ ହେବ। ଆଜି ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଥିବା ବେଳେ ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ଛଡ଼ାଯାଇଥିଲା। ଏହାପରେ କୌଣସି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ଛଡ଼ାଯାଇ ନ ଥିଲା। ପରୀକ୍ଷାର୍ଥୀଙ୍କୁ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ସମସ୍ତ କେନ୍ଦ୍ରରେ ମେଟାଲ ଡିଟେକ୍ଟର, ସ୍କାନର୍‌, ସିସିଟିଭି ଲଗାଯାଇଥିଲା। ସ୍ୱତନ୍ତ୍ର ସ୍କ୍ଵାଡ୍‌ ବ୍ୟବସ୍ଥା ବିି କରାଯାଇ ପରୀକ୍ଷାର୍ଥୀଙ୍କୁ ବାରମ୍ବାର ଯାଞ୍ଚ କରାଯାଇଥିଲା। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଏବଂ ଜୀବ ବିଜ୍ଞାନ ବିଷୟରୁ ଆସିଥିବା ପ୍ରଶ୍ନପତ୍ର ଭଲ ଥିବାରୁ ପରୀକ୍ଷାର୍ଥୀ ଖୁସି ଥିବା ଦେଖାଯାଇଥିଲା। ଯାଞ୍ଚ ସମୟରେ କେତେକ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କୁ ହଟହଟା ହେବାକୁ ପଡ଼ିଥିଲା। ସିବିଏସ୍‌ଇ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରାଯାଇଥିବାରୁ ପ୍ରବେଶ କରିବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଗତବର୍ଷ ପରି ଏଥର ବି ଆଞ୍ଚଳିକ ଭାଷା ‘ଓଡ଼ିଆ’ରେ ପରୀକ୍ଷା ଦେବା ଲାଗି ଓଡ଼ିଶାରେ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରିନାହାନ୍ତି। ଓଡ଼ିଆ ଅପେକ୍ଷା ଅଧିକାଂଶ ଇଂରାଜୀ ଭାଷାରେ ପ୍ରସ୍ତୁତ ହୋଇଥିବା ପ୍ରଶ୍ନପତ୍ରରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ଓଡ଼ିଆ ଭାଷାରେ ପ୍ରସ୍ତୁତ ହୋଇଥିବା ପ୍ରଶ୍ନପତ୍ରକୁ ପରୀକ୍ଷାର୍ଥୀ ସଠିକ୍‌ ଭାବେ ବୁଝିପାରି ନ ଥିବା ଅଭିଯୋଗ କରିଛନ୍ତି।

ନକଲି ପରୀକ୍ଷାର୍ଥୀ ଅଟକ

ରାଉରକେଲା : ଦେଶର ମେଡିକାଲ କଲେଜଗୁଡ଼ିକରେ ନାମଲେଖା ପାଇଁ ଆଜି ଅନୁଷ୍ଠିତ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ଚାଲିଥିବା ବେଳେ ରାଉରକେଲା ବାସନ୍ତୀ କଲୋନୀସ୍ଥିତ ଡିଏଭି ସ୍କୁଲ୍‌ରେ ଜଣେ ଜାଲ୍‌ ପରୀକ୍ଷାର୍ଥୀ ଧରାପଡ଼ିଛି। ପୁଲିସ ତାକୁ ଅଟକ ରଖିଜେରା କରୁଛି। ଜାଲ୍‌ ପରୀକ୍ଷାର୍ଥୀ ଜଣକ ନିଜକୁ ରାଜସ୍ଥାନର ରମେଶ କୁମାର ବୋଲି ପରିଚୟ ଦେଉଥିବା ବେଳେ ଖୋର୍ଧା ଅଞ୍ଚଳର ଜନୈକ ଏସ୍‌.ବିଶ୍ୱାଳଙ୍କ ପାଇଁ ସେ ପରୀକ୍ଷା ଦେଉଥିଲା ବୋଲି ଜଣାପଡ଼ିଛି। ତେବେ ପୁଲିସ କିମ୍ବା ସ୍କୁଲ୍‌ କର୍ତୃପକ୍ଷ କୌଣସି ସୂଚନା ଦେଉନଥିବାରୁ ଜାଲ୍‌ ପରୀକ୍ଷାର୍ଥୀଙ୍କୁ ଖସାଇ ଦେବା ଲାଗି ମସୁଧା ଚାଲିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର