ଓଡ଼ିଆ ପିଲାଙ୍କ ‘ଓଡ଼ିଆ’କୁ ନା : ଓଡ଼ିଆରେ ‘ନିଟ୍‌’ ପରୀକ୍ଷା ଏବେ ବି ପ୍ରଶ୍ନବାଚୀ

ଭୁବନେଶ୍ୱର : ‘ନିଟ୍‌’ ପରୀକ୍ଷା ‘ଓଡ଼ିଆ’ରେ କର…। ଓଡ଼ିଶା ପିଲା ନିଜ ମାତୃଭାଷାରେ ପରୀକ୍ଷା ଦେବେ। ଭଲ ରେଜଲ୍ଟ କରିବେ। ଏଭଳି ଦାବିରେ ଦୁଇ ବର୍ଷ ତଳେ ସାରା ଓଡ଼ିଶା ଉଠିଥିଲା ପଡ଼ିଥିଲା। ପଲ୍ଲୀରୁ ଦିଲ୍ଲୀ, ସବୁଠି ଉଠିଥିଲା ବିରୋଧର ସ୍ୱର। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ବିଧାୟକ, ସାଂସଦମାନେ ମଧ୍ୟ ଏକ ସ୍ୱରରେ ଓଡ଼ିଆ ଭାଷାରେ ନିଟ୍‌ କରିବାକୁ ଦାବି ଉଠାଇଲେ। ଯେଉଁଥିପାଇଁ ଶେଷରେ ମୁଣ୍ଡ ନୁଆଁଇଥିଲେ କେନ୍ଦ୍ର ସରକାର। ଅନ୍ୟ ୮ଟି ଆଞ୍ଚଳିକ ଭାଷା ପରି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ‘ନିଟ୍‌’ରେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର କରାଗଲା। କିନ୍ତୁ ଓଡ଼ିଶାର ପିଲା ‘ଓଡ଼ିଆ’ ଭାଷାରେ ପରୀକ୍ଷା ଦେବାକୁ ଅମଙ୍ଗ ହୋଇଥିବା ଆଜି ପ୍ରକାଶିତ ‘ନିଟ୍‌’ ପରୀକ୍ଷା ଫଳ ପରେ ଜଣାପଡ଼ିଛି।

ଇଂରାଜୀ ଓ ହିନ୍ଦୀ ସମେତ ୯ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ମୋଟ ୧୧ଟି ଭାଷାରେ ଦେଶର ୧୩୬ଟି ସହରର ୨ ହଜାର ୨୫୫ କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା। ଏହି ସର୍ବଭାରତୀୟ ପରୀକ୍ଷା ଲାଗି ପଞ୍ଜୀକରଣ କରିଥିବା ୧୩ ଲକ୍ଷ ୨୬ ହଜାର ୭୨୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଇଂରାଜୀ ଓ ହିନ୍ଦୀ ଭାଷାରେ ସବୁଠାରୁ ଅଧିକ ୧୨ ଲକ୍ଷ ୭ ହଜାର ୪୬୫ ଜଣ ରହିଥିଲେ। ଯାହାକି ମୋଟ ପିଲାଙ୍କର ୯୧.୦୨ ପ୍ରତିଶତ। ସେହିପରି ଆଞ୍ଚଳିକ ଭାଷାରେ ମାତ୍ର ୧ ଲକ୍ଷ ୧୯ ହଜାର ୨୬୦ ଜଣ ଛାତ୍ରଛାତ୍ରୀ ଅର୍ଥାତ୍‌ ୮.୯୮ ପ୍ରତିଶତ ପିଲା ନାମ ପଞ୍ଜୀକରଣ କରିଥିଲେ।

ହିନ୍ଦୀ ଅପେକ୍ଷା ଇଂରାଜୀ ଭାଷାରେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ଆଗ୍ରହ ଦେଖାଇଛନ୍ତି। ଇଂରାଜୀ ଭାଷାରେ ସର୍ବାଧିକ ୧୦ ଲକ୍ଷ ୬୦ ହଜାର ୯୨୩ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ସଂଖ୍ୟା ମୋଟ ପିଲାଙ୍କ ସଂଖ୍ୟାର ୭୯.୯୬ ପ୍ରତିଶତ। ସେହିପରି ହିନ୍ଦୀ ଭାଷାରେ ୧ ଲକ୍ଷ ୪୬ ହଜାର ୫୪୨ ଜଣ ଅର୍ଥାତ୍‌ ୧୧.୦୪ ପ୍ରତିଶତ ରହିଥିବା ବେଳେ ଗୁଜୁରାଟୀ ଭାଷାରେ ୫୭ ହଜାର, ବେଙ୍ଗଲିରେ ୨୭ ହଜାର ୪୩୭, ତାମିଲ ଭାଷାରେ ୨୪ ହଜାର ୭୨୦, ଆସାମୀ ଭାଷାରେ ୩ ହଜାର ୮୪୮, ତେଲୁଗୁରେ ୧ ହଜାର ୯୯୭, ଊଧ୍ୱ୍ଵର୍ରେ ୧ ହଜାର ୭୧୧, ମରାଠୀରେ ୧ ହଜାର ୧୬୯, କନ୍ନଡ଼ ଭାଷାରେ ୮୧୮ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। କିନ୍ତୁ ଓଡ଼ିଆ ଭାଷାରେ ପରୀକ୍ଷା ଦେଉଥିବା ପିଲାଙ୍କ ସଂଖ୍ୟା ଅନ୍ୟ ଭାଷା ତୁଳନାରେ ପଛରେ ପଡ଼ିଛି। ମାତ୍ର ୨୭୯ ଜଣ ଛାତ୍ରଛାତ୍ରୀ ଓଡ଼ିଆ ଭାଷାରେ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲା ପରୀକ୍ଷା ଦେବାକୁ ଆସି ନ ଥିଲେ। ଯେଉଁମାନେ ‘ଓଡ଼ିଆ’ରେ ପରୀକ୍ଷା ଦେଇଥିଲେ ସେମାନଙ୍କ ମଧ୍ୟରୁ ମାତ୍ର ୧୨ ଜଣଙ୍କୁ ର‍୍ୟାଙ୍କ ମିଳିଛି। ଓଡ଼ିଆ ଭାଷା ପ୍ରତି ଓଡ଼ିଶା ପିଲାଙ୍କ ମୋହ ଦିନକୁ ଦିନ ଛାଡ଼ିଯାଉଥିବା ଏଥିରୁ ସ୍ପଷ୍ଟ ସୂଚନା ମିଳିଛି।

ଚଳିତବର୍ଷ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ୧ ଲକ୍ଷ ୭୭ ହଜାର ୩୫୩ ଜଣ ପରୀକ୍ଷା ଦେଇଥିବା ବେଳେ ୭୦ ହଜାର ୧୮୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଉତ୍ତର ପ୍ରଦେଶର ୧ ଲକ୍ଷ ୨୮ ହଜାର ୩୨୯ ଜଣ ପରୀକ୍ଷା ଦେଇଥିବା ବେଳେ ୭୬ ହଜାର ୭୭୮, ତାମିଲନାଡ଼ୁରେ ୧ ଲକ୍ଷ ୧୪ ହଜାର ୬୦୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୫ ହଜାର ୩୩୬ ଓ କେରଳରେ ୧ ଲକ୍ଷ ୮ ହଜାର ୯୦୭ ଜଣଙ୍କ ମଧ୍ୟରୁ ୭୨ ହଜାର ୬୮୨ ଜଣ ର‍୍ୟାଙ୍କ ହାସଲ କରି ପ୍ରଥମ ୪ଟି ସ୍ଥାନରେ ରହିଛନ୍ତି। ‘ଡାମନ୍‌ ଆଣ୍ଡ ଡିଉ’ରେ ସବୁଠାରୁ କମ୍‌ ୨୯୪ ଜଣ ପରୀକ୍ଷା ଦେଇଥିବା ବେଳେ ୧୦୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ସିବିଏସ୍‌ଇ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର