ରତ୍ନବେଦିରେ ନେପାଳ ରାଜାଙ୍କ ଦୀପ ଆଳତି

ପୁରୀ : ଦୀର୍ଘ ୧୫ ବର୍ଷ ପରେ ଇତିହାସର ପୁନରାବୃତ୍ତି ହୋଇଛି। ନେପାଳ ନରେଶ ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହା ଦେବ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଆଜି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ଏକମାତ୍ର ବିଦେଶୀ ରାଜା ଭାବେ ସେ ପ୍ରାପ୍ତ ହୋଇଥିବା ଏହି ବିଶେଷ ଅଧିକାର ବଳରେ ଆଜି ପୂର୍ବାହ୍ନ ୧୧ଟାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରମ୍ପରା ମୁତାବକ ଦକ୍ଷିଣଦ୍ଵାର ଦେଇ ପ୍ରବେଶ କରିବା ପରେ ଲାଲ ମୋହରିଆ ପଣ୍ଡା ଗଙ୍ଗାଧର ମହାପାତ୍ରଙ୍କ ସମେତ ମାଧବ ମହାପାତ୍ର ଓ ଅନ୍ୟ ୩ ଜଣ ପଣ୍ଡାଙ୍କ ଉପସ୍ଥିତିରେ ଗର୍ଭଗୃହରେ ପୂଜାର୍ଚ୍ଚନା ହୋଇଥିଲା। ମହାପ୍ରଭୁ ବଳଭଦ୍ରଙ୍କ ପ୍ରଥମେ ଆଳତି ହୋଇଥିବା ବେଳେ ପରେ ଶ୍ରୀଜଗନ୍ନାଥ ଓ ପରେ ମା’ ସୁଭଦ୍ରାଙ୍କୁ ଆଳତି ହୋଇଥିଲା। ବଳଭଦ୍ରଙ୍କୁ ସେ ଏକ ସ୍ୱର୍ଣ୍ଣ ମୁଦ୍ରା ଭେଟି ଦେଇଥିବା ବେଳେ ମା’ ସୁଭଦ୍ରାଙ୍କୁ ସ୍ୱର୍ଣ୍ଣ ମାଳ ଭେଟି ଚଢ଼ାଇଥିଲେ। ରୁପା ଢାଙ୍କୁଣିରେ ଥିବା ତିନୋଟି ଶାଳଗ୍ରାମ ମଧ୍ୟ ଭେଟି ଦେଇଥିଲେ। ତା ସହିତ ଭାରତୀୟ ମୁଦ୍ରାଥଳି ଦକ୍ଷିଣା ଆକାରରେ ଦେଇଥିବା ବେଳେ ତିନିଠାକୁରଙ୍କ ପାଖରେ ଫଳତାଟ ଅର୍ପଣ କରିଥିଲେ। ତିନି ଠାକୁରଙ୍କୁ ମଧ୍ୟ ବସ୍ତ୍ର ଭେଟି ଦେଇଥିଲେ। ଏଠାରେ ପାଖାପାଖି ୨୫ ମିନିଟ ପୂଜାର୍ଚ୍ଚନା ହୋଇଛି। ପ୍ରତ୍ୟେକ ଦିନର ସାଧାରଣ ପୂଜା ନୀତି ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଥିବାରୁ ସେଠାରେ ଏକ ନିଆରା ପରିବେଶ ସୃଷ୍ଟି ହୋଇଥିଲା।

୧୦ଟା ୫୨ ମିନିଟରେ ନେପାଳ ରାଜା ଜ୍ଞାନେନ୍ଦ୍ର ପହଞ୍ଚିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ୧୦ଟା ୫୫ ମିନିଟରେ ସେ ବଟଗଣେଶଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ସେଠାରୁ ପଣ୍ଡାଦ୍ଵାର ଦେଇ ନାଟମଣ୍ଡପରେ ପ୍ରବେଶ କରିଥିଲେ। ୧୦ଟା ୫୮ମିନିଟରେ ଗରୁଡ଼ସ୍ତମ୍ଭ ନିକଟରେ ପହଞ୍ଚିଥିଲେ। ସେଠାରେ ସେ ଗରୁଡ଼ସ୍ତମ୍ଭ ପ୍ରଦକ୍ଷିଣ କରିବା ପରେ ଭିତରକାଠ ଦେଇ ୧୧ଟା ବେଳେ ଗର୍ଭଗୃହରେ ପ୍ରବେଶ କରି ରତ୍ନ ସିଂହାସନ ଚଢ଼ିଥିଲେ। ସେଠାରେ ଭେଟି ଚଢ଼ାଇବା ପରେ ୧୧ଟା ୧୫ ମିନିଟରେ ଆଳତି କରିଥିଲେ। ୧୦ ମିନିଟର ଆଳତି ପରେ ସେ ରତ୍ନସିଂହାସନ ଛାଡ଼ିଥିଲେ। ଫେରିବା ବେଳେ ମୁକ୍ତିମଣ୍ଡପରେ ଆଶୀର୍ବାଦ ନେଇଥିବା ବେଳେ ବେଢ଼ାର ଅନ୍ୟ ମନ୍ଦିର ଦର୍ଶନ ସାରି ୧୨ଟା ୧୫ ମିନିଟରେ ଦକ୍ଷିଣଦ୍ଵାର ଦେଇ ପ୍ରସ୍ଥାନ କରିଥିଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା, ସୂଚନା ଅଧିକାରୀ ସୁଦୀପ ଚାଟାର୍ଜୀ ପ୍ରମୁଖ ତାଙ୍କୁ ବିଦାୟ ଦେଇଥିଲେ।

ଗର୍ଭଗୃହରେ ଭିଡ଼

ନେପାଳ ନରେଶଙ୍କ ଗସ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ସହ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ନରେଶ ପହଞ୍ଚିବା ପୂର୍ବରୁ ଭିତର ଶୋଧ ପାଇଁ ଧାର୍ଯ୍ୟ ହୋଇଥିଲା। ଶୋଧ ଅର୍ଥାତ୍‌ କୌଣସି ଅନଧିକୃତ ବ୍ୟକ୍ତି ଏହା ଭିତରେ ରହିପାରିବେ ନାହିଁ। ହେଲେ ନରେଶଙ୍କ ସହିତ ଅନେକ ଲୋକ ପ୍ରବେଶ କରିଥିଲେ। ପୁଲିସ୍‌ କାହାକୁ ଅଟକାଇ ପାରିନଥିଲା। କେତେକ ଗର୍ଭଗୃହରେ ପ୍ରବେଶ କରିଥିବା ବେଳେ କେତେକ ଭିତରକାଠ ନିକଟରେ ପହଞ୍ଚିଥିଲେ। କେତେକ ନରେଶଙ୍କ ସହ ସେଲ୍‌ଫି ନେଉଥିବା ବେଳେ କେତେକ ଫଟୋ ଉଠାଇବା ପାଇଁ ତାଙ୍କ ପାଖ ଛାଡ଼ୁନଥିଲେ। ଏଭଳି ବ୍ୟାପକ ବିଶୃଙ୍ଖଳାକୁ ନେଇ ସମସ୍ତେ ତଟସ୍ଥ ହୋଇଥିଲେ।

ଚାଉଳ ଦିଅଁ ଭେଟି

ଚାଉଳରେ ତିଆରି ହୋଇଛନ୍ତି ଚତୁର୍ଦ୍ଧା ମୂରତି। ମନ୍ଦିର ଭିତରେ ରତ୍ନ ସିଂହାସନରେ ମହାପ୍ରଭୁମାନେ ବିରାଜମାନ କରିଛନ୍ତି। ଗୋଟିଏ ଗୋଟିଏ ଚାଉଳରେ ଗୋଟିଏ ଗୋଟିଏ ଦିଅଁ ତିଆରି ହୋଇଛନ୍ତି। ‘ଗୋଟିଏ ଚାଉଳରେ ଗଢ଼ା’ ଢ଼ଗଢ଼ମାଳିକୁ ଜୀବନ୍ତ ରୂପ ଦେଇଛନ୍ତି ରେଳବିଭାଗ କର୍ମଚାରୀ ବିବେକାନନ୍ଦ ନାୟକ। ଛୋଟଛୋଟ ଚାଉଳ ହୋଇଥିବାରୁ ଖାଲି ଆଖିରେ ଏହି କଳା କାରିଗରୀକୁ ଦେଖିବା ସମ୍ଭବ ହେଉନାହିଁ। ଏଥିପାଇଁ ମାଗ୍ନିଫାଇଙ୍ଗ୍‌ ଗ୍ଲାସ୍‌ ଆବଶ୍ୟକ ପଡ଼ୁଛି। ଏଭଳି ଏକ ମନ୍ଦିର ସହ ମୂର୍ତ୍ତି ନେପାଳ ନରେଶଙ୍କୁ ସେ ଭେଟି ଦେଇଛନ୍ତି। ଶ୍ରୀମନ୍ଦିର ନିକଟରେ ପ୍ରବଳ ଭିଡ଼ରେ ଏହା ସମ୍ଭବ ନ ହେବାରୁ ସେ ହୋଟେଲ ମେ ଫେୟାର ଯାଇ ସେଠାରେ ପ୍ରଦାନ କରିଛନ୍ତି।

‘ବାରମ୍ବାର ଡୋରି ଲାଗୁ’

କୁହାଯାଏ ମହାପ୍ରଭୁଙ୍କ ଡୋରି ନ ଲାଗିଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସୁଖ ମିଳେନାହିଁ। ଏଣୁ ନେପାଳ ନରେଶ ମଧ୍ୟ ଏହାକୁ ମାନିଛନ୍ତି। ମହାପ୍ରଭୁଙ୍କ ଡୋରି ଲାଗିଥିବାରୁ ଏହି ସୁଯୋଗ ମିଳିଛି। ବାରମ୍ବାର ଡୋରି ଲାଗୁ। ବାରମ୍ବାର ଏହି ସୁଯୋଗ ମିଳୁ। ଥରେ ମହାପ୍ରଭୁଙ୍କୁ ପାଖରେ ପ୍ରାର୍ଥନା କରିବା ପରେ ଯେଉଁ ଶାନ୍ତି, ଯେଉଁ ପବିତ୍ରତା ମୁଁ ଅନୁଭବ କରୁଛି ତାହା ଏକ ନିଆରା ଅନୁଭବ ଦେଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର