ରତ୍ନବେଦିରେ ଜ୍ଞାନେନ୍ଦ୍ରଙ୍କ ପୂଜା ୧୧ରେ

ନେପାଳ ନରେଶଙ୍କୁ ସ୍ୱତନ୍ତ୍ର ଅଧିକାର କାହିଁକି?
ବ୍ୟାଖ୍ୟା କଲେ ଜଗଦ୍‌ଗୁରୁ

ପୁରୀ : ଦୀର୍ଘ ୧୫ ବର୍ଷ ପରେ ଆସୁଛନ୍ତି ନେପାଳ ନରେଶ ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହା ଦେବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଥିବା ବେଳେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଶ୍ରୀକ୍ଷେତ୍ରବାସୀ। ପୁରୀର ଆଦ୍ୟସେବକ ଗଜପତି ମହାରାଜାଙ୍କୁ ରତ୍ନ ସିଂହାସନରେ ଚଢ଼ି ସେବାପୂଜା କରିବାର ଅଧିକାର ନଥିବା ବେଳେ ନେପାଳ ନରେଶଙ୍କୁ ଦିଆଯାଇଛି ଏହି ସ୍ୱତନ୍ତ୍ର ଅଧିକାର। ସମସ୍ତଙ୍କର ଉତ୍କଣ୍ଠା କାହିଁକି ତାଙ୍କୁ ମିଳିଛି ଏହି ସ୍ୱତନ୍ତ୍ର ଅଧିକାର। ଏ ନେଇ ବ୍ୟାଖ୍ୟା କରିଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ‘ସମ୍ବାଦ’ ସହ କଥା ହେବା ବେଳେ ସେ ଦେଇଛନ୍ତି ଅନେକ ଗୁରୁତ୍ଵପୂର୍ଣ୍ଣ ସୂଚନା।

ନେପାଳକୁ ସମ୍ପୂର୍ଣ୍ଣ ହିନ୍ଦୁ ରାଷ୍ଟ୍ର ଭାବେ ପ୍ରତିଷ୍ଠା କରିବା ପାଇଁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନେପାଳ ଗସ୍ତ କରିଥିଲେ। ସେତେବେଳେ ନେପାଳ ନରେଶ ସନାତନ ଧର୍ମରୁ ବିଚ୍ୟୁତ ହେଉଥିଲେ। ଏଣୁ ଜଗଦ୍‌ଗୁରୁ ତାଙ୍କୁ ସମ୍ପୂର୍ଣ୍ଣ ସନାତନ ବୈଦିକ ଧର୍ମକୁ ଫେରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଯେହେତୁ ରାଜା ସନାତନ ଧର୍ମରୁ ବିଚ୍ୟୁତି ହେଉଥିଲେ ସେଠାରେ ଥିବା ପ୍ରସିଦ୍ଧ ପଶୁପତିନାଥଙ୍କ ପୂଜା ନୀତି ମଧ୍ୟ ସମ୍ପୂର୍ଣ୍ଣ ବୈଦିକ ରୀତିରେ ହେଉନଥିଲା। ଏଣୁ ଶଙ୍କରାଚାର୍ଯ୍ୟଙ୍କ ଯୋଗୁଁ ହିଁ ପଶୁପତିନାଥଙ୍କ ପୂଜା ମଧ୍ୟ ବୈଦିକ ରୀତିରେ ଆରମ୍ଭ ହୋଇଥିଲା। ନେପାଳକୁ ଶଙ୍କରାଚାର୍ଯ୍ୟ ହିଁ ଶ୍ରୀକ୍ଷେତ୍ର ସହ ଯୋଡ଼ିଥିଲେ। ଗଣ୍ଡୁକି ନଦୀରୁ ଏକଲକ୍ଷ ଶାଳଗ୍ରାମ ନେପାଳ ନରେଶଙ୍କ ଦ୍ଵାରା ପୁରୀ ଗଜପତିଙ୍କୁ ପ୍ରାପ୍ତ ହୋଇଥିଲା। ଏଗୁଡ଼ିକୁ ଶ୍ରୀମନ୍ଦିରରେ ସ୍ଥାପନ କରାଯାଇଥିଲା।

ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପାଇଁ ଆବଶ୍ୟକ କସ୍ତୁରୀ ମଧ୍ୟ ନେପାଳରୁ ଆସୁଥିଲା। ଏବେ ବିଭିନ୍ନ ଆଇନକାନୁନ୍‌କୁ ନେଇ ଏହି କସ୍ତୁରୀ ଆସି ପାରୁନାହିଁ; କିନ୍ତୁ ସେତେବେଳେ ନିୟମିତ ଆସୁଥିଲା। ଏଣୁ ନେପାଳ ନରେଶଙ୍କୁ ଏହି ସ୍ୱତନ୍ତ୍ର ଅଧିକାର ସାବ୍ୟସ୍ତ ହେଉଥିବା ଜଗଦ୍‌ଗୁରୁ ସୂଚନା ଦେଇଛନ୍ତି। ସେବେଠାରୁ ମହାପ୍ରଭୁଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅଧିକାର ନେପାଳ ନରେଶ ପାଇଥିବା ବେଳେ ଜଗଦ୍‌ଗୁରୁଙ୍କର ଶ୍ରୀମନ୍ଦିରରେ ଯେଭଳି ଅଧିକାର ରହିଛି ପଶୁପତିନାଥ ମନ୍ଦିରରେ ମଧ୍ୟ ଜଗଦ୍‌ଗୁରୁଙ୍କର ଅନୁରୂପ ଅଧିକାର ପ୍ରାପ୍ତ ହୋଇଛି। ତାଙ୍କ ପରାମର୍ଶ କ୍ରମେ ସେବାପୂଜାରେ ପରିବର୍ତ୍ତନ ହୁଏ କିମ୍ବା ବିବାଦ ଉପୁଜିଲେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲେଡ଼ା ଯାଇଥାଏ। ସେହି ପରମ୍ପରା ଆଜି ବି ଜାରି ରହିଛି। ସେହି ଅଧିକାର ନେପାଳ ନରେଶ ଉପ ଭୋଗ କରୁଥିବା ବେଳେ ଜଗଦ୍‌ଗୁରୁ ମଧ୍ୟ ପଶୁପତି ନାଥଙ୍କ ମନ୍ଦିରରେ ଅନୁରୂପ ଅଧିକାର ଉପଭୋଗ କରୁଛନ୍ତି।

ସମ୍ବନ୍ଧିତ ଖବର