ରତ୍ନବେଦିରେ ନେପାଳ ରାଜାଙ୍କ ଦୀପ ଆଳତି

ପୁରୀ :ଦୀର୍ଘ ୧୫ ବର୍ଷ ପରେ ଇତିହାସର ପୁନରାବୃତ୍ତି ହୋଇଛି। ନେପାଳ ନରେଶ ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହା ଦେବ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଆଜି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ଏକମାତ୍ର ବିଦେଶୀ ରାଜା ଭାବେ ସେ ପ୍ରାପ୍ତ ହୋଇଥିବା ଏହି ବିଶେଷ ଅଧିକାର ବଳରେ ଆଜି ପୂର୍ବାହ୍ନ ୧୧ଟାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରମ୍ପରା ମୁତାବକ ଦକ୍ଷିଣଦ୍ଵାର ଦେଇ ପ୍ରବେଶ କରିବା ପରେ ଲାଲ ମୋହରିଆ ପଣ୍ଡା ଗଙ୍ଗାଧର ମହାପାତ୍ରଙ୍କ ସମେତ ମାଧବ ମହାପାତ୍ର ଓ ଅନ୍ୟ ୩ ଜଣ ପଣ୍ଡାଙ୍କ ଉପସ୍ଥିତିରେ ଗର୍ଭଗୃହରେ ପୂଜାର୍ଚ୍ଚନା ହୋଇଥିଲା। ମହାପ୍ରଭୁ ବଳଭଦ୍ରଙ୍କ ପ୍ରଥମେ ଆଳତି ହୋଇଥିବା ବେଳେ ପରେ ଶ୍ରୀଜଗନ୍ନାଥ ଓ ପରେ ମା’ ସୁଭଦ୍ରାଙ୍କୁ ଆଳତି ହୋଇଥିଲା। ବଳଭଦ୍ରଙ୍କୁ ସେ ଏକ ସ୍ୱର୍ଣ୍ଣ ମୁଦ୍ରା ଭେଟି ଦେଇଥିବା ବେଳେ ମା’ ସୁଭଦ୍ରାଙ୍କୁ ସ୍ୱର୍ଣ୍ଣ ମାଳ ଭେଟି ଚଢ଼ାଇଥିଲେ। ରୁପା ଢାଙ୍କୁଣିରେ ଥିବା ତିନୋଟି ଶାଳଗ୍ରାମ ମଧ୍ୟ ଭେଟି ଦେଇଥିଲେ। ତା ସହିତ ଭାରତୀୟ ମୁଦ୍ରାଥଳି ଦକ୍ଷିଣା ଆକାରରେ ଦେଇଥିବା ବେଳେ ତିନିଠାକୁରଙ୍କ ପାଖରେ ଫଳତାଟ ଅର୍ପଣ କରିଥିଲେ। ତିନି ଠାକୁରଙ୍କୁ ମଧ୍ୟ ବସ୍ତ୍ର ଭେଟି ଦେଇଥିଲେ। ଏଠାରେ ପାଖାପାଖି ୨୫ ମିନିଟ ପୂଜାର୍ଚ୍ଚନା ହୋଇଛି। ପ୍ରତ୍ୟେକ ଦିନର ସାଧାରଣ ପୂଜା ନୀତି ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଥିବାରୁ ସେଠାରେ ଏକ ନିଆରା ପରିବେଶ ସୃଷ୍ଟି ହୋଇଥିଲା।

୧୦ଟା ୫୨ ମିନିଟରେ ନେପାଳ ରାଜା ଜ୍ଞାନେନ୍ଦ୍ର ପହଞ୍ଚିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ୧୦ଟା ୫୫ ମିନିଟରେ ସେ ବଟଗଣେଶଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ସେଠାରୁ ପଣ୍ଡାଦ୍ଵାର ଦେଇ ନାଟମଣ୍ଡପରେ ପ୍ରବେଶ କରିଥିଲେ। ୧୦ଟା ୫୮ମିନିଟରେ ଗରୁଡ଼ସ୍ତମ୍ଭ ନିକଟରେ ପହଞ୍ଚିଥିଲେ। ସେଠାରେ ସେ ଗରୁଡ଼ସ୍ତମ୍ଭ ପ୍ରଦକ୍ଷିଣ କରିବା ପରେ ଭିତରକାଠ ଦେଇ ୧୧ଟା ବେଳେ ଗର୍ଭଗୃହରେ ପ୍ରବେଶ କରି ରତ୍ନ ସିଂହାସନ ଚଢ଼ିଥିଲେ। ସେଠାରେ ଭେଟି ଚଢ଼ାଇବା ପରେ ୧୧ଟା ୧୫ ମିନିଟରେ ଆଳତି କରିଥିଲେ। ୧୦ ମିନିଟର ଆଳତି ପରେ ସେ ରତ୍ନସିଂହାସନ ଛାଡ଼ିଥିଲେ। ୧ଟା ୨୫ ମିନିଟରେ ସେ ଭଣ୍ଡାରଘର ପରିଦର୍ଶନ କରିଥିଲେ। ସେଠାରେ ଭଣ୍ଡାର ରକ୍ଷକ ଶ୍ରୀଲୋକନାଥଙ୍କୁ ପ୍ରଣିପାତ ହୋଇ ଫେରିଥିଲେ। ଫେରିବା ବେଳେ ମୁକ୍ତିମଣ୍ଡପରେ ୧୧ଟା ୩୦ରେ ଆଶୀର୍ବାଦ ନେଇଥିବା ବେଳେ ୧୧ଟା ୩୩ରେ ନୃସିଂହ ମନ୍ଦିର, ୧୧ଟା ୩୫ରେ ମା’ ବିମଳାଙ୍କ ମନ୍ଦିର ଓ ୧୧ଟା ୪୨ରେ କାନପତା ମହାବୀରଙ୍କୁ ଦର୍ଶନ କରିଥିଲେ। ୧୧ଟା ୪୫ରେ ମା’ ଭୁବନେଶ୍ୱରୀ ମନ୍ଦିର, ୧୧ଟା ୫୦ରେ ମହାଲକ୍ଷ୍ମୀଙ୍କ ମନ୍ଦିର ଓ ୧୧ଟା ୫୮ରେ ନବଗ୍ରହଙ୍କୁ ଦର୍ଶନ କରିଥିଲେ। ୧୨ଟା ୫ରେ ସତ୍ୟନାରାୟଣଙ୍କୁ ଦର୍ଶନ ସାରି ୧୨ଟା ୧୫ ମିନିଟରେ ଦକ୍ଷିଣଦ୍ଵାର ଦେଇ ପ୍ରସ୍ଥାନ କରିଥିଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା, ସୂଚନା ଅଧିକାରୀ ସୁଦୀପ ଚାଟାର୍ଜୀ ପ୍ରମୁଖ ତାଙ୍କୁ ବିଦାୟ ଦେଇଥିଲେ।

ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ୩ଟା ୩୦ରେ ଦ୍ଵାର ଫିଟା ହୋଇଥିବା ବେଳେ ୪ଟା ୧୫ରେ ମଙ୍ଗଳ ଆଳତି, ୫ଟା ୨୫ରେ ଅବକାଶ ନୀତି ହୋଇଥିଲା। ୭ଟା ୩୫ରେ ବଲ୍ଲଭ, ୯ଟା ୫ରେ ସକାଳଧୂପ ନୀତି ସମାପନ ହୋଇଥିଲା। ୧୦ଟା ୨୫ ମିନିଟରେ ଭୋଗ ମଣ୍ଡପ ସମ୍ପନ୍ନ ହୋଇଥିଲା। ଭୋଗମଣ୍ଡପ ପରେ ଭିତର ଶୋଧ କରାଯାଇଥଲା। ଶୋଧ ହେବା ପରେ ନେପାଳ ନରେଶ ଶ୍ରୀମନ୍ଦିର ଆସିଥିଲେ। ୧୨ଟା ୧୫ରେ ସେ ଶ୍ରୀମନ୍ଦିର ଛାଡ଼ିବା ପରେ ମହାସ୍ନାନ କରାଯାଇଥିଲା। ଏହା ପରେ ସାଢ଼େ ୯ରୁ ବନ୍ଦ ଥିବା ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର