‘ନଗଦ ପେନ୍‌ସନ୍‌’ ନେଇ ବିବାଦ

ଭୁବନେଶ୍ୱର : ରାଷ୍ଟ୍ରୀୟ ସାମାଜିକ ସହାୟତା ଯୋଜନା(ଏନ୍‌ଏସ୍‌ଏପି)ରେ ହିତାଧିକାରୀଙ୍କୁ ପେନ୍‌ସନ୍‌ ମିଳିବାର ମାଧ୍ୟମ କ’ଣ ହେବ? ବର୍ତ୍ତମାନ ପ୍ରଚଳିତ ସିଧାସଳଖ ନଗଦ ଅର୍ଥ ପ୍ରଦାନ ନା ବ୍ୟାଙ୍କ ଆକାଉଣ୍ଟ୍‌ ମାଧ୍ୟମରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତକରଣ(ଡିବିଟି)? ଏହା ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଡିବିଟି ନୁହେଁ, ନଗଦ ଅର୍ଥ ପ୍ରଦାନ ବ୍ୟବସ୍ଥା ଜାରି ରଖିବାକୁ ଦାବି କରିଛନ୍ତି। ଅପର ପକ୍ଷରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଏହି ଯୁକ୍ତିକୁ ଗ୍ରହଣ କରିନାହାନ୍ତି। ଦଳୀୟ ଲୋକ ଓ ମଧ୍ୟସ୍ଥିଙ୍କୁ ଲାଭ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରୁଛନ୍ତି ବୋଲି ସେ ଟ୍ଵିଟ୍‌ କରି ଆରୋପ ଲଗାଇଛନ୍ତି।

ଏନ୍‌ଏସ୍‌ଏପି ଯୋଜନାରେ ବରିଷ୍ଠ ନାଗରିକ, ବିଧବା ଓ ଭିନ୍ନକ୍ଷମମାନଙ୍କୁ ପେନ୍‌ସନ୍‌ ପ୍ରଦାନ କରାଯାଉଛି। ଗତ ନଭେମ୍ବର ୧୫ ତାରିଖରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ଅର୍ଥନୈତିକ ଉପଦେଷ୍ଟା ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି। ଏନ୍‌ଏସ୍‌ଏପି ଯୋଜନାରେ ହିତାଧିକାରୀମାନଙ୍କୁ ଡିବିଟି ମାଧ୍ୟମରେ ପେନ୍‌ସନ୍‌ ଦେବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ କହିଛନ୍ତି। ଆର୍‌ବିଆଇର ନିର୍ଦ୍ଦେଶ ଅନୁଯାୟୀ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମମାନଙ୍କୁ ଘର ପାଖରେ ବ୍ୟାଙ୍କିଙ୍ଗ୍‌ ସେବା ପହଞ୍ଚାଇାବକୁ ରାଜ୍ୟ ସରକାର ବ୍ୟାଙ୍କଗୁଡ଼ିକ ସହ କାର୍ଯ୍ୟ କରିବାକୁ ଏଥିରେ କୁହାଯାଇଛି।

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଏନ୍‌ଏସ୍‌ଏପି ଗାଇଡ୍‌ଲାଇନ୍‌ ଅନୁଯାୟୀ ପ୍ରତି ମାସର ୧୫ ତାରିଖରେ ହିତାଧିକାରୀଙ୍କୁ ନଗଦ ଅର୍ଥ ଆକାରରେ ପେନ୍‌ସନ୍‌ ପ୍ରଦାନ କରାଯାଉଛି। ଗ୍ରାମ ପଞ୍ଚାୟତ ଓ ପୌରସଂସ୍ଥା ମୁଖ୍ୟାଳୟରେ ସ୍ୱଚ୍ଛ ଓ ଶୃଙ୍ଖଳିତ ଭାବେ ଏହା ପ୍ରଦାନ କରାଯାଉଛି। ରାଜ୍ୟରେ ଲୋକମାନେ ବ୍ୟାଙ୍କ ସେବା ଠିକ୍‌ ଭାବେ ପାଉ ନ ଥିବାରୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଏବେ ବି ୪,୩୭୬ ଗ୍ରାମପଞ୍ଚାୟତରେ କୌଣସି ବ୍ୟାଙ୍କ ଶାଖା ନାହିଁ। ଯେଉଁ ପଞ୍ଚାୟତରେ ବ୍ୟାଙ୍କ ଶାଖା ଅଛି, ସେଠାରେ ମାତ୍ର ଜଣେ କର୍ମଚାରୀ ନେଣଦେଣ ବୁଝୁଛନ୍ତି। ତେଣୁ ଏତେ ସଂଖ୍ୟାରେ ହିତାଧିକାରୀଙ୍କୁ ସେ ସେବା ଯୋଗାଇବା ସମ୍ଭବ ନୁହେଁ। ଆହୁରି ମଧ୍ୟ ଏନ୍‌ଏସ୍‌ଏପି ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ହିତାଧିକାରୀଙ୍କୁ ସୁବିଧା ଓ ପସନ୍ଦ ଅନୁଯାୟୀ ପେନ୍‌ସନ୍‌ ଅର୍ଥ ପ୍ରଦାନ କରାଯିବ। ୨୦୧୬-୧୭ରେ ହୋଇଥିବା ଏକ ନମୁନା ସର୍ଭେ ଅନୁଯାୟୀ ହିତାଧିକାରୀମାନେ ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌ ମାଧ୍ୟମରେ ପେନ୍‌ସନ୍‌ ନେବାକୁ ଆଗ୍ରହୀ ନୁହଁନ୍ତି। କାରଣ ସେମାନେ ବହୁ ସମୟ ଦେଇ ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌ ଯିବାକୁ ଚାହାଁନ୍ତି ନାହିଁ। ସେମାନେ ହାତରେ ନଗଦ ଅର୍ଥ ନେଇ ଖର୍ଚ୍ଚ କରିବାକୁ ଚାହାଁନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ଯୁକ୍ତି ବାଢ଼ିଛନ୍ତି, ମାସର ନିର୍ଦ୍ଦିଷ୍ଟ ଦିନରେ ନଗଦ ଆକାରରେ ପେନ୍‌ସନ୍‌ ଦେବା ଦ୍ୱାରା ବାସ୍ତବ ପକ୍ଷେ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଇପାରୁଛି। କାରଣ ସେମାନେ ନଗଦ ଅର୍ଥ ପାଇଲେ ଦୈନନ୍ଦିନ ଖର୍ଚ୍ଚ ତୁଲାଇପାରିବେ। ବ୍ୟାଙ୍କରୁ ଟଙ୍କା ଉଠାଣ ବ୍ୟବସ୍ଥା ଦ୍ୱାରା ପ୍ରକୃତ ଲକ୍ଷ୍ୟ ସାଧିତ ହେବନି। ଏହି ଯୋଜନାରେ ପେନ୍‌ସନ୍‌ ପ୍ରଦାନ କ୍ଷେତ୍ରରେ ଓଡ଼ିଶାରେ ଏକ ମଡେଲ୍‌ ରାଜ୍ୟ ପାଲଟିଛି ବୋଲି ୨୦୧୪ରେ ଏକ ଇଂରାଜୀ ପତ୍ରିକାରେ ଉଲ୍ଲେଖ କରାଯାଇଥିଲା। ତେଣୁ ହିତାଧିକାରୀଙ୍କ ସ୍ୱାର୍ଥକୁ ଆଖିରେ ରଖି ବ୍ୟାଙ୍କ ମାଧ୍ୟମରେ ପେନ୍‌ସନ୍‌ ପ୍ରଦାନ ବ୍ୟବସ୍ଥାକୁ ବାଧ୍ୟତାମୂଳକ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏପରି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ଟ୍ଵିଟ୍‌ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ। ସେ କହିଛନ୍ତି, ଏପରି ଚିଠି ଲେଖି ଦଳୀୟ ଲୋକ ଓ ମଧ୍ୟସ୍ଥିଙ୍କୁ ଲାଭ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁଛନ୍ତି। ୨୦୧୪ରେ ପ୍ରକାଶିତ ଏକ ସମୟ ଅନୁପଯୋଗୀ ଲେଖାର ଉଦାହାରଣ ଦେଇ ସିଧା ସିଧା ନଗଦ ଅର୍ଥ ପ୍ରଦାନ ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି।

ଶ୍ରୀ ପ୍ରଧାନ ଯୁକ୍ତି ଦର୍ଶାଇଛନ୍ତି, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନେ ସାମାଜିକ ସହାୟତା ଯୋଜନାର ଅର୍ଥ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଓ ସମୟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ୁଥିବାରୁ ସେମାନଙ୍କୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼ୁଛି। ବ୍ୟାଙ୍କ, ବ୍ୟାଙ୍କିଙ୍ଗ୍‌ କରେସ୍ପଣ୍ଡେଣ୍ଟ୍‌ ଓ ପୋଷ୍ଟ ଅଫିସ୍‌ଗୁଡ଼ିକର ବ୍ୟବହାରରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନା ଲାଗୁ କରି ମଧ୍ୟସ୍ଥିମାନଙ୍କୁ ମୂଳୋତ୍ପାଟନ କରିବା ପ୍ରଧାନମନ୍ତ୍ରୀଙ୍କ ଏକ ବୈପ୍ଳବିକ ଚିନ୍ତାଧାରା। ଆହୁରି ମଧ୍ୟ ଆର୍‌ବିଆଇ ପକ୍ଷରୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କୁ ୩୧.୧୨.୨୦୧୭ ସୁଦ୍ଧା ବ୍ୟାଙ୍କିଙ୍ଗ୍‌ ସେବା ସେମାନଙ୍କ ଦ୍ୱାରଦେଶରେ ପହଞ୍ଚାଇବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିସ୍ଥିତିରେ ରାଜ୍ୟ ସରକାର ଏନ୍‌ଏସ୍‌ଏପିକୁ ଡିବିଟି ସହ ଯୋଡ଼ିବାର ପ୍ରଗତିଶୀଳ ବିଚାରକୁ ସମର୍ଥନ କରିବା ସହ ଏକ ଯୋଜନାବଦ୍ଧ ଉଦ୍ୟମ କରି ଏହି କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ଶ୍ରୀ ପ୍ରଧାନ ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧିତ ଖବର