ଭଦ୍ରକ ବିଜେପିର ନୂଆ ପୁରୁଣା ନେତାଙ୍କୁ ନେଇ ସମୀକରଣ

ଭଦ୍ରକ: ୨୦୧୯ ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ଆଚରଣବିଧି ବି ଲାଗିଛି। ନିର୍ବାଚନ ଘୋଷଣା ପରେ ଏବେ ଭଦ୍ରକର ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଖୋଜା ନେଇ ତତ୍ପରତା ପ୍ରକାଶ ପାଇଛି। ଭଦ୍ରକ ସଦର ବିଧାନସଭା କ୍ଷେତ୍ରରେ ତିନି ପ୍ରମୁଖ ଦଳ ବିଜେଡି- କଂଗ୍ରେସ ଓ ବିଜେପି ଦଳର ପ୍ରାର୍ଥୀ ଚୟନକୁ ନେଇ ଏବେ ଚାଲିଛି ମାନସମନ୍ଥନ। ପ୍ରାର୍ଥୀ ଚୟନକୁ ନେଇ ବିଜେଡି ଓ କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ନଥିବା ବେଳେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ନିଜର ଅଣ୍ଟା ସଳଖି ଠିଆ ହେବାକୁ ଯୋଜନା କରୁଛି। ସେଥିପାଇଁ ଆଗାମୀ ବିଧାନସଭା ପାଇଁ ଦଳ ତାର ନୂଆ ଷ୍ଟାଟେଜି ପ୍ରସ୍ତୁତ କରୁଛି। ବିଜେପି ବିଶେଷକରି ନୂଆ ଓ ପୁରୁଣା ନେତାଙ୍କୁ ନେଇ ଅଙ୍କ କଷୁଛି। କାହାକୁ ଟିକଟ ଦେଲେ ଆଗାମୀ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ। ତାହା ଉପରେ ବି ଚାଲିଛି ତର୍ଜମା। ୨୦୧୪ ନିର୍ବାଚନରେ ଏଠାରୁ ଦଳର ପ୍ରାର୍ଥୀ ହୋଇଥିଲେ ଡା. ପ୍ରଦୀପ ନାୟକ। ଏଥର ବି ସେ ଆଶାୟୀ ରହିଛନ୍ତି। ଅତୀତରେ ଡା. ନାୟକ କଂଗ୍ରେସରୁ ଆସି ବିଜେପିରେ ଟିକଟ ନେଇଥିଲେ। ମାତ୍ର ତାଙ୍କୁ ଏଥର କାଉଣ୍ଟର ଦେବା ପାଇଁ ଦଳରେ ଆଉ ଦୁଇ ନେତାଙ୍କ ନାଁ ଚର୍ଚ୍ଚା ହେଉଛି। ବିଜେପି ନେତା ତୁଷାର ଜେନା ଓ ବିଜେପିର ଜିଲ୍ଲା ଉପସଭାପତି ରାଜୀବ ମହାନ୍ତି। ରାଜୀବ କଂଗ୍ରେସରୁ ଆସି ବିଜେପିରେ ମିଶିଛନ୍ତି। ସେହିପରି ମହିଳା ନେତ୍ରୀ ତଥା ଜିଲ୍ଲା ବିଜେପିର ମହିଳା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆକୁ ନେଇ ମଧ୍ୟ ଆଲୋଚନା ହେଛଛି। ଏଇ ଚାରି ନେତାଙ୍କ ବ୍ୟତୀତ ବିଜେପିର ମଧ୍ୟ ଆହୁରି କିଛି ନେତା ଟିକଟ ପାଇଁ ଆଶାବାନ୍ଧିଛନ୍ତି। ତେବେ ଭଦ୍ରକ ବିଜେପିର ଏଇ ଛକାପଞ୍ଝା ରାଜନୀତି ଭିତରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର।

ସମ୍ବନ୍ଧିତ ଖବର