ବିଜେଡିର ସାଂଗଠନିକ ସ୍ତରରେ ନିଯୁକ୍ତି

କିଶୋରଙ୍କୁ ଜିଲ୍ଲା ସଭାପତି, ବିଜୟ ଓ ସୁମିତ୍ରାଙ୍କୁ ସାଧାରଣ ସମ୍ପାଦକ ପଦ, ପର୍ଯ୍ୟବେକ୍ଷକ ହେଲେ ମୀରା ପରିଡ଼ା ଓ ହୁସେନ ରବି ଗାନ୍ଧୀ

ଭୁବନେଶ୍ବର : କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କୁ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଏହାସହିତ ବିଜୟ ନାୟକଙ୍କୁ ରାଜ୍ୟ ସମ୍ପାଦକରୁ ସାଧାରଣ ସମ୍ପାଦକ ପଦବିରେ ଅବସ୍ଥାପିତ କରାଯାଇଛି। ସେହିପରି ବିଜୁ ମହିଳା ଜନତା ଦଳର ଉପ-ସଭାନେତ୍ରୀ ଥିବା ମୀରା ପରିଡ଼ାଙ୍କୁ ଭୁବନେଶ୍ବର-ମଧ୍ୟ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ସଭାପତି ନିଯୁକ୍ତ କରିଛନ୍ତି।

ଗୁରୁବାର ବିଜେଡି ସାଂଗଠନିକ ସ୍ତରରେ ନୂତନ ନିଯୁକ୍ତି ନେଇ ଘୋଷଣା କରାଯାଇଛି। ଦଳ ପକ୍ଷରୁ ଜାରି ପ୍ରେସ୍ ଇସ୍ତାହାର ଅନୁଯାୟୀ ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ମହାସଚିବ ଭାବେ ନିଶିକାନ୍ତ ପ୍ରଧାନ, ଜିଲ୍ଲା ବିଜେଡି ଉପସଭାପତି ଭାବେ ଅଜିତ ନାୟକଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ସୁମିତ୍ରା ଜେନାଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସହ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। କମଳା ତିରିଆଙ୍କୁ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ-ସଭାନେତ୍ରୀ ଏବଂ ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ, ସୁଜାତା ଜେନାଙ୍କୁ ମହିଳା ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ସହିତ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ କରାଯାଇଛି। ଭାଗ୍ୟଶ୍ରୀ ପ୍ରଧାନଙ୍କୁ ମହିଳା ବିଜେଡି ରାଜ୍ୟ ସମ୍ପାଦିକା ଏବଂ ତନ୍ମୟ ସ୍ବାଇଁଙ୍କୁ ବାଲିକୁଦା-ଏରସମା ଓ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ସେହିପରି ପାଳଲହଡ଼ା ନିର୍ବାଚନ ମଣ୍ଡଳୀର ସୁଦର୍ଶନ ବେହେରାଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ପଦବି ସହିତ ପାଳଲହଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ସଂଯୋଜକ, ଡ. ହୁସେନ ରବି ଗାନ୍ଧୀଙ୍କୁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ, ଭୁବନେଶ୍ବର-ଉତ୍ତର ନିର୍ବାଚନ ମଣ୍ଡଳୀର କୁନାଲ ରାଉତଙ୍କୁ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପ-ସଭାପତି, ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ନିମାଇଁ ମୁର୍ମୁଙ୍କୁ ରାଜ୍ୟ ସଂପାଦକ ଭାବେ ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି।

ସମ୍ବନ୍ଧିତ ଖବର