ପାଇଖାନା ପ୍ୟାନ୍‌ରେ ପଡ଼ି ନବଜାତର ମୃତ୍ୟୁ ଘଟଣା : ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

କୋରାପୁଟ : କୋରାପୁଟ ମେଡିକାଲ କଲେଜର ପାଇଖାନା ପ୍ୟାନ୍‌ରେ ପଡି ଜଣେ ନବଜାତ ଶିଶୁର ମୃତ୍ୟୁ ହେବା ଘଟଣା ଜଣାପଡିବା ପରେ ତୁମ୍ବି ତୋଫାନ ଆରମ୍ଭ ହୋଇଛି। ଆଜି ଖୋଦ୍‌ ଜିଲ୍ଲାପାଳ ମେଡିକାଲ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଘଟଣା ସଂପର୍କରେ ପଚାରି ବୁଝିବା ସହ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ପ୍ରସୂତି କକ୍ଷରେ ଗତକାଲି ସନ୍ଧ୍ୟାରେ ଜଣେ ନବଜାତ ପାଇଖାନା ପ୍ୟାନ୍‌ରେ ପଡିଯିବାରୁ ମୃତ୍ୟୁ ହୋଇଥିଲା। ଏହି ଘଟଣା ନେଇ ଡାକ୍ତରଖାନା ପରିସରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ଘଟଣାକୁ ଯଥା ସମ୍ଭବ ଚାପିବାକୁ ଚେଷ୍ଟା କରିଥିଲେ। ଏପଟେ ଏଥିନେଇ ଆଜି ସମ୍ବାଦରେ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଘଣ୍ଟା ଚକଟା ଆରମ୍ଭ ହୋଇଛି। ଆଜି ଜିଲ୍ଲାପାଳ ଅନୁପମ ସାହା ଡାକ୍ତରଖାନାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସିଡିଏମଓ ଡା.ଲଳିତ ରଥଙ୍କ ଆଲୋଚନା କରିବା ସହ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶୁକ୍ରବାର ଜଣେ ଗର୍ଭବତୀଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଫେରାଇ ଦେବା ପରେ ସେ ଡ୍ରେନ୍‌ରେ ସନ୍ତାନ ପ୍ରସବ କରିଥିଲେ। ଘଟଣାର ଦିନକ ପରେ ସେଇ ପ୍ରସୂତି ଓ୍ଵାର୍ଡରେ ପୁଣି ଏକ ଅଘଟଣକୁ କେହି ସହଜରେ ଗ୍ରହଣ କରି ପାରି ନାହାନ୍ତି। ଏହି ଦୁଇ ଘଟଣାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ଢେର ଅପଯଶ ମୁଣ୍ଡାଇଛି। ତେଣୁ ଏମିତି ଘଟଣା ରୋକିବା ସହ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଏପଟେ ଏହି ଘଟଣାରେ ମୁଣ୍ଡ ପୂରାଇଛି ବିଜେପି। ଦଳ ସଭାପତି ବିଜୟ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମେଡିକାଲ ଯାଇ ତଥ୍ୟ ସଂଗ୍ରହ କରିବା ସହ ଏହି ଘଟଣାର ଉଚିତ ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି। ଅପରପକ୍ଷରେ ଡ୍ରେନ୍‌ରେ ପ୍ରସବ ପାଇଁ ଚର୍ଚ୍ଚାରେ ଥିବା ଜାନିଗୁଡାର ଦଇନା ମୁଦୁଲିଙ୍କୁ ଆଜି ମେଡିକାଲରୁ ଡିସଚାର୍ଜ କରାଯାଇଛି। ସେ ତାଙ୍କ ନବଜାତ କନ୍ୟା ସୁସ୍ଥ ଥିବାରୁ ଉଭୟଙ୍କୁ ୧୦୨ ଆମ୍ବୁଲାନ୍ସରେ ଘରକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର