ପାଟଣାଗଡ଼ ହସପିଟାଲରୁ ଶିଶୁ ଚୋରି ମାମଲାର ପର୍ଦ୍ଦାଫାସ : ମା’ କୋଳକୁ ଫେରିଲା ‘ହିରୋ ଅଭିନନ୍ଦନ’

‘ସମ୍ବାଦ’ ଯୋଗୁଁ ପୁଅକୁ ଫେରି ପାଇଲୁ: ତାଣ୍ଡି ଦମ୍ପତି, ଚୋରି କରିଥିବା ଦମ୍ପତି ଗିରଫ, ବାଇକ ଜବତ, ବଲାଙ୍ଗୀର ମେଡିକାଲ କଲେଜ ହସପିଟାଲରେ ମା’-ପୁଅ ଭର୍ତ୍ତି

ବଲାଙ୍ଗୀର/ପାଟଣାଗଡ଼ : ‘ସମ୍ବାଦ’ ଯୋଗୁଁ ଆମ ପିଲାକୁ ଆଜି ଫେରି ପାଇଲୁ ବୋଲି ଭାବ ବିହ୍ବଳ ହୋଇ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରୁ ଚୋରି ହୋଇଥିବା ନବଜାତ ଶିଶୁର ବାପା ରୁଦ୍ରଦେବ ତାଣ୍ଡି ଓ ମା’ ଜୟନ୍ତୀ ତାଣ୍ଡି ପ୍ରକାଶ କରିଛନ୍ତି। ଏଥିପାଇଁ ତାଣ୍ଡି ଦମ୍ପତି ‘ସମ୍ବାଦ’କୁ କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ଡାକ୍ତରଖାନା କ୍ୟାବିନରୁ ଶିଶୁ ଚୋରି ହେବା ପରେ କିଛି ସିସିଟିଭି ଫୁଟେଜକୁ ନେଇ ‘ସମ୍ବାଦ’ ଲଗାତର ଅନୁସନ୍ଧାନମୂଳକ ଖବର ପ୍ରକାଶ କରିଥିଲା। ପ୍ରଥମରେ ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜର ମହିଳା ଜଣକ ପାଟଣାଗଡ଼ ନିକଟସ୍ଥ ଗ୍ରାମର ବୋଲି ଜଣା ପଡ଼ିଥିଲା ଓ ସେ ନିର୍ଦୋଷ ଥିଲେ। ଦ୍ୱିତୀୟରେ ଯେଉଁ ସିସିଟିଭି ଫୁଟେଜକୁ ନେଇ ‘ସମ୍ବାଦ’ ଖବର ପରିବେଷଣ କରିଥିଲା, ସେମାନେ ହିଁ ନବଜାତ ଶିଶୁକୁ ନେଇଥିବା ଜନ୍ମକଲା ମା’ ଚିହ୍ନିଥିଲେ। ଏହି ଖବର ପ୍ରକାଶନ ପରେ ତଦନ୍ତରେ ପୁଲିସକୁ ସୁରାକ ମିଳିଥିଲା। ଏପଟେ ଚୋରି କରିଥିବା କଳାହାଣ୍ଡି ଜିଲ୍ଲା କେଗାଁ ଅଞ୍ଚଳର ଦମ୍ପତି ଶୁକଦେବ ସାହୁ(୩୧), ସବିତା ସାହୁ(୨୫)ଙ୍କୁ ପୁଲିସ ଗିରଫ କରିଛି। ଆସନ୍ତା କାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବଲାଙ୍ଗୀର ଏସପି କେ.ଶିବା ସୁବ୍ରମଣି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଦମ୍ପତିଙ୍କ ପୁତ୍ର ନଥିବାରୁ ଚୋରି କରିଥିଲେ ବୋଲି ଏମାନେ ପୁଲିସ ଆଗରେ ସ୍ବୀକାର କରିଛନ୍ତି। ଏହି ଦମ୍ପତି ଚୋରି ପରେ ସିନ୍ଧେକେଲା ଥାନା ସବିତାଙ୍କ ବାପା ଘର ଗାଁ ଗରସରା ଗ୍ରାମରେ ରଖିଥିଲେ। ଗରସରା ଗ୍ରାମ ବଲାଙ୍ଗୀର-ନୂଆପଡ଼ା- କଳାହାଣ୍ଡି ଜିଲ୍ଲାର ଏକ ସୀମାନ୍ତ ଗାଁ ବୋଲି ପୁଲିସ ସୂଚନା ଦେଇଛି। ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସପି କହିଛନ୍ତି, ଗତ ୬ ତାରିଖ ଦିନ ପାଟଣାଗଡ଼ ହସପିଟାଲରୁ ରୁଦ୍ରଦେବ ତାଣ୍ଡିଙ୍କ ସ୍ତ୍ରୀ ପାଖରେ ଥିବା ନବଜାତ ଶିଶୁକୁ ଜଣେ ଅଜଣା ମହିଳା ନେଇ ଯାଇଥିଲେ। ଯାହାକୁ ନେଇ ପାଟଣାଗଡରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ସେହି ଘଟଣାରେ ମାମଲା ରୁଜୁ କରାଯାଇଥିଲା ଓ ଶିଶୁକୁ ଚୋରି କରିଥିବା ମହିଳା କିଏ ତାକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା। ଗୁଇନ୍ଦା ସୂଚନା ଆଧାରରେ ଖବର ଆସିଥିଲା ହସପିଟାଲରୁ ଚୋରି ହୋଇଥିବା ଶିଶୁଟି ସିନ୍ଧେକେଲା ଥାନା ଗରସରା ଗାଁରେ ଅଛି। ଏଣୁ ଏକ ସ୍ୱତନ୍ତ୍ର ଟିମ ଶନିବାର ଗରସରା ଗାଁକୁ ଯାଇଥିଲେ। ସେଠାରେ ଶୁକଦେବ ଓ ସବିତାଙ୍କଠାରେ ଶିଶୁ ଥିଲା। ପୁଲିସ ପଚରା ଉଚରାରେ ସେମାନେ ପ୍ରଥମରୁ ହିଁ ଶିଶୁଟିକୁ ଆଣିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲେ। ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ପୁଲିସ ଶୁକଦେବ ଓ ତାଙ୍କ ସ୍ତ୍ରୀ ସବିତାଙ୍କୁ ଗିରଫ କରିଥିଲା। ଯେହେତୁ ଏହି ଚୋରି ମାମଲାରେ ଏକ ନବଜାତ ଶିଶୁ ମା’ କୋଳରୁ ଅଲଗା ହୋଇ ଯାଇଥିଲା ଏଣୁ ପୁଲିସ ଦିନରାତି ଏକ କରି ତଦନ୍ତ କରିଥିଲା ବୋଲି ଏସପି କହିଛନ୍ତି। ପୁଲିସ ଅଭିଯୁକ୍ତ ଦମ୍ପତିଙ୍କୁ ପ୍ରାଥମିକ ପଚରାଉଚୁରା ପରେ ସେମାନଙ୍କ ଏକ ଅଢ଼େଇ ବର୍ଷର ଝିଅ ରହିଛି। ପୁଅଟିଏ ପାଇବାକୁ ସେମାନେ ବ୍ୟାକୁଳ ଥିଲେ। ତିନି ଥର ମିସକେରେଜ ମଧ୍ୟ ସବିତାଙ୍କ ହୋଇଛି। ଏଣୁ ସେମାନେ ହସପିଟାଲରୁ ଶିଶୁଟିକୁ ଚୋରି କରି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ଏସପି କହିଛନ୍ତି।

ପ୍ରକାଶ ଯେ, ଘସିଏନ ଗାଁର ମୂଳନିବାସୀ ତଥା ସାନତେଲେନପାଲିରେ ରହୁଥିବା ରୁଦ୍ରଦେବ ତାଣ୍ଡି ଓ ଜୟନ୍ତୀ ତାଣ୍ଡିଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଶିଶୁଟି ବେଡରେ ଶୋଇଥିବା ବେଳେ ଜଣେ ଅଜଣା ମହିଳା ଆଶା କର୍ମୀ ଡ୍ରେସରେ ଆସି ଚାଲାକିରେ ସେହି ଶିଶୁକୁ ନେଇ ଯାଇଥିଲା। ଶିଶୁକୁ ଖେଳାଇବା ବାହାନାରେ ନେଇଥିବା ବେଳେ ବହୁ ସମୟ ପର୍ଯ୍ୟନ୍ତ ଶିଶୁ ଆଉ ଫେରି ନଥିଲା। ଫଳରେ ଶିଶୁଟିର ମା’ ବାପା ଚିନ୍ତାଗ୍ରସ୍ତ ହୋଇ ପଡ଼ିଥିଲେ। ଏହାକୁକ ନେଇ ପାଟଣାଗଡରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାସ୍ତାରୋକ ମଧ୍ୟ ହୋଇଥିଲା। ରାସ୍ତାରୋକ ସମୟରେ ଶିଶୁର ବାପାକୁ ପାଟଣାଗଡ଼ ଥାନାର ଅନାଦି ମଟାରୀ ନାମକ ଜଣେ ଏଏସଆଇ ମାଡ ମାରିଥିବା ଅଭିଯୋଗ ହୋଇଥିଲା ଓ ସେହି ଅଭିଯୋଗରେ ଏସଏସଆଇ ମଟାରୀ ନିଳମ୍ବିତ ହୋଇଥିଲେ।

ଚୋରି ହୋଇଥିବା ୪ ଦିନର ନବଜାତ ଶିଶୁ ମା’ କୋଳକୁ ଫେରିଛି। ଶିଶୁର ନାମ ବଲାଙ୍ଗୀର ପୁଲିସ ହିରୋ ଦେଇଥିବା ବେଳେ ବାପା ମା’ ଓ ପରିବାରବର୍ଗ ତାକୁ ଅଭିନନ୍ଦନ ବୋଲି ଡାକୁଛନ୍ତି। ମା’ କୋଳକୁ ଫେରି ଭୋକରେ ଆଉଟୁ ପାଉଟୁ ହେଉଥିବା ଶିଶୁ ମା’ ଖାଦ୍ୟ ଖାଇ ଖୁସିରେ ଅଛି। ଚାରି ଦିନ ପରେ ନିଜ ପୁଅକୁ ଫେରି ପାଇଥିବାରୁ ତାଣ୍ଡି ପରିବାରରେ ଖୁସିର ମା‌ହୋଲ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର