ହୀରାକୁଦ ଜଳଭଣ୍ଡାର ସେତୁ ଉଦ୍‌ଘାଟନ ଆଜି

ସମ୍ବଲପୁର/ଇବଥର୍ମାଲ : ହୀରାକୁଦ ଜଳଭଣ୍ଡାର ଉପରେ ନିର୍ମିତ ସପ୍‌ନେ-ରମ୍ପେଲା ସେତୁର ଆଜି ଲୋକାର୍ପଣ ହେବ। ଶେଷପର୍ଯ୍ୟନ୍ତ ଏହି ସେତୁର ନିଦ୍ଦିଷ୍ଟ ନାମକରଣ ହୋଇ ପାରିନଥିଲେ ବି ରବିବାର ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିବା ସହ ଏହାର ଆପ୍ରୋଚ୍‌ ରୋଡ୍‌କୁ ବି ଉଦ୍‌ଘାଟନ କରିବେ। ରାଜ୍ୟର ଅନ୍ୟତମ ଦୀର୍ଘତମ ସେତୁ ଭାବେ ପରିଗଣିତ ହେବାକୁ ଯାଉଥିବା ଏହି ସେତୁ ସମ୍ବଲପୁର ଓ ଝାରସୁଗୁଡ଼ାର ବେଲପାହାଡ଼, ଲଖନପୁର ଅଞ୍ଚଳ ମଧ୍ୟରେ ଦୂରତ୍ୱ ବହୁ ପରିମାଣରେ ହ୍ରାସ କରିବ।

ସମ୍ବଲପୁର ଜିଲ୍ଲା ଏବଂ ଝାରସୁଗୁଡ଼ା ମଧ୍ୟରେ ସୀମା ରେଖା ଟାଣିଥିବା ଇବ ନଦୀର ଗୋଟିଏ ପଟେ ସାଲଟ ପଞ୍ଚାୟତର ସପ୍ନେ ଏବଂ ଅନ୍ୟପଟେ ରମ୍ପେଲା ପଞ୍ଚାୟତର ତାଳବେର୍ଣ୍ଣକୁ ସଂଯୋଗ କରୁଛି ଏହି ସେତୁ। କହିବାକୁ ଗଲେ ଯେଉଁଠି ରମ୍ପେଲା ଡଙ୍ଗା ଘାଟ ଥିଲା ଓ ପ୍ରତ୍ୟହ ଲୋକେ ଡଙ୍ଗାରେ ଯିବା ଆସିବା କରୁଥିଲେ ଉକ୍ତ ସ୍ଥାନରେ ନିର୍ମାଣ ହୋଇଛି ଏହି ସେତୁ। ହୀରାକୁଦ ନଦୀବନ୍ଧ ଯୋଗୁ ବୁଡ଼ି ଯାଇଥିବା ଐତିହ୍ୟ ସଂପନ୍ନ ରମ୍ପେଲା ଗାଁ ଉପରେ ଏହି ସେତୁ ନିର୍ମାଣ ହୋଇଥିବାର ପ୍ରମାଣ ଦେଇଛି ପୋଲ ପାଖକୁ ଲାଗି ରହିଥିବା ଉକ୍ତ ଗାଁର ପ୍ରାଚୀନ ହରିହର ମନ୍ଦିର। ୧୧୭ କୋଟି ୪୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପୋଲ ପାଇଁ ଅଞ୍ଚଳବାସୀ ବହୁ ଦିନରୁ ସ୍ୱପ୍ନ ଦେଖି ଆସୁଥିଲେ। ଅର୍ଦ୍ଧ ଶତାବ୍ଦୀର ଅପେକ୍ଷା ପରେ ତାହା ସାକାର ହୋଇଛି। ହୀରାକୁଦ ବୁଡ଼ି ଅଞ୍ଚଳବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ଭେଟି କହିଲେ ଅତ୍ୟୁକ୍ତି ହେବ ନାହିଁ।

ସମ୍ବନ୍ଧିତ ଖବର