ଓଡ଼ିଶାରେ ଚାଷ ହେବ ନୂତନ କିସମ କାଜୁ

ଆବଶ୍ୟକତା ଅନୁଯାୟୀ ହେଉନି କାଜୁ ଉତ୍ପାଦନ, ପ୍ରତିବର୍ଷ ଦୁଇ ଲକ୍ଷ ଟନ୍‌ ବୃଦ୍ଧି କରିବାକୁ ଲକ୍ଷ୍ୟ

ଭୁବନେଶ୍ବର : ଦେଶକୁ ବାର୍ଷିକ ୧୬ରୁ ୧୭ ଲକ୍ଷ ଟନ୍‌ କାଜୁର ଆବଶ୍ୟକତା ରହିଥିବା ବେଳେ ଏବେ ମାତ୍ର ୮ ଲକ୍ଷ ଟନ୍‌ ଉତ୍ପାଦନ ହେଉଛି। ଆସନ୍ତା ୪ରୁ ୫ ବର୍ଷ ମଧ୍ୟରେ କାଜୁ ଉତ୍ପାଦନ ବୃଦ୍ଧି ପାଇଁ ଦେଶର ବୈଜ୍ଞାନିକମାନେ ମାସନମନ୍ଥନ ଆରମ୍ଭ କରିଛନ୍ତି। ତିନି ଦିନ ଧରି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ପରିସରରେ ସର୍ବଭାରତୀୟ କୃଷି କାଜୁ ଗବେଷଣା ବୈଜ୍ଞାନିକ ସମ୍ମିଳନୀ ଚାଲିଛି। ଏଥିରେ କାଜୁ ଚାଷ, ନୂତନ କିସମର ସମ୍ପ୍ରସାରଣ, ଚାଷୀଙ୍କ ନିକଟରେ ଅତ୍ୟାଧୁନିକ ଜ୍ଞାନକୌଶଳ ପହଞ୍ଚାଇବା, ବଜାର ସୁବିଧା ସୃଷ୍ଟି ପରି ବିଷୟ ଉପରେ ଆଲୋଚନା ହେବ। ଯେଉଁ ନିର୍ଯାସ ବାହାରିବ ତାହାକୁ ୨୦୧୯-୨୦ ଆର୍ଥିକ ବର୍ଷରୁ ସାରା ଦେଶରେ ଲାଗୁ କରାଯିବ।

ଅନ୍ୟପକ୍ଷରେ କର୍ଣ୍ଣାଟକ ପୁତୁରସ୍ଥିତ କାଜୁ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏକ ନୂତନ କିସମ ‘ଏଚ୍‌ ୧୩୦’ର ଆବିଷ୍କାର ହୋଇଛି। ଏହି କିସମ କାଜୁର ଆକାର ବହୁତ ବଡ଼। ଏକର ପିଛା ୪୦୦ରୁ ୫୦୦ ଗଛ ଲାଗିପାରିବ। କର୍ଣ୍ଣାଟକରେ ଏହା ସଫଳ ହୋଇଥିବାରୁ ଦେଶରେ ଥିବା ୧୪ଟି କାଜୁ ସେଣ୍ଟର୍‌ରେ ଏହାକୁ ପରୀକ୍ଷାମୂଳକ ଭାବେ ଚାଷ କରାଯିବ। ଓଡ଼ିଶା ସମେତ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ନାଗାଲ୍ୟାଣ୍ଡ, ଛତିଶଗଡ଼, କେରଳ ରାଜ୍ୟରେ ଥିବା କାଜୁ ଗବେଷଣା କେନ୍ଦ୍ରଗୁଡ଼ିକରେ ଏହି ଭେରାଇଟ୍‌ ଚାଷ ହେବ। ବଙ୍ଗୋପସାଗର ଉପକୂଳରେ ଥିବା କର୍ଣ୍ଣାଟକରେ ଏହାର ଉତ୍ପାଦନ ଭଲ ଥିବାରୁ ଓଡ଼ିଶାରେ ମଧ୍ୟ ଫଳପ୍ରଦ ହେବ ବୋଲି ପୁତୁରସ୍ଥିତ କାଜୁ ଗବେଷଣା ପ୍ରତିଷ୍ଠାନର ନିର୍ଦେଶକ ପ୍ରଫେସର ଗଙ୍ଗାଧର ନାୟକ କହିଛନ୍ତି।

ପ୍ରଫେସର ନାୟକ ଆହୁରି କହିଛନ୍ତି ଯେ ଦେଶରୁ ଆବଶ୍ୟକୀୟ କାଜୁ ଉତ୍ପାଦିତ ହେଉ ନଥିବାରୁ ପ୍ରତିବର୍ଷ ଆଫ୍ରିକୀୟ ଦେଶଗୁଡ଼ିକରୁ ପ୍ରାୟ ୮ ଲକ୍ଷ ଟନ୍‌ କାଜୁ ଆମଦାନୀ ହେଉଛି। ଏବେ ଦେଶର ୧୦.୪ ଲକ୍ଷ ହେକ୍ଟର ଜମିରେ କାଜୁ ଚାଷ ହେଉଛି। ମହାରାଷ୍ଟ୍ରରୁ ସବୁଠାରୁ ଅଧିକ କାଜୁ ଉତ୍ପାଦିତ ହେଉଥିବା ବେଳେ ଦ୍ବିତୀୟ ସ୍ଥାନରେ ଆନ୍ଧ୍ରପ୍ରଦେଶ ଓ ତୃତୀୟ ସ୍ଥାନରେ ଓଡ଼ିଶା ରହିଛି। ପ୍ରତିବର୍ଷ ୨ରୁ ୩ ଲକ୍ଷ ଟନ୍‌ କାଜୁ ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ ୨୦୨୩ ବେଳକୁ ଭାରତରୁ ବାର୍ଷିକ ୨୦ ଲକ୍ଷ ଟନ୍‌ ପର୍ଯ୍ୟନ୍ତ କାଜୁ ଉତ୍ପାଦିତ ହୋଇପାରିବ। ଆଉ ବାହାର ଦେଶ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ବାଇଁ ଏକାଧିକ ପଦକ୍ଷେପ ନିଆଯାଇଛି।

ଗତକାଲି ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ସହ କୃଷି ମହାନିର୍ଦେଶକ ଡବ୍ଲୁ ଏସ୍‌ ଧିଲନ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ ଗତ ୧୦ ବର୍ଷ ମଧ୍ୟରେ ଉଦ୍ୟନକୃଷି କ୍ଷେତ୍ରରେ ‌ଦେଶକୁ ବେଶ ସଫଳତା ମିଳିଥିବା ସେ କହିଥିଲେ। ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଉଦ୍‌ଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଓଡ଼ିଶାରେ ୩୩୬ଟି କାଜୁ ପ୍ରୋସେସିଂ ୟୁନିଟ୍‌ ରହିଛି। ରାଜ୍ୟର ୧.୮୩ ଲକ୍ଷ ହେକ୍ଟର ଜମିରେ କାଜୁ ଚାଷ ହେଉଛି। ବିଶ୍ବବିଦ୍ୟାଳୟ ପକ୍ଷରୁ ବି କାଜୁ ‌ଗବେଷଣାକୁ ପ୍ରାଥମିକତା ଦିଆଯାଉଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର