ଏଆଇସିଟିଇର ନିଷ୍ପତ୍ତି : ଆସନ୍ତାବର୍ଷରୁ ନୂଆ ଇଞ୍ଜିନିୟରିଂ କଲେଜ ଖୋଲିବନି

ଏବେ ଅଧାରୁ ଅଧିକ ଇଞ୍ଜିନିୟରିଂ ସିଟ୍‌ ଖାଲି ପଡ଼ୁଛି, ପାରମ୍ପରିକ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ବି ସିଟ୍‌ ବଢ଼ିବନି

ଭୁବନେଶ୍ବର : ୨୦୨୦-୨୧ ଶିକ୍ଷା ବର୍ଷରୁ ନୂଆ ଇଞ୍ଜିନିୟରିଂ କଲେଜ ଖୋଲିବାକୁ ଏଆଇସିଟିଇ ଅନୁମତି ଦେବନି। ଏବେ ସାରା ଦେଶ‌େର ଇଞ୍ଜିନିୟରିଂ ସିଟ୍ ଅଧାରୁ ଅଧିକ ଖାଲି ପଡ଼ୁଥିବାରୁ ନୂଆ କଲେଜ ଖୋଲିବାକୁ ଅନୁମତି ନଦେବାକୁ ଏଆଇସିଟିଇ ଏହିଭଳି ନିଷ୍ପତ୍ତି ନେଇଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇଆଇଟି- ହାଇଦ୍ରାବାଦର ଅଧ୍ୟକ୍ଷ ବିଭିଆର୍‌ ମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା କମିଟିର ୪୧ପୃଷ୍ଠାର ରିପୋର୍ଟକୁ ଆଧାର କରି ଏଆଇସିଟିଇ ଏହି ନିଷ୍ପତ୍ତି ନେଇଛି। ସେହିପରି ଏହି କମିଟିର ସୁପାରିସ୍ ଲାଗୁ କରିବାକୁ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଏଆଇସିଟିଇକୁ କହିବା ପରେ ଏଆଇସିଟିଇ ୨୦୧୯-୨୦ ହ୍ୟାଣ୍ଡବୁକ୍‌ରେ ଏହାକୁ ସ୍ଥାନିତ କରିଛି।

କମିଟିର ସୁପାରିସ୍ ଅନୁଯାୟୀ, ଇଞ୍ଜିନିୟରିଂ କଲେଜରେ ଥିବା ପାରମ୍ପାରିକ ଇଞ୍ଜିନିୟରିଂ ପାଠ୍ୟକ୍ରମ ଯଥା ମେକାନିକାଲ, ସିଭିଲ୍‌, ଇଲେକ୍ଟ୍ରିକାଲ୍‌ ଏବଂ ଇଲେକ୍ଟ୍ରୋନିକ୍ସରେ ଆଉ ସିଟ୍ ବୃଦ୍ଧି ପାଇବନି। ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯେପରି ଇଞ୍ଜିନିୟରିଂ ପଢ଼ିବାକୁ ଆଗ୍ରହୀ ହେବେ ସେଥିପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବ୍ଲକଚେନ୍, ରୋବୋଟିକ୍ସ, କ୍ବାଣ୍ଟମ୍ କମ୍ପ୍ୟୁଟିଙ୍ଗ୍, ଡାଟା ସାଇନ୍ସ୍, ସାଇବର୍ ସିକ୍ୟୁରିଟି, ଥ୍ରିଡି ପ୍ରିଣ୍ଟିଂ ଆଣ୍ଡ ଡିଜାଇନିଂ ଭଳି ଇଞ୍ଜିନିୟରିଂ ପାଠ୍ୟକ୍ରମ ଖୋଲିବାକୁ କୁହାଯାଇଛି।

ଏଆଇସିଟିଇ ପକ୍ଷରୁ କୁହାଯାଇଛି ଯେ, ୨୦୧୬-୧୭ରେ ଦେଶରେ ଥିବା ୩୨୯୧ଟି ବୈଷୟିକ ଶିକ୍ଷାନୁଷ୍ଠାନର ପ୍ରାୟ ସାଢ଼େ ୧୫ଲକ୍ଷ ସିଟ୍‌ରୁ ୫୧% ସିଟ୍ ଖାଲି ପଡ଼ିଥିଲା। ଏପରିକି ୨୦୧୮-୧୯ରେ ୧୦୪୧୦ଟି ବୈଷୟିକ ଶିକ୍ଷାନୁଷ୍ଠାନର ୩୩,୯୦,୪୮୫ଟି ସିଟ୍‌ ଥିବାବେଳେ ଏମ୍‌ଟେକ୍‌‌ ଓ ବିଟେକ୍‌ରେ ୨୧ଲକ୍ଷ ୮୮ହଜାର ୬୨ ଟି ସିଟ୍ ଅଛି। ଏଥିରୁ ପ୍ରାୟ ୬୦% ସିଟ୍‌ ଖାଲି ପଡ଼ିଛି।

ଅପରପକ୍ଷେ ଏଆଇସିଟିଇର ସୂଚନା ଅନୁଯାୟୀ, ଓଡ଼ିଶାରେ ଚଳିତ ଶିକ୍ଷା ବର୍ଷରେ ୩୦୦ଟି ବୈଷୟିକ ଶିକ୍ଷାନୁଷ୍ଠାନରେ ଡିପ୍ଲୋମା, ବିଟେକ୍‌ ଏବଂ ଏମ୍‌ଟେକ୍‌ରେ ୧,୦୩,୩୬୫ଟି ସିଟ୍‌ ଅନୁମୋଦନ ହୋଇଥିବା ବେଳେ ଏଥିରୁ ପ୍ରାୟ ୫୪%ରୁ ଅଧିକ ସିଟ୍ ଖାଲି ପଡ଼ିଛି। ଚଳିତବର୍ଷ ୧୫୮ଟି ଡିପ୍ଲୋମା କଲେଜରେ ୪୬୩୨୧ଟି ସିଟ୍‌, ୧୩୦ଟି ଏମ୍‌ଟେକ୍ କଲେଜରେ ୧୫୦୫୯ଟି ସିଟ୍‌ ଏବଂ ୧୧୧ଟି ବି.ଟେକ୍ କଲେଜରେ ୪୧୯୮୫ଟି ସିଟ୍‌ ପାଇଁ ନାମ ଲେଖାଇବା ପାଇଁ ଅନୁମୋଦନ ହୋଇଥିଲା। କିନ୍ତୁ ୭ଟି କଲେଜ ବନ୍ଦ ହୋଇଯାଇଥିଲା।

ଓଜେଇଇ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ୨୦୧୮-୧୯ରେ ବିଟେକ୍‌ରେ ୩୮,୨୩୪ଟି ସିଟ୍‌ ନାମ ଲେଖା ପାଇଁ ରଖାଯାଇଥିବାବେଳେ ୨୫୩୭୦ଟି ସିଟ୍‌ (୬୬.୩୫%) ଖାଲି ପଡ଼ିଥିବାବେଳେ ଏମ୍‌.ଟେକ୍‌ରେ ୩୨୨୮ଟି ସିଟ୍‌ରୁ ୨୧୩୭ଟି (୬୬.୨୦%), ଲ୍ୟାଟେରାଲ୍ ଏଣ୍ଟ୍ରି ବି.ଟେକ୍‌ରେ ୩୭୪୪୫ଟି ସିଟ୍‌ ନାମ ଲେଖା ପାଇଁ ଥିବାବେଳେ ଏଥିରୁ ୨୩୮୨୬ଟି ସିଟ୍‌ (୬୩.୬୨%)‌ ଖାଲି ପଡ଼ିଛି। ଅପରପକ୍ଷେ ଡିପ୍ଲୋମାରେ ବି ପ୍ରାୟ ୨୦% ସିଟ୍‌ ଖାଲି ପଡ଼ିଛି।

ସେହିପରି ୨୦୧୭-୧୮ରେ ୪୨୮୮ଟି ସରକାରୀ ଇଞ୍ଜିନିୟରିଂ କଲେଜ ସିଟ୍‌ ଏବଂ ୪୦୪୫୧ଟି ଘରୋଇ ଇଞ୍ଜିନିୟରିଂ କଲେଜ ସିଟ୍‌କୁ ମିଶାଇ ମୋଟ୍ ୪୪,୭୩୯ଟି ସିଟ୍‌ରେ ନାମ ଲେଖା ହୋଇଥିଲା। ଏପରିକି ଜେଇଇ ମେନ୍‌ ଏବଂ ଦ୍ବିତୀୟ ଓଜେଇଇ ମାଧ୍ୟମରେ ୪୬୪୧୬ଜଣ ବି ରୢାଙ୍କ ପାଇଥିଲେ। କିନ୍ତୁ ୧୪,୨୯୩ଜଣ ନାମ ଲେଖାଇଲେ। ଯାହା ମୋଟ୍‌ ସିଟ୍‌ର ପ୍ରାୟ ୩୨%। ପ୍ରାୟ ୬୮% ସିଟ୍ ଖାଲି ପଡ଼ିଥିଲା।

୨୦୧୮ରେ ୬୬% ଏବଂ ୨୦୧୭ରେ ୬୮% ସିଟ୍ ଖାଲି ପଡ଼ିଥିବାବେଳେ ଏବେ ବହୁ କଲେଜ ସଂପୂର୍ଣ୍ଣ ବନ୍ଦ କରିବାକୁ ବି ଏଆଇସିଟିଇ ନିକଟରେ ଆ‌େବଦନ କରିଛନ୍ତି।

ଏନେଇ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ ସ୍କୁଲ ସଂଘ (ଓପେସା)ର ସାଧାରଣ ସମ୍ପାଦକ ସରୋଜ କୁମାର ସାହୁ କହିଛନ୍ତି ଯେ, ବିଗତ ବର୍ଷଗୁଡ଼ିକରେ ଏଆଇସିଟିଇ ପକ୍ଷରୁ ଇଞ୍ଜିନିୟରିଂ କଲେଜଗୁଡ଼ିକର ଭିତ୍ତିଭୂମି ତଦାରଖ ନକରି ମନଇଚ୍ଛା ସିଟ୍‌ ବଢ଼ାଇବା ଦ୍ବାରା ଏପରି ପରିସ୍ଥିତି ଉପୁଜିଲା। ବର୍ତ୍ତମାନ ଏଆଇସିଟିଇ ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ଆସନ୍ତା କିଛି ବର୍ଷ ପର୍ଯ୍ୟନ୍ତ ଏଆଇସିଟିଇ ଇଞ୍ଜିନିୟରିଂ ସିଟ୍ ନବଢ଼ାଇ ଯଦି ବୈଷୟିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଧ୍ୟାନ ଦେବ ତେ‌େବ ଇଞ୍ଜିନିୟରିଂ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ିବ। ଶିଳ୍ପାନୁଷ୍ଠାନ ମଧ୍ୟ ଇଞ୍ଜିନିୟରିଂ କଲେଜଗୁଡ଼ିକରୁ ସିଧାସଳଖ ନିଯୁକ୍ତି ଦେବାକୁ ଆଗ୍ରହ ଦେଖାଇବେ।

ଓଜେଇଇ ଅଧ୍ୟକ୍ଷ ସୁନ୍ଦୀପ କୁମାର ଚାନ୍ଦ କହିଛନ୍ତି ଯେ ଗଠନ ହୋଇଥିବା କମିଟି ଏଆଇସିଟିଇକୁ ରିପୋର୍ଟ ଦେଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ନୂଆ କଲେଜ ଖୋଲିବାକୁ ଅନୁମତି ନ ହେବାକୁ ପ୍ରସ୍ତାବରେ ରହିଛି। ଏନେଇ ଆମ ପାଖକୁ କୌଣସି ଖବର ଆସିନି।

ସମ୍ବନ୍ଧିତ ଖବର