ନୂଆ ସରକାର ଅପେକ୍ଷା‌ରେ ଦୁଇ ସରକାରୀ କୋଠା

ଭୁବନେଶ୍ବର: ପାୱାର ହାଉସ୍‌ ଛକ ନିକଟରେ ୧୨୪କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ନୂଆ ନ’ତାଲା। ବ‌ର୍ଷେ ହେଲା ନିର୍ମାଣ ସରିଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ଉଦ୍‌ଘାଟନ ହୋଇପାରୁନି। ସେହିପରି ସତ୍ୟନଗରରେ ନିର୍ମାଣ ହୋଇଛି ‘ଉନ୍ନତି ଭବନ’। ପ୍ରାୟ ୨୫କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଭବନର ନିର୍ମାଣ କାର୍ଯ୍ୟ ୪ମାସ ହେଲା ସରିଲାଣି। ଏହା ବି ଉଦ୍‌ଘାଟନ ହୋଇପାରୁନି। ଏହି ଦୁଇଟି ସରକାରୀ କୋଠା ନିର୍ମାଣ ଶେଷ ହୋଇଥିଲେ ହେଁ ଉଦ୍‌ଘାଟନ ହେବ ହେବ ବୋଲି ହୋଇପାରିନି। ଗୋଟିଏ ‌େକାଠାର ଉଦ୍‌ଘାଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟସ୍ତ କାର୍ଯ୍ୟକ୍ରମ ସୂଚୀରୁ ସମୟ ବାହାରିପାରିଲାନି, ଅନ୍ୟଟିରେ କେଉଁ ବିଭାଗ ନୂ୍ଆ ନ’ତାଲାକୁ ଆସିବେ ଅଡ଼ୁଆ ଛିଣ୍ଡିଲାନି। ଏହିଭଳି ଛକାପଞ୍ଝାରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଗଲା। ରାଜ୍ୟ ସରକାର ଏତେ ଅର୍ଥ ଖର୍ଚ୍ଚ କରି ଦୁଇଟି ସୁଉଚ୍ଚ କୋଠା ନିର୍ମାଣ କଲେ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି ଦୁଇଟି କୋଠାକୁ ଉଦ୍‌ଘାଟନ କରିବାକୁ ଦୁଇଟି ବିଭାଗର ଅଧିକାରୀମାନେ ଜିଦ୍‌ରେ ଅଛନ୍ତି। ଦୁଇଟି ଯାକ ବିଭାଗ ପକ୍ଷରୁ ମଧ୍ୟ ସେହି ଅନୁଯାୟୀ ପ୍ରସ୍ତୁତି ଚାଲିଛି। ତେଣୁ ଏହି ଦୁଇଟି ସୁଉଚ୍ଚ ସରକାରୀ ଅଟ୍ଟାଳିକା ଏବେ ନୂଆ ସରକାର ଅପେକ୍ଷାରେ। ନିର୍ବାଚନ ସରିବା ପରେ ଯିଏ ମୁଖ୍ୟମନ୍ତ୍ରୀ ହେବେ ସେ ଏହି ଦୁଇଟି କୋଠାର ଉଦ୍‌ଘାଟନ କରିବେ। ଏହାପରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ଆସନ୍ତା ଜୁନ୍‌ କିମ୍ବା ଜୁଲାଇ ମାସରେ ଏହା ଉଦ୍‌ଘାଟନ ହୋଇପାରେ।

ଉନ୍ନତି ଭବନ
ଜନସ୍ବାସ୍ଥ୍ୟ ବିଭାଗ ଅଧୀନରେ ଥିବା ଓଡ଼ିଶା ଜଳ ଯୋଗାଣ ଓ ସ୍ବେରେଜ୍ ‌ବୋର୍ଡ ପକ୍ଷରୁ ସତ୍ୟନଗରରେ ନିର୍ମାଣ ହୋଇଛି ୫ମହଲା ବିଶିଷ୍ଟ ‘ଉନ୍ନତି ଭବନ’। ପ୍ରାୟ ୨୫କୋଟି ଟଙ୍କାୟ ବ୍ୟୟରେ ନିର୍ମାଣ ହୋଇଥିବା ଏହି କୋଠାର କାରୁକାର୍ଯ୍ୟ ଆକର୍ଷଣୀୟ ହୋଇଛି। ୨୦୧୪ ମସିହାରୁ ନିର୍ମାଣ ଆରମ୍ଭ ହୋଇଥିବା ଏହି କୋଠାଟି ୨୦୧୮ ଡିସେମ୍ବରରେ ଶେଷ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ହେବ। ନ’ତାଲାରେ ଥିବା ଏହି କାର୍ଯ୍ୟାଳୟ ଏଠାକୁ ସ୍ଥାନାନ୍ତର ହେବ। ଏହାସହ ସ୍ବେରେଜ୍‌ ବୋର୍ଡ, ଜାଗା ମିସନ୍ ଏବଂ ଅନ୍ୟାନ୍ୟ କିଛି କାର୍ଯ୍ୟାଳୟ ରହିବ। ଏଠାରେ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଓ ସଚିବଙ୍କ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ରହିବ। ସମ୍ମିଳନୀ କକ୍ଷ, କ୍ୟାଣ୍ଟିନ୍ ଏବଂ ପାଠାଗାର ବି ରହିବ। ସ୍ବେରେଜ୍‌ ବୋର୍ଡର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି କୋଠା ସଂପୂର୍ଣ୍ଣ ସୌରଶକ୍ତି ଚାଳିତ ହେବ। ଏଠାରେ ୧୧୦କିଲୋୱାଟ୍‌ ସୌରଶକ୍ତି ଉତ୍ପାଦନ କରିବାର ବ୍ୟବସ୍ଥା ଅଛି। ଏଠାରୁ ଯାହା ବିଦ୍ୟୁତ୍‌ ଉତ୍ପାଦନ ହେବ ତାହାକୁ ସେସୁକୁ ବିକ୍ରି କରାଯିବ। ‌ଉନ୍ନତି ଭବନରେ ଯେତିକି ବିଦ୍ୟୁତ ଖର୍ଚ୍ଚ ହେବ ତାହାକୁ କାଟି ସେସୁ ବିଦ୍ୟୁତ୍ ବିଲ୍‌ ଆଦାୟ କରିବ। ଏହାବ୍ୟତୀତ ଏଠାରେ ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ ଏବଂ ସ୍ବେରେଜ୍‌ ବୋର୍ଡର ବିଭିନ୍ନ ପ୍ରକଳ୍ପ ପାଇଁ ବି ସ୍ଥାନ ରହିବ। ଏଠାରେ ସ୍ବେରେଜ୍‌ ବୋର୍ଡର ପ୍ରସ୍ତାବିତ ସ୍ବେରେଜ୍‌ ମ୍ୟୁଜିୟମ ବି ପ୍ରତିଷ୍ଠା କରିବାର ଯୋଜନା ଅଛି। ଯାହା ନିଷ୍ପତ୍ତି ନେବା କଥା ତାହା ମେ ସୁଦ୍ଧା ନେବାକୁ କୁହାଯାଇଛି।

ନୂଆ ନ’ତାଲା
ସେହିପରି ନୂଆ ନ’ତାଲାକୁ ରାଜ୍ୟ ସରକାରଙ୍କ ୧୦ଟି ବିଭାଗ ସ୍ଥାନାନ୍ତର ହେବାକୁ ନିଷ୍ପତ୍ତି ହୋଇଛି। ସଚିବାଳୟରେ ଥିବା ବାଣିଜ୍ୟ ଓ ପରିବହନ ବିଭାଗ, ଅବକାରୀ, ସ˚ସ୍କୃତି, ପର୍ଯ୍ୟଟନ, ଏମ୍‌ଏସ୍‌ଏମ୍‌ଇ, ଦକ୍ଷତା ବିକାଶ ଏବ˚ ବୈଷୟିକ ଶିକ୍ଷା, ବିଜ୍ଞାନ ଏବ˚ ବୈଷୟିକ ଜ୍ଞାନ, ଇଲେକ୍ଟ୍ରୋନିକ୍ସ ଏବ˚ ଆଇଟି, ସମବାୟ ବିଭାଗ, ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗକୁ ନୂଆ ନ’ତାଲାକୁ ସ˚ପୂର୍ଣ୍ଣ ସ୍ଥାନାନ୍ତର କରାଯିବ। ଏହାସହ କ୍ୟାପିଟାଲ ହସ୍ପିଟାଲ ନିକଟରେ କାର୍ଯ୍ୟ କରୁଥିବା ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗକୁ ବି ଏଠାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। ନୂଆ ନ’ତାଲା ବର୍ତ୍ତମାନର ସଚିବାଳୟର ଆନେକ୍ସ ବିଲଡି˚ ଭାବେ କାର୍ଯ୍ୟ କରିବ। ବର୍ତ୍ତମାନର ସଚିବାଳୟରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ, ଆଇନ୍‌, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଭଳି ବିଭାଗଗୁଡ଼ିକ ରହିବ। ପରବର୍ତ୍ତୀ ସମୟରେ ଆବଶ୍ୟକ ପଡ଼ିଲେ କେତୋଟି ଛୋଟ ବିଭାଗକୁ ନୂଆ ନ’ତାଲାକୁ ସ୍ଥାନାନ୍ତର କରାଯାଇପାରେ। ସଚିବାଳୟରୁ ବିଭିନ୍ନ ବିଭାଗ ସ୍ଥାନାନ୍ତର ହେବା ପରେ ଯେତେ ରୁମ୍‌ ଖାଲି ପଡ଼ିବ ସେଥିରୁ ୭ରୁ ୮ଟି ରୁମ୍‌ ବିଭିନ୍ନ ବୋର୍ଡର ଅଧୢକ୍ଷ ଏବ˚ ନିଗମର କାର୍ଯ୍ୟାଳୟ ପାଇଁ ରହିବ। ଯାହାକୁ ଜରୁରୀକାଳୀନ ସ୍ଥିତିରେ ଆବଣ୍ଟନ କରାଯିବ ବୋଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ରାୟ ୧୦ମାସ ତଳୁ ନିଷ୍ପତ୍ତି ହୋଇଛି। ହେଲେ ଯେଉଁ ବିଭାଗକୁ ସ୍ଥାନାନ୍ତର କରିବାକୁ କୁହାଯାଉଛି ସେଥିରୁ କିଛି ବିଭାଗ ସଚିବାଳୟ ଛାଡ଼ିବାକୁ ନାରାଜ। ଆଉ କିଛି ବିଭାଗ ପାଇଁ ସାଧାରଣ ପ୍ରଶାସନ ବିଭାଗ ଯେତିକି ଜାଗା ଆବଣ୍ଟନ କରୁଛି ସେତିକିରେ ଅଫିସ ଚାଲିପାରିବନି ବୋଲି ବିଭିନ୍ନ ବିଭାଗ କହୁଛନ୍ତି। ଏପରିକି ତଳିଆ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ମାଗୁଛନ୍ତି। ଯାହା ସାଧାରଣ ପ୍ରଶାସନ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଆଉ ଯେଉଁ ବିଭାଗ ନୂଆ ନ’ତାଲାକୁ ଆସିବାକୁ ଚାହୁଁଛନ୍ତି ସେମାନଙ୍କୁ ସଚିବାଳୟ ଏବଂ ନ’ତାଲାରୁ କାଢ଼ିବାକୁ ସାଧାରଣ ପ୍ରଶାସନ ବିଭାଗ ନାରାଜ। ଏହିଭଳି ଟଣାଓଟରା ଭିତରେ କୋଠାଟି ବର୍ଷେ ହେଲା ନିର୍ମାଣ ସରିଥିଲେ ବି ଉଦ୍‌ଘାଟନ ହୋଇପାରିଲାନି। ନୂଆ ନ’ତାଲା ଉଦ୍‌ଘାଟନ ହେବା ପରେ ଯଦି ବିଭିନ୍ନ କାର୍ଯ୍ୟାଳୟ ନଚାଲେ ତେବେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହାକୁ ଉଦ୍‌ଘାଟନ କରାଯାଇପାରିଲାନି। ମେ ସୁଦ୍ଧା ସବୁ ବିବାଦ ତୁଟାଇ ବିଭାଗଗୁଡ଼ିକର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି। ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ନୂଆ ନ’ତାଲା କାର୍ଯ୍ୟ ସଂପୂର୍ଣ୍ଣ ଶେଷ ହୋଇଛି। ଏହା କେବେ ଉଦ୍‌ଘାଟନ ହେବ, କେଉଁ ବିଭାଗ ଆସିବ ତାହା ସାଧାରଣ ପ୍ରଶାସନ ବିଭାଗ ନିଷ୍ପତ୍ତି ନେବ। ଆମର କିଛି କହିବାର ନାହିଁ।

ସମ୍ବନ୍ଧିତ ଖବର