ଘରୋଇ ଯୁକ୍ତ୨ କଲେଜରେ ଲାଗିବ ଅଙ୍କୁଶ

ନୂଆ ଗାଇଡ୍‌ଲାଇନ୍‌ ଆଣିବାକୁ ଯୋଜନା, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତ ହେବେ ପିଜିଟି

ଭୁବନେଶ୍ୱର : ରାଜ୍ୟରେ ଥିବା ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ଉପରେ ଲାଗିବ ଅଙ୍କୁଶ। ଏବେ ବିଦ୍ୟାଳୟ ଖୋଲିବା ଲାଗି ଯେଉଁ ଗାଇଡ୍‌ଲାଇନ୍‌ ରହିଛି ସେଥିରେ ସଂଶୋଧନ କରାଯିବ। ଅନୁମତି ଦେବା ପୂର୍ବରୁ ଭିତ୍ତିଭୂମି ଯାଞ୍ଚ ହେବ। ଲାଇବ୍ରେରି, ଲାବୋରୋଟାରି ସମେତ କ୍ୟାମ୍ପସରେ ମୌଳିକ ସୁବିଧା ରହିଛି କି ନାହିଁ ତାହାକୁ ବି ଅନୁଧ୍ୟାନ କରାଯିବ। ଏହାପରେ ଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମତି ଦିଆଯିବ।

ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବେ ତିଷ୍ଠି ରହିଛି ସେମାନଙ୍କ ପାଇଁ ଏକ ନିର୍ଦିଷ୍ଟ ସମୟ ଧାର୍ଯ୍ୟ କରାଯିବ। ଉକ୍ତ ସମୟ ମଧ୍ୟରେ ବିଦ୍ୟାଳୟ ନିଜର ଭିତ୍ତିଭୂମି ସଜାଡ଼ିବେ। ନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଥମେ ଫାଇନ୍‌ କରାଯିବ। ତା’ପରେ ଯଦି ଭିତ୍ତିଭୂମି ନ ସଜାଡ଼ିବେ ତେବେ ସେମାନଙ୍କ ଅନୁମତି ପ୍ରତ୍ୟାହାର କରି ନିଆଯିବ। ଏଭଳି ଏକ ଯୋଜନା ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି। ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ନୂଆ ଗାଇଡ୍‌ଲାଇନ୍‌ ଆସିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶୈକ୍ଷିକ ବାତାବରଣ ସୃଷ୍ଟି ଉପରେ ଅଧିକ ଧ୍ୟାନ ଦିଆଯିବ। ଶିକ୍ଷକ- ଛାତ୍ରଛାତ୍ରୀଙ୍କ ଅନୁପାତକୁ ପ୍ରଥମେ ଦୂର କରାଯିବ। ଆସନ୍ତା କିଛି ମାସ ମଧ୍ୟରେ ଉଚ୍ଚ ମାଧ୍ୟମିକ ବିିଦ୍ୟାଳୟରେ ଆବଶ୍ୟକୀୟ ଅଧ୍ୟାପକ ପଦବି ପୂରଣ କରାଯିବ। ପ୍ରଥମେ ଯୁକ୍ତ୩ କଲେଜରୁ ଡେପୁଟେସନ୍‌ରେ ଆସିଥିବା ଅଧ୍ୟାପକଙ୍କୁ ନିଜ ସ୍ଥାନକୁ ଫେରାଇ ନିଆଯିବ। କେତେ ଅଧ୍ୟାପକ ଡେପୁଟେସନ୍‌ରେ ବିଦ୍ୟାଳୟକୁ ଆସିଛନ୍ତି ତାହାର ତାଲିକା ପ୍ରସ୍ତୁତ ହେଉଛି। ଉକ୍ତ ପଦବିଗୁଡ଼ିକରେ ପିଜିଟି(ପୋଷ୍ଟ ଗ୍ରାଜୁଏଟ୍‌ ଟିଚର)ଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକଙ୍କ କ୍ଷେତ୍ରରେ ନୂଆ ନିୟମ ଲାଗୁ କରାଯିବ। ଯେଉଁ ବିଦ୍ୟାଳୟରେ ଅଧ୍ୟାପକମାନେ ଆଗରୁ ନିଯୁକ୍ତି ପାଇଛନ୍ତି ସେମାନଙ୍କୁ ହଟାଯିବ ନାହିଁ। ସେମାନେ ଆଗଭଳି ରହିବେ। ହେଲେ ୨୦୧୮-୧୯ ଶିକ୍ଷାବର୍ଷରେ ଯଦି କୌଣସି ନୂତନ ନିଯୁକ୍ତି ହୁଅନ୍ତି ତେବେ ଶିକ୍ଷକଙ୍କ ଯୋଗ୍ୟତା ପିଜିଟି ହେବା ବାଧ୍ୟତାମୂଳକ। ନୂତନ ଭାବେ ଆସିବାକୁ ଥିବା ଗାଇଡ୍‌ଲାଇନରେ ଏହା ଉଲ୍ଲେଖ କରାଯାଇଛି। ଭିତ୍ତିଭୂମି ଉପରେ ବି ଧ୍ୟାନ ଦିଆଯିବ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୋଟିଏ ଶ୍ରେଣୀଗୃହର ଲମ୍ବ ଓ ଓସାର କେତେ ରହିବ ତାହା ଧାର୍ଯ୍ୟ କରାଯାଇଛି। ଯଦି ଶ୍ରେଣୀଗୃହର ଲମ୍ବ ଓ ଓସାର ଠିକ୍‌ ନ ଥିବ ତେବେ ଅନୁମତି ମିଳିବନି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦିଆଯିବ।

ଓଡ଼ିଶାରେ ଏବେ ୪୫୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ଅଧିକାଂଶ ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ଶିକ୍ଷା ଦିଆଯାଉଛି। ତେଣୁ ସେଠାରେ ଭିତ୍ତିଭୂମି ଠିକ୍‌ ନାହିଁ। କେଉଁଠି ଲାଇବ୍ରେରି ନାହିଁ ତ କେଉଁ ବିଦ୍ୟାଳୟର ଲାବୋରୋଟାରି ସବୁ ପିଲାଙ୍କ ପାଇଁ ଅଣ୍ଟୁନି। ନାମଲେଖା ବେଳେ ବିଦ୍ୟାଳୟଗୁଡ଼ିକ ପିଲାଙ୍କଠାରୁ ଅଧିକ ଅର୍ଥ ନେଉଥିଲେ ମଧ୍ୟ ଆବଶ୍ୟକୀୟ ଭିତ୍ତିଭୂମି କରୁନାହାନ୍ତି। ତାହାକୁ ଦୃଷ୍ଟିରେ ରଖି କେତେ ପିଲାଙ୍କ ପାଇଁ କେଉଁଭଳି ଲାଇବ୍ରେରି ଓ ଲାବୋରୋଟାରି ରଖାଯିବ ତାହା ବି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ହୋଇଛି। ହଷ୍ଟେଲ ସୁବିଧା, ସେଠାରେ ସୁରକ୍ଷା, ପିଲାଙ୍କ ଖାଦ୍ୟ ବ୍ୟବସ୍ଥା ପରି ବିଷୟରେ ବି ଗୁରୁତ୍ୱ ଦେବାକୁ ଗାଇଡ୍‌ଲାଇନ୍‌ରେ ରଖାଯିବ। ଯଦି କୌଣସି ବିଦ୍ୟାଳୟ ତାହାକୁ ଉଲ୍ଲଂଘନ କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର