ଜମି ଅଧିଗ୍ରହଣ ବ୍ୟବସ୍ଥା ରହିବ ନାହିଁ

ବଦଳିଲା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ମାର୍ଗଦର୍ଶିକା

ଭୁବନେଶ୍ୱର : ୨୦୧୪-୧୫ ମସିହାରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ମାଗଦର୍ଶିକାରେ ପରିବର୍ତନ ଅଣାଯାଇଛି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ନିକଟରେ ପ୍ରକାଶ କରିଛି ବିଜ୍ଞପ୍ତିି। ଏଥିରେ ଜମି ଅଧିଗ୍ରହଣ ବ୍ୟବସ୍ଥା ରଖାଯାଇନାହିଁ। ଆବଶ୍ୟକ ସ୍ଥଳେ ସଂପୃକ୍ତ ଗ୍ରାମବାସୀ ସ୍ୱେଚ୍ଛାକୃତ ଭାବେ ଜମି ଦାନସୂତ୍ରରେ ଦେଲେ, ସେହି ଗ୍ରାମରେ ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣ କରାଯିବ। ଜମି ଅଧିଗ୍ରହଣ ଯେ କୌଣସି ପ୍ରକଳ୍ପର କାର୍ଯ୍ୟକାରିତା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ଏହି ବ୍ୟବସ୍ଥା ଆଦୌ ରଖାନଯିବା ଦ୍ୱାରା ସଡ଼କ ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ ହୋଇପାରିବ ବୋଲି ସରକାର ଆଶାପ୍ରକାଶ କରିଛନ୍ତି।

ରାଜ୍ୟର ଯେଉଁ ଗ୍ରାମ ବା ଜନବସତି ସଡ଼କ ସଂଯୋଗରୁ ବାଦ୍‌ ପଡ଼ିଛି କିମ୍ବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିନାହିଁ, ସେହି ଜନବସତିକୁ ସଂଯୋଗୀକରଣ ସଡ଼କ ନିର୍ମାଣ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ ହେଉଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ତଥ୍ୟ ବୟାନ କରୁଛି ଯେ ରାଜ୍ୟର ପ୍ରାୟ ୭୫୧୧ଟି ଜନବସତି ସଡ଼କ ସଂଯୋଗରୁ ବଞ୍ଚିତ। ଏଥିମଧ୍ୟରୁ ଅନେକ ଗ୍ରାମକୁ ପ୍ରଧାନମନ୍ତ୍ରୀ ଯୋଜନାରେ ସଂଯୋଗୀକରଣ ଲକ୍ଷ୍ୟ ରଖାଯାଇଛି। ତେବେ ୩୪୮୬ ଜନବସତି ବା ଗ୍ରାମକୁ ପ୍ରାୟ ୧୦ ହଜାର କି.ମି. ସଡ଼କ ସଂଯୋଗ ଲକ୍ଷ୍ୟ ରଖାଯାଇଛି। ଆଗାମୀ ୧୦ ବର୍ଷରେ ପ୍ରାୟ ୬ ହଜାର କୋଟି ଟଙ୍କା ବ୍ୟୟରେ ସରକାରଙ୍କ ଲକ୍ଷ୍ୟ ସାଧିତ ହେବ ବୋଲି ଦର୍ଶାଯାଇଛି। ଏହି ଯୋଜନାର କାର୍ଯ୍ୟାନ୍ଵୟନ ନିମନ୍ତେ ସରକାର ଗତ ୭ ତାରିଖରେ ପରିବର୍ତିତ ମାଗଦର୍ଶିକା ପ୍ରକାଶ କରିଛନ୍ତି।

ଏହି ମାଗଦର୍ଶିକା ଅନୁଯାୟୀ ଯୋଜନା ଅନ୍ତର୍ଗତ ପ୍ରକଳ୍ପ ପ୍ରସ୍ତାବଗୁଡ଼ିକ ଅନୁମୋଦନ ପାଇଁ ଉଭୟ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ କମିଟି ଗଠନ କରାଯିବ। ରାଜ୍ୟସ୍ତରୀୟ କମିଟିରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ଥିବା ବେଳେ ଉନ୍ନୟନ କମିସନର, ଅର୍ଥ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସଚିବ, ପୂର୍ତ ବିଭାଗ ସଚିବ, ମୁଖ୍ୟ ଯନ୍ତ୍ରୀ ସଦସ୍ୟ ଏବଂ ରୁରାଲ୍‌ ଓ୍ଵାର୍କସର ଇଆଇସି ସଦସ୍ୟ ସଚିବ ରହିବେ। ମୁଖ୍ୟ ସଚିବ ଚାହିଁଲେ ଅନ୍ୟ ବିଭାଗରୁ ଅଧିକାରୀଙ୍କୁ କମିଟି ବୈଠକକୁ ଡକାଇପାରିବେ। ସେହିପରି ଜିଲ୍ଲା ସ୍ତରୀୟ କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ, ଜିଲ୍ଲାର ସମସ୍ତ ବିଧାୟକ, ୨ରୁ ୪ଜଣ ଜିଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ(ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହେବେ), ଡିଆରଡିଏ ପ୍ରକଳ୍ପ ନିର୍ଦେଶକ, ରୋଡ୍‌ ଆଣ୍ଡ ବିଲ୍‌ଡିଂ ନିର୍ବାହୀ ଯନ୍ତ୍ରୀ, ଆରଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ, ରୁରାଲ୍‌ ଓ୍ଵାର୍କସ ନିର୍ବାହୀ ଯନ୍ତ୍ରୀ ସଦସ୍ୟ ରହିବେ।

ଏହି ଯୋଜନାରେ ସଡ଼କ ପ୍ରକଳ୍ପ ନିମନ୍ତେ ରାଜ୍ୟ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରାଯିବ। ଯେଉଁ ଠିକାସଂସ୍ଥା ସଡ଼କ ନିର୍ମାଣ କରିବେ, ତିନିବର୍ଷ ପର୍ଯ୍ୟନ୍ତ ସେହି ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବ। ୧୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଗ୍ରାମ ବା ଜନବସତି ଥିବା ଗ୍ରାମକୁ ୭.୫ ମିଟର ବିଶିଷ୍ଟ କଲ୍‌ଭର୍ଟ, ୩.୭୫ ମିଟର ଓସାରର ସଡ଼କ ନିର୍ମାଣ କରାଯିବ। ୧୦୦ରୁ କମ୍‌ ଜନସଂଖ୍ୟା ବିଶିଷ୍ଟ ଜନବସତି ପାଇଁ ୩ ମିଟର ଓସାରର ସଡ଼କ ସହିତ ୬ ମିଟରର କଲ୍‌ଭର୍ଟ ନିର୍ମାଣ କରାଯିବ। ସଡ଼କ ନିର୍ମାଣ ଧାର୍ଯ୍ୟ ସମୟ ମଧ୍ୟରେ ସଂପନ୍ନ ହେବ। ଏଭଳି ପ୍ରକଳ୍ପର ଗୁଣାତ୍ମକ ମାନ ପରୀକ୍ଷା ଦାୟିତ୍ୱ କନିଷ୍ଠ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ନିର୍ବାହୀ ଯନ୍ତ୍ରୀଙ୍କ ହାତରେ ରହିବ। ଓଡ଼ିଶାର ପ୍ରାୟ ୮୩ ପ୍ରତିଶତ ଲୋକ ଗ୍ରାମରେ ବସବାସ କରୁଥିବାରୁ ଏହି ସଡ଼କ ସଂଯୋଗ ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମବାସୀଙ୍କ ରୋଜଗାର ହାରରେ ଅଭିବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର