୬ ଜିଲ୍ଲା ପାଇଁ ନୂଆ ପ୍ୟାକେଜ୍, ‘ମୋ ସରକାର’ ଟିମ୍ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର : ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦ୍ରାପଡ଼ା, ସୋନପୁର ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ଓ ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡିକାଲ କଲେଜର ୬ଟି ରୋଗୀ କଲ୍ୟାଣ ସମିତିକୁ ୧୫ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ପ୍ରତି ଜିଲ୍ଲାର ରୋଗୀ କଲ୍ୟାଣ ସମିତିକୁ ସରକାର ଏହି ଅର୍ଥ ପ୍ରଦାନ କରିବେ। ଏହି ୬ ଜିଲ୍ଲାରେ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ୧୦ଲକ୍ଷ ଟଙ୍କା ଲେଖାଏଁ ସଂପୃକ୍ତ ଜିଲ୍ଲା ପୁଲିସ ଏସପିଙ୍କୁ ଦିଆଯିବ। ଏସବୁ ଜିଲ୍ଲାର ହସ୍ପିଟାଲରେ ରୋଗୀଙ୍କ ଆଟେଣ୍ଡାଣ଼୍ଟଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ ହେବ। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଭଳି ଘୋଷଣା କରିଛନ୍ତି। ତାଙ୍କ ନିର୍ଦେଶରେ ବରିଷ୍ଠ ଅଧିକାରୀମାନେ ଏସବୁ ଜିଲ୍ଲା ଗସ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ। ମୋ ସରକାର ଟିମ୍ ଗସ୍ତ ପରେ ରୋଗୀଙ୍କ ମତାମତ ଓ ଡାକ୍ତରଙ୍କ ସହ ଆଲୋଚନା ଆଧାରରେ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସମ୍ବଲପୁର ଜିଲ୍ଲା ହସ୍ପିଟାଲର ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ୫୦ଟି ଅତିରିକ୍ତ ଶଯ୍ୟା ସହିତ କାଜୁଆଲିଟି ଓ ବର୍ହି ବିଭାଗ ଚିକିତ୍ସା ପାଇଁ କୋଠାଘର ନିର୍ମାଣ ହେବ। ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମା’ ଗୃହ ପାଇଁ ନୂଆ କୋଠା ନିର୍ମାଣ ହେବ। ସଦର ମହକୁମା ହସ୍ପିଟାଲରେ ରୋଗୀ ପରୀକ୍ଷା ଲାଗି ସମନ୍ବିତ ପରୀକ୍ଷାଗାର ଉନ୍ନତୀକରଣ କରାଯିବ ଓ ଡାଏଲେସିସ୍ ୟୁନିଟ୍ ଏବଂ ଆଇସିୟୁ ପ୍ରତିଷ୍ଠା କରାଯିବ। ସମ୍ବଲପୁର ଜିଲ୍ଲା ହସ୍ପିଟାଲକୁ ସ୍ବତନ୍ତ୍ର ଚିକିତ୍ସା ପାଇଁ ବୁର୍ଲାସ୍ଥିତ ଭିମସାରର ଏକ ସାଟେଲାଇଟ୍ କେନ୍ଦ୍ର ଭାବେ ବିକଶିତ କରାଯିବ। ଡିପିଏମ୍ଏୟୁ କୋଠା ପାଇଁ ଅତିରିକ୍ତ ଭିତ୍ତିଭୂମି ନିର୍ମାଣ କରାଯିବ।

ଦେବଗଡ ଜିଲ୍ଲା ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୬୦ରୁ ୨୦୦କୁ ବୃଦ୍ଧି କରାଯିବ। ଅନୁଗୁଳ ଜିଲ୍ଲାସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୯୨ରୁ ୩୦୦କୁ ବୃଦ୍ଧି କରାଯିବ। ଏଥିପାଇଁ ସେହି କ୍ୟାମ୍ପସ ମଧ୍ୟରେ ଏକ ନୂଆ କୋଠା ମଧ୍ୟ ନିର୍ମାଣ କରାଯିବ। ଡାଏଲେସିସ୍ ୟୁନିଟ୍ ସଂପ୍ରସାରଣ ହେବ ଓ ଆଇସିୟୁ ୟୁନିଟର ସୁଦୃଢୀକରଣ ସହିତ ଆନାସ୍ଥେସିଆ ଵାର୍କ ଷ୍ଟେସନ୍ ଓ ଅତିରିକ୍ତ ଇସିଜି ମେସିନ୍ ଯୋଗାଇ ଦିଆଯିବ। କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମା ଡାକ୍ତରଖାନାର ଶଯ୍ୟା ସଂଖ୍ୟା ୧୭୫ରୁ ୨୦୦କୁ ବୃଦ୍ଧି କରାଯିବା ସହିତ ନୂଆ କ୍ୟାମ୍ପସରେ ଷ୍ଟାଫ୍ କ୍ବାର୍ଟର୍ସ, ଆଧୁନିକ ଓପିଡି ଓ ଆଇସିୟୁ ସ୍ଥାପନ କରାଯିବ। ଡାଏଲେସିସ୍ ୟୁନିଟ୍ ସଂପ୍ରସାରଣ ସହିତ ଦୁଇଟି ଅତିରିକ୍ତ ଆମ୍ବୁଲାନ୍ସ ଓ ଗୋଟିଏ ଅତିରିକ୍ତ ମହାପ୍ରୟାଣ ଯାନ ଯୋଗାଇ ଦିଆଯିବ।

ସୋନପୁର ଜିଲ୍ଲା ସଦର ମହୁକମା ହସ୍ପିଟାଲରେ ୨୦୦ ଶଯ୍ୟା ବିଶିଷ୍ଟ ୭ ମହଲା କୋଠାର ନିର୍ମାଣ କାର୍ଯ୍ୟ ଏକମାସ ମଧ୍ୟରେ ଆରମ୍ଭ କରାଯିବ। ଏହା ସହିତ ବର୍ତମାନ କାର୍ଯ୍ୟ କରୁଥିବା ଜିଲ୍ଲା ହସ୍ପିଟାଲରେ ସେବାର ମାନ ବୃଦ୍ଧି ପାଇଁ ଅତିରିକ୍ତ ଭାବେ ଅଲଟ୍ରାସାଉଣ୍ଡ ସେମିସ୍, ସେମି ଅଟୋ ଆନାଲାଇଜର, ମଲ୍ଟି ପାରା ମନିଟର, ସିବିସି ମେସିନ୍ ଯୋଗାଇ ଦିଆଯିବ। ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡିକାଲ କଲେଜର ଶିକ୍ଷାଦାନ ଓ ହସ୍ପିଟାଲ କୋଠା ନିର୍ମାଣ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ଏମସିଏଚ୍ ଏକମର୍ଚୁଆରି ୟୁନିଟ୍ ମଧ୍ୟ ପ୍ରତିଷ୍ଠା କରାଯିବ।

ସମ୍ବନ୍ଧିତ ଖବର