୨୦୨୦ରୁ ନୂଆ ଢାଞ୍ଚାରେ ପରୀକ୍ଷା : ବଦଳିବ ମାଟ୍ରିକ୍‌ ପ୍ରଶ୍ନପତ୍ର, ଆସିବ ୪ ସେଟ୍‌

କଟକ : ୨୦୧୯ ମାଟ୍ରିକ୍‌ ପରୀକ୍ଷାରେ ମୋଟାମୋଟି ଭାବେ ପୁରୁଣା ଢାଞ୍ଚାରେ ହେବ। ଓଏମ୍‌ଆର୍‌ ଉତ୍ତର ବ୍ୟବସ୍ଥା ରହିବ। ଛାତ୍ରଛାତ୍ରୀ ପ୍ରତ୍ୟେକ ବିଷୟରେ ୫୦ ନମ୍ବର ବିଶିଷ୍ଟ ଦୀର୍ଘ ଉତ୍ତରମୂଳକ ଓ ଅବଶିଷ୍ଟ ୫୦ ନମ୍ବର ବିଶିଷ୍ଟ ସଂକ୍ଷିପ୍ତ ଉତ୍ତରମୂଳକ(ଓଏମ୍‌ଆର୍‌) ପରୀକ୍ଷା ଦେବେ। କିନ୍ତୁ ପାସ୍‌ ବ୍ୟବସ୍ଥା ଓ ପ୍ରଶ୍ନପତ୍ର ସେଟ୍‌ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ ହେବ। କିନ୍ତୁ ୨୦୨୦ରୁ ଆଉ ଓଏମ୍‌ଆର୍‌ ବ୍ୟବସ୍ଥା ରହିବନି। ନୂଆ ଢାଞ୍ଚାରେ ବି ପରୀକ୍ଷା ହେବ। ଆଜି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ଏଭଳିି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ ୨୦୧୯ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ବିଷୟରେ ପାସ୍‌ କରିବାକୁ ହେଲେ ଉଭୟ ଦୀର୍ଘ ଓ ସଂକ୍ଷିପ୍ତ ଉତ୍ତରମୂଳକରେ ଅତିକମ୍‌ରେ ୧୫ ନମ୍ବର ଲେଖାଏଁ ରଖିବାକୁ ପଡିବ। ଅର୍ଥାତ ପୂର୍ବଭଳି ମୋଟ୍‌ ୩୦ ନମ୍ବର ରଖିବା ବଦଳରେ ଉଭୟ ଦୀର୍ଘ ଓ ସଂକ୍ଷିପ୍ତ ବିଭାଗରେ ଅତି କମ୍‌ରେ ୧୫ ନମ୍ବର ରଖିବାକୁ ପଡିବ ଛାତ୍ରଛାତ୍ରୀଙ୍କୁ। ସେହିପରି ପୂର୍ବରୁ ପ୍ରତ୍ୟେକ ବିଷୟର ୩ ସେଟ୍‌ ପ୍ରଶ୍ନପତ୍ର ରହୁଥିବା ବେଳେ ୨୦୧୯ ମାଟ୍ରିକ ପରୀକ୍ଷାରେ ୪ଟି ସେଟ୍‌ ପ୍ରଶ୍ନପତ୍ର ରହିବ। ସମସ୍ତ ସେଟ୍‌ରେ ସମ୍ପୂର୍ଣ୍ଣ ଭିନ୍ନ ଓ ସମାନ୍ତରାଳ ପ୍ରଶ୍ନ ରହିବ। କିନ୍ତୁ ଆସନ୍ତା ୨୦୨୦-ମାଟ୍ରିକ ପରୀକ୍ଷାରେ ଓଏମ୍‌ଆର୍‌ ବ୍ୟବସ୍ଥାକୁ ଉଠାଇ ଦିଆଯିବ। ଏଥିପାଇଁ ଚଳିତ ବର୍ଷ ନବମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ନୂଆ ପ୍ରଶ୍ନପତ୍ର ଢାଞ୍ଚାରେ ପରୀକ୍ଷା ଦେବେ। ନୂଆ ପ୍ରଶ୍ନପତ୍ର ଢାଞ୍ଚାରେ ଛାତ୍ରଛାତ୍ରୀଙ୍କୁ ଅଭ୍ୟସ୍ତ କରାଇବା ପାଇଁ ଏଥର ନବମ ଶ୍ରେଣୀର ଛାତ୍ରଛାତ୍ରୀ ଆଉ ଓଏମ୍‌ଆର ବ୍ୟବସ୍ଥାରେ ପରୀକ୍ଷା ଦେବେ ନାହିଁ। ସେମାନଙ୍କୁ ଦୀର୍ଘ ଉତ୍ତରମୂଳକରେ ଅଧିକ ନମ୍ବର ପରୀକ୍ଷା ଦେବାକୁ ପଡ଼ିବ। ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ୭୦ ନମ୍ବର ଆସିବାକୁ ଥିବା ବେଳେ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନରୁ ଆସିବ ୩୦ ନମ୍ବର।

ସୂଚନାଯୋଗ୍ୟ, ଗଣଶିକ୍ଷା ବିଭାଗ କମିସନ୍‌ ତଥା ସଂପାଦକ ପ୍ରଦୀପ ମହାପାତ୍ର ପୂର୍ବରୁ ଓଏମ୍‌ଆର୍‌ ବ୍ୟବସ୍ଥା ଉଠାଇ ଦେବାକୁ ସୂଚନା ଦେଇଥିଲେ। ମାତ୍ର ପ୍ରଶ୍ନପତ୍ର ଢାଞ୍ଚାରେ ପରିବର୍ତ୍ତନ ଆଣିବା ପୂର୍ବରୁ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)କୁ ଏକ କମିଟି ଗଠନ କରି ଏହା ଉପରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କମିଟି ନୂତନ ଢାଞ୍ଚାର ପ୍ରଶ୍ନପତ୍ର ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରି ଗଣଶିକ୍ଷା ବିଭାଗକୁ ପ୍ରଦାନ କରିଥିଲା। ବିଭାଗ ପକ୍ଷରୁ ଏହା ଉପରେ ମୋହର ବାଜିବା ପରେ ଆଜି ଏହାକୁ ଘୋଷଣା କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଡକ୍ଟର ଜାହାନ୍‌ଆରା ବେଗମ୍‌, ସଂପାଦକ ରମାଶିଷ ହାଜିରା, ପରୀକ୍ଷା ନିୟନ୍ତ୍ରକ ନିହାର ରଂଜନ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର