ଲାଲଗଡ଼ରେ ଖୋଲିବ ୧୩୩ ଡାକଘର

ଭୁବନେଶ୍ବର : ରାଜ୍ୟରେ ଡାକସେବାକୁ ତୃଣମୂଳସ୍ତରକୁ ନେବା ପାଇଁ ଯୋଜନା କରିଛି ଡାକ ବିଭାଗ। ବିଶେଷକରି ଲାଲଗଡ଼ରେ ‌ସମୁଦାୟ ୧୩୩ଟି ଡାକଘର ଖୋଲିବାକୁ ଯୋଜନା ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୪୦ଟି କାର୍ଯ୍ୟ ଶେଷ ହୋଇଛି। ଏଥିରେ ସମ୍ବଲପୁରରେ ୨୭ଟି ଓ ବଲାଙ୍ଗୀର ଓ ସୁନ୍ଦରଗଡ଼କୁ ମିଶାଇ ୧୩ଟି ଡାକଘର ରହିଥିବା ସୂଚନା ଦେଇଛନ୍ତି ମୁଖ୍ୟ ମହାଡାକପାଳ ସନ୍ତୋଷ କୁମାର କାମିଲା।

ଆଜି ଓଡ଼ିଶା ଡାକ ପରିମଣ୍ଡଳ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାମିଲା କହିଲେ ଯେ ପ୍ରତିବର୍ଷ ଡାକ ବିଭାଗ ଅକ୍ଟୋବର ୯ତାରିଖରେ ‘ବିଶ୍ବ ଡାକ ଦିବସ’ଠାରୁ ଆରମ୍ଭ କରି ୧୫ତାରିଖ ପର୍ଯ୍ୟନ୍ତ ‘ରାଷ୍ଟ୍ରୀୟ ଡାକ ଦିବସ‘ ପାଳନ କରିଆସୁଛି। ଓଡ଼ିଶା ପରିମଣ୍ଡଳରେ ୩୦ବର୍ଷ ବ୍ୟବଧାନରେ ଚଳିତବର୍ଷ ଏପ୍ରିଲ ମାସରେ ରାୟଗଡ଼ା ଡାକ ମଣ୍ଡଳ ଓ ଜୁନ୍ ମାସରେ ରାଉରକେଲା ଡାକମଣ୍ଡଳ ଶୁଭାରମ୍ଭ ହୋଇଛି। ଏହି ଦୁଇ ନୂଆ ଡାକମଣ୍ଡଳ ଦ୍ବାରା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅଧିବାସୀମାନେ ଉପକୃତ ହୋଇପାରିବେ।

ସେହିପରି ଓଡ଼ିଶାରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ବା ଆଇପିପିବିର ୩୩ଟି ଶାଖା ଓ ୬୩୬୯ ଡାକଘରେ ଆକ୍ସେସ୍ ପଏଣ୍ଟ ଭାବେ କାର୍ଯ୍ୟ କରୁଛି। ଆଜିସୁଦ୍ଧା ୩ଲକ୍ଷ ୪୯ହଜାର ୩୫୦ ଆଇପିପିବି ଆକାଉଣ୍ଟ ଖୋଲାଯାଇଛି ଓ ତହିଁରୁ ୪୫ହଜାର ୯୨୩ଟି ଆକାଉଣ୍ଟ ଡାକଘର ସଂଚୟ ଖାତାକୁ ସଂଯୋଗ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୨୦୧୯/୨୦ରେ ମେରା ଅଭିମାନ-ସକ୍ଷମ ଗ୍ରାମ ପରିଯୋଜନାରେ ରାଜ୍ୟରେ ୭୫୩ଟି ଗ୍ରାମକୁ ଆଇପିପିବି ସକ୍ଷମ ଗ୍ରାମ କରାଯାଇଛି। ଯାହାକି ଧାର୍ଯ୍ୟ ଲକ୍ଷଠାରୁ ଅଧିକ। ଏହି ସଫଳତା ଯୋଗୁଁ ଓଡ଼ିଶା ଡାକ ପରିମଣ୍ଡଳ ଦେଶରେ ଶୀର୍ଷ ସ୍ଥାନ ଅଧିକାର କରି ପୁରସ୍କୃତ ହେଇପାରିଛି। କମ୍ପ୍ୟୁଟର ଗ୍ରାହକ ସେବା ୬୯୬୩ ଶାଖା ଡାକଘରେ କାର୍ଯ୍ୟକାରୀ ହୋଇଛି। ରାଜ୍ୟର ୧୨୧୧ ବିଭାଗୀୟ ଡାକଘର ମଧ୍ୟରୁ ୧୦୨୭ଟି ଡାକଘରେ କୋର ବ୍ୟାଙ୍କିଂ ସେବା ଉପଲବ୍ଧ ହେଉଛି। ୭୦୦୬ ଶାଖା ଡାକଘର ମଧ୍ୟରୁ ୫୧୭୧ ଡାକଘର ଗୁଡ଼ିକୁ ସିଏସ୍‌ଆଇ ସେବାରେ ସାମିଲ କରାଯାଇଛି।

ଶ୍ରୀ କାମିଲା ଆହୁରି ମଧ୍ୟ କହିଥିଲେ ଯେ, ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ଡାକ ପରିମଣ୍ଡଳ ପକ୍ଷରୁ ‘ଫକୀରମୋହନ ମହାବିଦ୍ୟାଳୟ’ ଓ ‘ସମାଜ’ ଉପରେ ସ୍ମରଣୀକା ଡାକଟିକେଟ୍ ୨୪ଟି ସ୍ବତନ୍ତ୍ର ଡାକ ଲଫାଫା ଉନ୍ମୋଚନ କରାଯାଇଛି। ରାଜ୍ୟରେ ସ୍ପିଡ୍ ପୋଷ୍ଟ ବ୍ୟବସାୟ ପ୍ରତିବର୍ଷ ବଢ଼ିବାରେ ଲାଗିଛି। ଗତବର୍ଷ ଏଥିରେ ପୂର୍ବ ଆର୍ଥିକ ବର୍ଷ ଅପେକ୍ଷା ୧୦ ପ୍ରତିଶତ ବୃଦ୍ଧି ଘଟିଛି। ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ଓ ଓଡ଼ିଶା ଡାକ ପରିମଣ୍ଡଳ ମଧ୍ୟରେ ବିଏନ୍‌ପିଏଲ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହାଦ୍ବାରା ରାଜ୍ୟର ୩୧୭ଟି ତହସିଲ କାର୍ଯ୍ୟାଳୟ ଓ ୧୯୧ଟି ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ସେମାନଙ୍କ ଜମିବାଡ଼ି ସଂପର୍କିତ ଦଲିଲ ସ୍ପିଡ୍ ପୋଷ୍ଟ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚାଇ ପାରୁଛନ୍ତି। ‌ସେହିପରି ଚଳିତବର୍ଷ ସମ୍ବଲପୁର ଡାକମଣ୍ଡଳ କର୍ମଚାରୀ ସୁନିତା ସାମନ୍ତରାୟ ‘ମେଘଦୂତ ପୁରସ୍କାର’ ପାଇଁ ଚୟନ ହୋଇଛନ୍ତି। ସର୍ବଭାରତୀୟ ସ୍ତରର ଏହି ପୁରସ୍କାର ଓଡ଼ିଶା ପାଇଁ ଗର୍ବ ଓ ଆସନ୍ତା ୧୫ତାରିଖରେ ତାଙ୍କୁ ଏହି ସମ୍ବର୍ଧନା ଦିଆଯିବ।

ଅପରପକ୍ଷରେ ରାଜ୍ୟର ଅଧିକାଂଶ ସ୍ଥାନରେ ଡାକଘର ନିଜସ୍ବ ବିଲ୍ଡିଂରେ କାର୍ଯ୍ୟ କରୁ ନ ଥିବା ଉତ୍ତରରେ ଶ୍ରୀ କାମିଲା କହିଥିଲେ ଯେ, ୧୦ଜଣରୁ କମ୍ କର୍ମଚାରୀ ରହୁଥିବା ଡାକଘର ଗୁଡ଼ିକ ଭଡ଼ା ଘରେ ଚାଲୁଛି। ରାଜ୍ୟର ୧୪୯ଟି ଘର ନିଜସ୍ବ ବିଲ୍ଡିଂ, ୧୮୦ଟି ମାଗଣାରେ ଓ ୮୪୧ଟି ଭଡ଼ା ଘରେ ଚାଲୁଛି। ନୂତନ ସଫ୍‌ଟୱେୟାର ଆସିବା ପରେ କିଛି ସ୍ଥାନରେ ସମସ୍ୟା ଦେଖା ଯାଉଛି। ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଡିପିଏସ୍‌(ଏଚ୍‌କ୍ୟୁ) ଜି.ଗୁରୁନାଥନ୍ ଓ ଜଳେଶ୍ବର କହଁର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର