ଯୁକ୍ତ ଦୁଇ ପରୀକ୍ଷାରେ ଆସିପାରେ ନୂଆ ସଂସ୍କାର: ପ୍ରଥମବର୍ଷରେ ଫେଲ୍ ହେଲେ ଦ୍ୱିତୀୟ ବର୍ଷକୁ ଯାଇ ପାରିବେ ନାହିଁ ଛାତ୍ରଛାତ୍ରୀ
ଭୁବନେଶ୍ୱର: ସାଧାରଣତଃ ଯୁକ୍ତ ଦୁଇରେ ପ୍ରଥମ ବର୍ଷ ପରୀକ୍ଷାକୁ ହାଲୁକା ଭାବେ ଛାତ୍ରଛାତ୍ରୀ ନେଇଥାଆନ୍ତି। ନା ଠିକରେ କ୍ଲାସ ଆସନ୍ତି ନା ପାଠ ପଢନ୍ତି । ଫଳରେ ଦ୍ୱିତୀୟ ବର୍ଷ ପରୀକ୍ଷା ଦେବା ବେଳକୁ ଚାପ ଅଧିକ ବଢିଯାଇଥାଏ ଏବଂ ତା’ସହ ବଢିଯାଏ ଫେଲ୍ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପରୀକ୍ଷାରେ ଗଣଶିକ୍ଷା ବିଭାଗ ସଂସ୍କାର ଆଣୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ନୂଆ ସଂସ୍କାର ଅନୁସାରେ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ ହେବାକୁ ପଡ଼ିବ, ନହେଲେ ଛାତ୍ରଛାତ୍ରୀ ଦ୍ୱିତୀୟ ବର୍ଷକୁ ଯାଇ ପାରିବେ ନାହିଁ । ଖୁବଶୀଘ୍ର ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ଗଣଶିକ୍ଷା ବିଭାଗ ଶିକ୍ଷା କ୍ଷେତ୍ରରେ ବଡ଼ ସଂସ୍କାର ଆଣିବାକୁ ଅଣ୍ଟା ଭିଡ଼ିଛି । ଦ୍ୱିତୀୟ ବର୍ଷ ଭଳି ପ୍ରଥମ ବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ପଡ଼ିବ। ପରୀକ୍ଷା ପାସ୍ କଲେ ଯାଇ ଛାତ୍ରଛାତ୍ରୀ ଦ୍ୱିତୀୟ ବର୍ଷକୁ ଯାଇ ପାରିବେ ଆଉ ଫେଲ୍ ହେଲେ ପୁଣି ଥରେ ପରୀକ୍ଷା ଦେବାକୁ ପଡ଼ିିବ ।
ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଖୁବଶୀଘ୍ର ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି। ରାଜ୍ୟର ସମସ୍ତ କଲେଜକୁ ଚିଠି ଲେଖି ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯିବ । ଏଭଳି ହେଲେ ଚଳିତବର୍ଷରୁ ଲାଗୁ ହୋଇଯିବ ନୂଆ ନିୟମ ।
ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ପ୍ରୋମସନାଲ ଏଗଜାମ ଭାବେ ଧରାଯାଉଛି, ଅର୍ଥାତ ଏହି ପରୀକ୍ଷାରେ ପାସ୍-ଫେଲ୍ ବୋଲି କିଛି ନାହିଁ । ପରୀକ୍ଷା ଦେଲେ ଆପେ ଆପେ ଦ୍ୱିତୀୟ ବର୍ଷକୁ ଉନ୍ନୀତ ହୋଇଯାଉଛନ୍ତି ଛାତ୍ରଛାତ୍ରୀ। ତେବେ ଏହାରି ଭିତରେ ରାଜ୍ୟର କିଛି ପ୍ରମୁଖ କଲେଜ୍, ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ଲାଗୁ କରିସାରିଛନ୍ତି ।