ଦେଶରେ ଦୁଇ ପ୍ରଜାତିର ବେଙ୍ଗର ସନ୍ଧାନ : ନାମ ରଖାଗଲା ‘କଳିଙ୍ଗ’ ଓ ‘କ୍ରିଷ୍ଣନ୍‌’

ଭୁବନେଶ୍ୱର : ଓଡ଼ିଶା ସମେତ ଦେଶର ଯୁବ ଗବେଷକଙ୍କୁ ମିଳିଛି ଆଉ ଏକ ସଫଳତା। ଭାରତୀୟ ଉପଦ୍ୱୀପରୁ ଦୁଇ ପ୍ରଜାତିର ବେଙ୍ଗର ସନ୍ଧାନ କରିଛନ୍ତି। ଭାରତର ପୂର୍ବଘାଟ ଓ ପଶ୍ଚିମ ଭାରତର ପଶ୍ଚିମଘାଟରୁ ଗୋଟିଏ ଲେଖାଏଁ ପ୍ରଜାତିର ବେଙ୍ଗ ରହିଥିବା ଜଣାପଡ଼ିଛି। ଭାରତୀୟ ବନ୍ୟପ୍ରାଣୀ ସର୍ବେକ୍ଷଣ ସଂସ୍ଥା, ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ଏବଂ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଓ ଗବେଷକଙ୍କ ମିଳିତ ଉଦ୍ୟମରେ ଏହି ବେଙ୍ଗଗୁଡ଼ିକର ସନ୍ଧାନ କରାଯାଇଥିବା ଜଣାପଡ଼ିଛି।

ପୂର୍ବଘାଟରେ ସନ୍ଧାନ ହୋଇଥିବା ବେଙ୍ଗଗୁଡ଼ିକ ମୁଖ୍ୟତଃ ପାହାଡ଼ିଆ ଅଞ୍ଚଳରେ ଅଧିକ ଦେଖାଯାଇଥାନ୍ତି। ଓଡ଼ିଶାର କିଛି ଅଂଶ ସମେତ ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀ ମଧ୍ୟରେ ଏମାନଙ୍କୁ ମୁଖ୍ୟତଃ ଦେଖିବାକୁ ମିଳିଥାଏ। ତେଣୁ ପ୍ରାଚୀନ କଳିଙ୍ଗ ସାମ୍ରାଜ୍ୟ ଅନୁଯାୟୀ ଏହି ବେଙ୍ଗର ନାମ ‘କଳିଙ୍ଗ’ ରଖାଯାଇଛି। ଅନ୍ୟପକ୍ଷରେ ପଶ୍ଚିମଘାଟରୁ ସନ୍ଧାନ ହୋଇଥିବା ବେଙ୍ଗ କର୍ଣ୍ଣାଟକର ସିମୋଙ୍ଗା ଅଞ୍ଚଳରେ ମିଳିଛି। ତେଣୁ ତାହାର ନାମ ବିଶିଷ୍ଟ ଜୀବବିଜ୍ଞାନୀ ଡ. କେ. ସୁବ୍ରମନ୍ୟଶାସ୍ତ୍ରୀ କ୍ରିଷ୍ଣନ୍‌ଙ୍କ ନାମ ଅନୁସାରେ ‘କ୍ରିଷ୍ଣନ୍‌’ ରଖାଯାଇଛି। ଡ. କ୍ରିଷ୍ଣନ୍‌ ୧୯୪୬ରୁ ୨୦୧୪ ମସିହା ପର୍ଯ୍ୟନ୍ତ ବେଙ୍ଗାଲୁରୁସ୍ଥିତ ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ (ଟିଆଇଏଫ୍‌ଆର)ର ନ୍ୟାସନାଲ ସେଣ୍ଟର ଫର ବାୟୋଲୋଜିକାଲ ସାଇନ୍ସରେ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ।

ବିଶିଷ୍ଟ ସରୀସୃପ ବିଜ୍ଞାନୀ ପ୍ର୍ରଫେସର ସୁଶୀଲ କୁମାର ଦତ୍ତ ପ୍ରଥମେ ‘କଳିଙ୍ଗ’ ବେଙ୍ଗର ସନ୍ଧାନ କରିଥିଲେ। ପୂର୍ବଘାଟରୁ ସେ ଏହାର ସନ୍ଧାନ କରିଥିବା ବେଳେ ‘କ୍ରିଷ୍ଣନ୍‌’ ବେଙ୍ଗଟିକୁ ସିମୋଗା ଅଞ୍ଚଳରୁ ଡ. ପୃଥ୍ଵୀରାଜ ସନ୍ଧାନ କରିଛନ୍ତି। ଗବେଷଣାରୁ ଦେଖିବାକୁ ମିଳିଛି ଯେ ‘କଳିଙ୍ଗ’ ବେଙ୍ଗଟି ସେମାନଙ୍କ ଦଳରେ ସବୁଠାରୁ ବଡ଼। ସେ ୬.୫ ସେମି ପର୍ଯ୍ୟନ୍ତ ବଡ଼ ହୋଇପାରିବ। ‘କ୍ରିଷ୍ଣନ୍‌’ ବେଙ୍ଗର ହାରାହାରି ଆକାର ୨ ସେମି ରହୁଛି। ଏହି ଧରଣର ବେଙ୍ଗ ସନ୍ଧାନ ମିଳିବା ପରିବେଶ ପାଇଁ ଭଲ। କାରଣ ଏମାନେ ସୁସ୍ଥକର ପରିବେଶରେ ଦେଖିବାକୁ ମିଳିଥାନ୍ତି। ଚାଷ ଜମି, ଜଳସ୍ରୋତ, ସନ୍ତସନ୍ତିଆ ସ୍ଥାନ, ଆଦ୍ରଭୂମିରେ ଏମାନେ ବସବାସ କରନ୍ତି। ପ୍ରାକୃତିକ ପରିବେଶରେ ବସବାସ କରିବାରେ ବି ଏମାନେ ଧୂରନ୍ଧର। ନିଜର ଗୋପନ କଳା ଓ ପ୍ରକାର ଭେଦର ସମାନତା ଯୋଗୁଁ ଏହି ବେଙ୍ଗଗୁଡ଼ିକୁ କେହି ସନ୍ଧାନ କରିପାରି ନ ଥିଲେ। ଅନ୍ୟ ପ୍ରଜାତିର ବେଙ୍ଗ ଭଳି ଦେଖିବାକୁ ଏମାନେ ସମାନ ବୋଲି ଗବେଷକମାନେ କହିଛନ୍ତି।

ଭାରତୀୟ ବନ୍ୟପ୍ରାଣୀ ସର୍ବେକ୍ଷଣ ସଂସ୍ଥାର ଡ. ପୃଥ୍ଵୀରାଜ, ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ବୈଜ୍ଞାନିକ ଡ. କେ. ପି. ଦିନେଶ, ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନର ବୈଜ୍ଞାନିକ ଡ. ଅଭିଜିତ୍‌ ଦାଶ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ସୁଶୀଲ୍‌ କୁମାର ଦତ୍ତ, ରିସର୍ଚ୍ଚ ସ୍କଲାର ଡ. ନୀଳାଦ୍ରି ବି. କର, ଜବଲପୁରସ୍ଥିତ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ବୈଜ୍ଞାନିକ ଡ. ପ୍ରତ୍ୟୁଷ ପି. ମହାପାତ୍ର ପ୍ରମୁଖ ଗବେଷଣା କରିଛନ୍ତି।

ପ୍ରଫେସର ଦତ୍ତଙ୍କ କହିବାନୁଯାୟୀ ପୂର୍ବଘାଟ ଓ ପଶ୍ଚିମଘାଟରେ ଆହୁରି ଅନେକ ପ୍ରଜାତିର ସରୀସୃପ ରହିଛନ୍ତି। ଯେଉଁମାନଙ୍କୁ ଆଜି ପର୍ଯ୍ୟନ୍ତ ସନ୍ଧାନ କରାଯାଇପାରି ନାହିଁ। ସେଗୁଡ଼ିକର ସନ୍ଧାନ କରିବା ପାଇଁ ଯୁବ ଗବେଷକମାନେ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର