ପ୍ରଶ୍ନପତ୍ର ଢାଞ୍ଚା ବଦଳିବନି

ଏଥର ନୂତନ ପାଠ୍ୟକ୍ରମ ଅନୁଯାୟୀ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର : ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଯୁକ୍ତ୨ ଥିଓରି ପରୀକ୍ଷା। ଜାନୁଆରି ୧୯ରୁ ପ୍ରାକ୍ଟିକାଲ ପରୀକ୍ଷା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଚଳିତବର୍ଷ ପ୍ରଥମ ଥର ଲାଗି ସିବିଏସ୍‌ଇ ଢାଞ୍ଚାରେ ପ୍ରସ୍ତୁତ ହୋଇଥିବା ପାଠ୍ୟକ୍ରମ ଅନୁଯାୟୀ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ତାହାକୁ ଦୃଷ୍ଟିରେ ରଖି ପ୍ରଶ୍ନପତ୍ର ପ୍ରସ୍ତୁତ କରୁଛି ପରିଷଦ। ଶିକ୍ଷାବିତ୍‌ଙ୍କଠାରୁ ପରାମର୍ଶ ନେଇ ପ୍ରଶ୍ନପତ୍ର ତିଆରି କରାଯାଉଛି। ନୂତନ ପାଠ୍ୟକ୍ରମ ଅନୁଯାୟୀ ପିଲାମାନେ ପରୀକ୍ଷା ଦେବାକୁ ଥିବାରୁ ପ୍ରଶ୍ନପତ୍ର ଢାଞ୍ଚା କିଭଳି ରହିବ ତାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ନୂତନ ପାଠ୍ୟକ୍ରମ ଅନୁଯାୟୀ ପ୍ରଶ୍ନପତ୍ର ଆସିବ। କିନ୍ତୁ ଢାଞ୍ଚାରେ ପରିବର୍ତର୍ନ ହେବ ନାହିଁ।

୨୦୧୬-୧୭ ଶିକ୍ଷାବର୍ଷରେ ଯୁକ୍ତ୨ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଠାରୁ ନୂତନ ପାଠ୍ୟକ୍ରମ ଲାଗୁ ହୋଇଥିଲା। ସର୍ବଭାରତୀୟ ପରୀକ୍ଷାରେ ଓଡ଼ିଶାର ପିଲାମାନେ କିଭଳି ଭଲ ପ୍ରଦର୍ଶନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ପାଠ୍ୟକ୍ରମ ଢାଞ୍ଚାରେ ପ୍ର୍ରସ୍ତୁତ ହୋଇଥିଲା ସିଲାବସ୍‌। ପିଲାଙ୍କ ପ୍ରସ୍ତୁତି ଲାଗି ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଗତ ଦୁଇ ବର୍ଷ ହେଲା ନୂତନ ପାଠ୍ୟକ୍ରମ ଅନୁଯାୟୀ ପିଲାମାନେ ଶିକ୍ଷା ଗ୍ର୍ରହଣ କରୁଥିବାରୁ ୨୦୧୮ରେ ହେବାକୁ ଥିବା ପରୀକ୍ଷାର ପ୍ରଶ୍ନଗୁଡ଼ିକ ମଧ୍ୟ ନୂତନ ସିଲାବସ୍‌ ଅନୁଯାୟୀ ଆସିବ। ହେଲେ ପ୍ରଶ୍ନପତ୍ର ଢାଞ୍ଚାରେ କୌଣସି ପରିବର୍ତନ ହେବ ନାହିଁ ବୋଲି ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି ଯେ, ସିଲାବସ୍‌ ଯାହା ରହିଛି ରେଗୁଲାର ଛାତ୍ରଛାତ୍ରୀଙ୍କ ଲାଗି ସେହି ଅନୁଯାୟୀ ପ୍ରଶ୍ନପତ୍ର ଆସିବ। ପ୍ରଶ୍ନପତ୍ରର ଢାଞ୍ଚା ବଦଳିିବ ନାହିଁ। ପୂର୍ବବର୍ଷଗୁଡ଼ିକ ଭଳି ଏଥର ମଧ୍ୟ ପ୍ରଶ୍ନପତ୍ରରେ ୭୦ ପ୍ରତିଶତ ମାର୍କ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ(୧,୨ ଏବଂ ୩ ମାର୍କ) ରହିବ। ୩୦ ପ୍ରତିଶତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ(୫ ମାର୍କ) ଆସିବ। ତେବେ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ନିୟମ ଅନୁଯାୟୀ ପୁରୁଣା ସିଲାବସ୍‌ରେ ପରୀକ୍ଷା ଦେବେ। ପୂର୍ବ ନିର୍ଧାରିତ ସମୟରେ ପରୀକ୍ଷା ଆରମ୍ଭ କରିବାକୁ ଆମେ ପ୍ରସ୍ତୁତ ହେଉଛୁ।

ଜାନୁଆରି ୧୯ରେ ପ୍ରାକ୍ଟିକାଲ ପରୀକ୍ଷା ହେବାକୁ ଥିବାରୁ ଏବେଠାରୁ ଫର୍ମପୂରଣ ଆରମ୍ଭ ହୋଇଛି। ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୨୦ରୁ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆରମ୍ଭ ହେବ। ବିନା ଜରିମାନାରେ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଗତକାଲି ଶେଷ ହୋଇଛି। ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ୫୦ ଟଙ୍କା ଏବଂ ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ୩୫୦ ଟଙ୍କା ଜରିମାନା ଦେଇ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ। କଲେଜ କର୍ତୃପକ୍ଷ ନଭେମ୍ବର ୬ରୁ ୧୩ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଫର୍ମ, ଏମ୍‌ଏନ୍‌ଆର, ଫଟୋ ରୋଲ୍‌ ସିଟ୍‌, ଆକାଉଣ୍ଟ ଷ୍ଟେଟ୍‌ମେଣ୍ଟ ପରିଷଦର ମୁଖ୍ୟ ଏବଂ ଜୋନାଲ କାର୍ଯ୍ୟାଳୟରେ ଦାଖଲ କରିବାକୁ କୁହାଯାଇଛି।

ସେହିପରି ନଭେମ୍ବର ୨୦ରୁ ୨୮ ତାରିଖ ମଧ୍ୟରେ ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ ହେବ। ନଭେମ୍ବର ୩୦ରୁ ଡିସେମ୍ବର ୪ ମଧ୍ୟରେ ୫୦ ଟଙ୍କା ଏବଂ ଡିସେମ୍ବର ୬ରୁ ୮ ତାରିଖ ମଧ୍ୟରେ ୩୫୦ ଟଙ୍କା ଜରିମାନା ଦେଇ ଛାତ୍ରଛାତ୍ର୍ରୀ ଫର୍ମ ପୂରଣ କରିବେ। ଅନ୍‌ଲାଇନ୍‌ରେ ଏଥର ଫର୍ମ ପୂରଣ ପ୍ରକ୍ରିୟା ଆନୁଷ୍ଠିତ ହେବ ବୋଲି ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର