ଫିରିଙ୍ଗିଠାରୁ ବି ବର୍ବର, କୋରେଇ ନାବାଳିକା ହତ୍ୟା ମାମଲା ନୂଆ ମୋଡ଼ରେ

ଯାଜପୁର/ କୋରେଇ/ ରଗଡ଼ି: ବହୁ ଚର୍ଚିତ କୋରେଇ ନାବାଳିକା ହତ୍ୟାକାଣ୍ଡର ହତ୍ୟାକାରୀଙ୍କୁ ଖସାଇବା ପାଇଁ କୋରେଇ ପୁଲିସର ବର୍ବରତା ଇତିହାସର ଫିରିଙ୍ଗି ଶାସନକୁ ଟପିଯାଇଛି। ଅଭିଯୁକ୍ତ ଶଳା ଭିଣୋଇଙ୍କୁ ଖସାଇବାକୁ ଯାଇ ପୁଲିସ କେତେ ତଳକୁ ଖସିପାରେ, ସେ ନେଇ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଗତ ମାସ ୧୮ତାରିଖରେ ନାବାଳିକାକୁ ଦୁଷ୍କର୍ମ ସହିତ ହତ୍ୟା କରାଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ଘଟଣାରେ ଭଦ୍ରକର ଦୁଇ ଶଳାଭିଣୋଇ ଗୋରୁ ବେପାରୀଙ୍କ ସମ୍ପୃକ୍ତି ରହିଥିଲା। ଘଟଣାଦିନ ଏହି ୨ ଗୋରୁ ବେପାରୀ ନାବାଳିକା ଘର ଦୁଆର ମୁହଁରେ ବୋଲେରୋ ଗାଡ଼ି ରଖି ମଦମାଂସର ଆସର କରିଥିଲେ। ରାତି ପ୍ରାୟ ସାଢ଼େ ଦଶଟା ବେଳକୁ ଯୋଜନା ମୁତାବକ ନାବାଳିକା ଘରକୁ ପାଣି ପିଇବା ବାହାନାରେ ଯାଇ ବାଡ଼ି ପଟେ ତାର ଓନିରେ ବେକକୁ ଭିଡ଼ି ମାରିବା ପରେ ଟେକି ଆଣି ନିକଟ ପୋଖରୀରେ ଫିଙ୍ଗି ଦେଲେ। ମାତ୍ର ଘଟଣାର ପ୍ରତ୍ୟକ୍ଷଦର୍ଶୀ ନାବାଳକକୁ ୨ହଜାର ଟଙ୍କା ଦେଇ ପାଟିଖୋଲିଲେ ଜୀବନରୁ ମାରିଦେବାକୁ ଧମକ ଦେଲେ। ଅପରପକ୍ଷେ, ଥାନାଠାରୁ ଅନତିଦୂରରେ ଘଟିଥିବା ଏହି ଘଟଣା ଜାଣି ପାରିନଥିବା କୋରେଇ ପୁଲିସ୍‌ ପ୍ରଥମେ ଠିକ୍‌ ବାଟରେ ଅନୁସଂଧାନ କରି ନାବାଳକ ଓ ଅପରାଧୀ ଗୋରୁ ବେପାରୀଙ୍କୁ ସେହି ଦିନ ଉଠାଇ ନେଇଥିଲା। ଏହାକୁ ନେଇ ପ୍ରଭାବଶାଳୀ ଗୋରୁ ବେପାରୀଙ୍କ ମଧ୍ୟରେ ଆତଙ୍କ ଖେଳିଗଲା।

ନାବାଳକକୁ ତଳେ ପକାଇ ବୁଟ୍‌ରେ ଚଢ଼ିଗଲା ପୁଲିସ
ହାତଗୋଡ଼ ବାନ୍ଧି ଆଙ୍ଗୁଠିକୁ ଛେଚିଲେ; କରେଣ୍ଟ ଦେଲେ
ଦୁଇ ହଜାର ଟଙ୍କା ଦେଇ ଫସାଇଦେଲେ
ଶଳାଭିଣୋଇଙ୍କୁ ଖସାଇବାକୁ ଷଡ଼ଯନ୍ତ୍ର

ଗୋରୁ ବେପାରରେ ଯେଉଁ ପୁଲିସ୍‌ କର୍ମଚାରୀ ଓ ଅଧିକାରୀ ମାସିକିଆ ପେ-ରୋଲ୍‌ରେ ଅଛନ୍ତି ବୋଲି ଅଭିଯୋଗ ହେଉଛି, ସେମାନେ ସକ୍ରିୟ ହୋଇଉଠିଲେ। ସେହିଦିନ ପୁଲିସ ପ୍ଲଟ୍‌ ତିଆରି କରି ରାତି ଅଧରେ ନାବାଳକ ଉପରେ ଅତ୍ୟାଚାର ଆରମ୍ଭ କରିଦେଲା। ଥାନାରେ ମୁଖ୍ୟ ଅପରାଧୀଙ୍କ ସମ୍ମୁଖରେ ଅକଥନୀୟ ଅତ୍ୟାଚାର କରି ପୁଲିସ ତାର ଲକ୍ଷ୍ୟରେ ସଫଳ ହେଲା। ୧୩ ବର୍ଷର ଅଭିଯୁକ୍ତ ନାବାଳକ ୪ବର୍ଷ ପୂର୍ବରୁ ଅର୍ଥାତ୍‌ ୯ବର୍ଷ ଶିଶୁ ଅବସ୍ଥାରେ ପ୍ରେମ ଆରମ୍ଭ କରିଥିବା ଅସମ୍ଭବ କଥା ବି ପୁଲିସ ଅଧିକାରୀ ଲଜ୍ଜାହୀନ ଭାବେ ଗଣମାଧ୍ୟମକୁ କହିଲେ। ନାବାଳକ ରୁପା ମୁଦି ଦେଇଥିବା କଥା ଏକ ମିଥ୍ୟା ପ୍ଲଟ୍‌ କଲା। ପୁଲିସ ନାବାଳକକୁ ଧରିବା ପରେ ତା ପକେଟରୁ ସେହି ୨ହଜାର ଟଙ୍କା ମଧ୍ୟ ନେଇଯାଇଛି। ଅପରପକ୍ଷେ, ନାବାଳକକୁ ରାତି ଅଧରେ ଥାନାଧିକାରୀଙ୍କ ପ୍ରକୋଷ୍ଠରେ ବୁଟ୍‌ ଗୋଇଠା ମାଡ଼ ସାଙ୍ଗକୁ ହାତଗୋଡ଼ ବାନ୍ଧି ଆଙ୍ଗୁଳି ଗଣ୍ଠିକୁ ଛେଚିଛନ୍ତି। ବାଳ ସ୍ୱଧାର ଗୃହରେ ଥିବା ନାବାଳକ ଭୟରେ ଥରୁଛି। ଆତ୍ମୟୀ ଲୋକଙ୍କୁ ଦେଖିଲେ ୧୩ ବର୍ଷର କଇଁ କଇଁ ହୋଇ କାନ୍ଦୁଛି। ମା’ ଓ ଭାଇ ନିକଟରେ ପାଟି ଖୋଲିବାକୁ ମଧ୍ୟ ସାହସ ଜୁଟାଇ ପାରୁନାହିଁ। ସେପଟେ ନାବାଳିକା ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ଭଦ୍ରକ ଜିଲ୍ଲାର ଶଳାଭେଣୋଇ ଗୋରୁ ବେପାରୀଙ୍କୁ ଖସାଇ ଦେଇ ପୁଲିସ ନାବାଳକ ମୁଣ୍ଡରେ ସବୁ ଦୋଷ ଲଦି ଦେଇଛି। କୋରେଇ ପୁଲିସ ଓ କେତେକ ଅସାଧୁ ଅଧିକାରୀ ଏଭଳି ଜଘନ୍ୟ ଷଡଯନ୍ତ୍ର ରଚିଥିବା ଘରୋଇ ଅନୁସଂଧାନ ଟିମ୍‌ ଦ୍ୱାରା ଧରାପଡ଼ିଯାଇଛି। ପୁଲିସର ଏହି ଫିରିଙ୍ଗି ଶାସନ ବିରୋଧରେ ଆନ୍ଦୋଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।

ସମ୍ବନ୍ଧିତ ଖବର