ଦୁଇ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ

ଭୁବନେଶ୍ୱର: ବହୁ କଳ୍ପନାଜଳ୍ପନା, ବାଦବିବାଦ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ଈଶାନ୍‌ ପାତ୍ର ନିଯୁକ୍ତ ହୋଇଛନ୍ତି। ଆଶାୟୀ ତାଲିକାରେ ଥିବା ପ୍ରଫେସରମାନଙ୍କ ସାକ୍ଷାତକାର ନେବା ପରେ ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଏସ୍‌.ସି. ଜମିର ତାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି। ତେବେ ପ୍ରଫେସର ନଚିକେତା ଦାଶଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ରିଟ୍‌ ପିଟିସନ୍‌ର ରାୟ ଉପରେ ପ୍ରଫେସର ପାତ୍ରଙ୍କ ଏହି ନିଯୁକ୍ତିର ଭବିଷ୍ୟତ ନିର୍ଭର କରିବ ବୋଲି କୁହାଯାଇଛି।

ପ୍ରଫେସର ପାତ୍ର ଏବେ ମଧ୍ୟପ୍ରଦେଶର ଜିଓ୍ଵାଜୀ ବିଶ୍ୱବିଦ୍ୟାଳୟରେ ଜୁଲୋଜି ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ୧୯୭୮ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଜୁଲୋଜିରେ ବି.ଏସ୍‌ସି ଡିଗ୍ରି ହାସଲ କରିଥିଲେ। ଏହାପରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାାଳୟରୁ ଏମ୍‌.ଏସ୍‌ସି, ଏମ୍‌.ଫିଲ୍‌ ଏବଂ ପିଏଚ୍‌ଡି କରିଥିଲେ। ୨୯ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ସହ ପ୍ରଶାସନିକ କ୍ଷେତ୍ରରେ ବି ତାଙ୍କର ୧୭ ବର୍ଷର ଦକ୍ଷତା ରହିଛି। ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ୬୬ଟି ଗବେଷଣା ସନ୍ଦର୍ଭ ପ୍ରକାଶ ପାଇଛି। ଏହା ବ୍ୟତୀତ ତାଙ୍କ ଅଧୀନରେ ୨୫ ଜଣ ଗବେଷଣାରତ ଛାତ୍ରଛାତ୍ରୀ ପିଏଚ୍‌ଡି ଡିଗ୍ର୍ରି ହାସଲ କରିଛନ୍ତି।

ଅନ୍ୟପକ୍ଷରେ ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ମଧ୍ୟ କୁଳପତି ନିଯୁକ୍ତି ହୋଇଛି। ୨୦୧୫ରୁ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ପ୍ରଫେସର ଶ୍ରୀକାନ୍ତ ମହାପାତ୍ରଙ୍କୁ ଆସନ୍ତା ୩ ବର୍ଷ ଲାଗି ନିଯୁକ୍ତି ମିଳିଛି। ପ୍ରଫେସର ମହାପାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଜି କରିଥିଲେ। ଏହାପରେ ସାଉଥ୍‌ ଏସିଆନ୍‌ ଷ୍ଟଡିଜ୍‌ରୁ ଏମ୍‌.ଫିଲ୍‌, ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରୁ ଇଣ୍ଟରନ୍ୟାସନାଲ ପଲିଟିକ୍ସରେ ପିଏଚ୍‌ଡି ଡିଗ୍ରି ହାସଲ କରିଛନ୍ତି। ଶିକ୍ଷାଦାନ କ୍ଷେତ୍ରରେ ୯ ବର୍ଷର ଅଭିଜ୍ଞତା ଥିବା ବେଳେ ୨୨ ବର୍ଷ ଧରି ଦୂରନିରନ୍ତର ଶିକ୍ଷାରେ ଅଭିଜ୍ଞତା ହାସଲ କରିଛନ୍ତି। ୨୦୧୫ରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଓଏସ୍‌ଡି ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ଇଗ୍‌ନୋର ବରିଷ୍ଠ ଆଞ୍ଚଳିକ ନିର୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ ଦ୍ୱାରା ୬ଟି ପବ୍ଲିକେସନ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର