ଜିଆଇଇଟି ବିଶ୍ବବିଦ୍ୟାଳୟ‌ରେ ନୂତନ କୁଳପତିଙ୍କ ଦାୟିତ୍ବ ଗ୍ରହଣ

ଭୁବନେଶ୍ବର : ଗୁଣୁପୁରସ୍ଥିତ ଜିଆଇଇଟି ଏକକ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଡ. ଟି କିସେନ୍‌ କୁମାର ରେଡ୍ଡି ଦାୟିତ୍ବ ଗ୍ରହଣ କରିଛନ୍ତି। ପ୍ରଥମ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ଶ୍ରୀ ରେଡ୍ଡି ଗୁଜୁରାଟ ଗାନ୍ଧୀନଗରସ୍ଥିତ ପଣ୍ଡିତ ଦିନଦୟାଲ ପେଟ୍ରୋଲିୟମ୍‌ ବିଶ୍ବବିଦ୍ୟାଳୟରେ କୁଳପତି ଭାବେ ଓ ହାଇଦ୍ରାବାଦସ୍ଥିତ ଜବାହାରଲାଲ ନେହରୁ-ଟେକ୍‌-ବିଶ୍ବବିଦ୍ୟାଳୟରେ ରେକ୍ଟର ଭାବେ ଦାୟିତ୍ବ ତୁଲାଇଥିଲେ। ଶ୍ରୀ ରେଡ୍ଡି ଉସମାନିଆ ବିଶ୍ବବିଦ୍ୟାଳୟରେ ବି.ଟେକ୍‌, ଆଇଆଇଟି ମାଦ୍ରାସରେ ଥର୍ମାଲ ପାୱାର ଇଞ୍ଜିନିୟରିଂରେ ଏମ୍‌.ଟେକ୍‌, ଆମେରିକାସ୍ଥିତ ଫିଲାଡେଲଫିଆ ଡ୍ରୋକ୍ସଲ୍‌ ବିଶ୍ବବିଦ୍ୟାଳୟରେ ଥର୍ମାଲ ତରଳ ପଦାର୍ଥ ବିଜ୍ଞାନରେ ଏମ୍‌.ଏସ୍‌ ଓ ଇନ୍ଧନ ବିଜ୍ଞାନରେ ପିଏଚ୍‌ଡି ଡିଗ୍ରି ହାସଲ କରିଥିଲେ। ଆମେରିକା, କାନାଡା, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ମାଲେସିଆ, ୟୁଏଇ, ତୁର୍କୀ, ଜର୍ମାନୀ, ଡେନମାର୍କ, ଦକ୍ଷିଣ କୋରିଆ, ସିଙ୍ଗାପୁର ପ୍ରମୁଖ ଦେଶରେ ଗବେଷଣା କ୍ଷେତ୍ରରେ ନିଜର ପାରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ଏଥିସହ କେନ୍ଦ୍ର ସରକାରଙ୍କ ଏଆଇସିଟିଇର ଉପଦେଷ୍ଟା ଓ ଉଦ୍ୟୋଗ ବିକାଶ ସେଲ୍‌ର ସଦସ୍ୟ ଭାବେ ଅବସ୍ଥାପିତ ଥିଲେ। ଦାୟିତ୍ବ ଗ୍ରହଣ କରିବା ପରେ ବିଶ୍ବବିଦ୍ୟାଳୟ କୁଳସଚିବ ଏନ୍‌ ଭି ଜେ ରାଓଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ତାଙ୍କୁ ସ୍ବାଗତ କରିଥି‌ଲେ।

ସମ୍ବନ୍ଧିତ ଖବର