ପୁଣି ଭାଇରାଲ ହେଲା ପୀଡ଼ିତାଙ୍କ ନୂଆ ଭିଡିଓ

କାମରେ ଆସୁନି ସାଇବର ସେଲ୍‌

ଭୁବନେଶ୍ୱର : ବହୁଚର୍ଚିତ ବାରିପଦା ନଗ୍ନ ଭିଡିଓକୁ ଆଉ ଭାଇରାଲ କରିବାକୁ ଦିଆ ଯିବନି। ଏନେଇ ଫେସବୁକ୍‌, ହ୍ଵାଟସଆପ୍‌ ଓ ୟୁଟ୍ୟୁବକୁ ଚିଠି ଲେଖା ଯାଇଛି। ଏଭଳି କଥା କହିଥିଲେ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। କିନ୍ତୁ ଡିଜିଙ୍କ ଏଭଳି ପ୍ରତିଶ୍ରୁତିର ୨୪ ଘଣ୍ଟା ନ ପୂରୁଣୁ ସେହି ଭାଇରାଲ ଭିଡିଓର ଆଉ ଏକ ଅଂଶ (ପାର୍ଟ-୨) ଆଜି ଭାଇରାଲ ହୋଇଛି ସୋସିଆଲ ମିଡିଆରେ।

ଗତକାଲି ପୀଡ଼ିତାଙ୍କ ବାପା ବାରିପଦା ସଦର ଥାନାରେ ଏତଲା ଦେବା ପରେ ପୁଲିସ କିଛି କ୍ଷଣ ମଧ୍ୟରେ ଜ୍ୟୋତିପୁର ଅଞ୍ଚଳର ମୋତିଲାଲ ମହାତ, ଦୀପକ ମହାତ ଓ ପୁରୁଷୋତ୍ତମ ମହାତ ନାମକ ତିନି ଜଣ ଯୁବକଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ ଦୁଇ ଅଭିଯୁକ୍ତଙ୍କ ନିକଟରୁ ସୁଟିଂରେ ବ୍ୟବହାର ହୋଇଥିବା ମୋବାଇଲ୍‌ ଫୋନ୍‌ ଜବତ କରିଛି। ଆଜି ପୁଣି ଥରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ବୁଦ୍ଧିଜୀବୀ ମହଲରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

ପୁଲିସ ଜବତ କରିଥିବା ମୋବାଇଲ୍‌ ଫୋନ୍‌ରୁ ପୁଣି ଥରେ କେମିତିି ଭିଡିଓ ସୋସିଆଲ ମିଡିଆକୁ ଆସିଲା ତାକୁ ନେଇ ପ୍ରଶ୍ନ ଉଠିଛି। କିଏ ପୀଡ଼ିତାଙ୍କ ନଗ୍ନ ଭିଡିଓକୁ ଏଭଳି ଭାଇରାଲ କରୁଛି, ତାକୁ ପୁଲିସ ଏଯାଏ ଗିରଫ କରିବାକୁ ସକ୍ଷମ ହୋଇନାହିଁ। ଯାହା ସନ୍ଦେହ କରାଯାଉଛି ପୀଡ଼ିତାଙ୍କ ନଗ୍ନ ଭିଡିଓକୁ ଭାଇରାଲ କରିବାକୁ ଏକ ର‍୍ୟାକେଟ କାମ କରୁଛି। ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତଙ୍କ କେତେକ ସାଙ୍ଗ ଏଭଳି କାଣ୍ଡ କରୁଥିବା ପୁଲିସ ସନ୍ଦେହ କରୁଛି।

ତିନି ଦିନ ତଳେ ପୀଡ଼ିତାଙ୍କ ଭିଡିଓ ଭାଇରାଲ ହେବା ପରେ ପୁଲିସ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ନିଜେ ଡିଜି ଘଟଣାର ତଦନ୍ତ କରିବାକୁ ମୟୂରଭଞ୍ଜ ଏସ୍‌ପିଙ୍କ ନିର୍ଦେଶ ଦେଇଥିଲେ। ଭିଡିଓ କିଭଳି ସୋସିଆଲ ମିଡିଆରୁ ହଟିବ ସେ ନେଇ ପୁଲିସ ପକ୍ଷରୁ ଚିଠି କରାଯିବ ବୋଲି କହିଥିଲେ। କିନ୍ତୁ ଏଯାଏ ସେହି ଭିଡିଓ ସୋସିଆଲ ମିଡିଆରୁ ହଟିବ କ’ଣ, ଏହାର ଗୋଟିଏ ଗୋଟିଏ ପାର୍ଟ ଏବେ ସୋସିଆଲ ମିଡିଆରେ ଘୂରି ବୁଲିବା ଆରମ୍ଭ କଲାଣି। ପୂର୍ବରୁ ୩୦ ସେକେଣ୍ଡ ଭିଡିଓ ଥିବାବେଳେ ଏବେ ୩୫ ସେକେଣ୍ଡର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଜଣେ ଯୁବକ ମୁହଁରେ ଲାଲ ରଙ୍ଗର ରୁମାଲ ବାନ୍ଧି ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଛପଟୁ ଧରୁଥିବାବେଳେ ଆଉ ଦୁଇ ଜଣ ମୋବାଇଲ୍‌ ଫୋନ୍‌ରେ ଫଟୋ ଉଠାଇବା ସହିତ ଭିଡିଓ ଉତ୍ତୋଳନ କରିଛନ୍ତି।

ତେବେ ପୁଲିସ ପକ୍ଷରୁ ଏଭଳି ଭାଇରାଲ ଭିଡିଓକୁ ବନ୍ଦ କରିବାକୁ ସାମନ୍ୟତମ ପ୍ରୟାସ ମଧ୍ୟ ଆରମ୍ଭ ହୋଇ ନାହିଁ। ବରଂ ପୀଡ଼ିତାଙ୍କ ମାନ ସମ୍ମାନ ସହିତ ଖେଳ ଖେଳି ଚାଲିଛି ପୁଲିସ। ପୁଲିସ ବିଭାଗର ସାଇବର ସେଲ ଏହି ଭିଡିଓକୁ ବନ୍ଦ କରିବାକୁ ସାମାନ୍ୟତମ ଉଦ୍ୟମ ମଧ୍ୟ କରିନାହିଁ। ବାରିପଦା ସଦର ଥାନା ପୁଲିସ ମଧ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରି କାମ ସାରି ଦେଇଛି ବୋଲି ଭାବୁଛି। ଯାହା ଫଳରେ ଏବେ ପୀଡ଼ିତାଙ୍କ ପରିବାର ଓ ପୀଡ଼ିତା ମାନସିକ ସ୍ତରରେ ଢ଼େର ଆଘାତ ପାଇ ଚାଲିଛନ୍ତି। ଲୋକ ଲଜ୍ଜା ଭୟରେ ଘରୁ ଆଉ ପଦାକୁ ବାହାରି ପାରୁନାହାନ୍ତି ପୀଡ଼ିତା। ଏ ସମ୍ପର୍କରେ ମୟୂରଭଞ୍ଜ ଏସ୍‌ଡିପିଓ ଅଭିମନ୍ୟୁ ନାୟକଙ୍କୁ ଯୋଗଯୋଗ କରିବାବେଳେ ସେ ଫୋନ୍‌ ଉଠାଇ, ଆପଣଙ୍କୁ କହୁଛି କହି ଫୋନ୍‌ କାଟି ଦେଇଥିଲେ।

ସମ୍ବନ୍ଧିତ ଖବର